ଅଲିଭ୍ ରିଡ୍ଲେଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ
ଋଷିକୁଲ୍ୟା ମୁହାଁଣରେ ରିଙ୍ଗ୍ଜାଲ ଦ୍ୱାରା ମାଛମରା
ଗଞ୍ଜାମ (ଆପ୍ର): ଗଞ୍ଜାମ ଜିଲ୍ଲା ଋଷିକୁଲ୍ୟା ମୁହାଁଣ ବିଶ୍ୱମାନଚିତ୍ରରେ ସାମୁଦ୍ରିକ ଅଲିଭ ରିଡ୍ଲେ କଇଁଛମାନଙ୍କ ଏନ୍ତୁଡ଼ିଶାଳ ଭାବେ ପରିଗଣିତ । ସାମ୍ପ୍ରତି ଋଷିକୁଲ୍ୟା ମୁହାଁଣ ଅଞ୍ଚଳରେ ରିଙ୍ଗଜାଲ ବ୍ୟବହାର କରି ମାଛ ମରାଯାଉଥିବାରୁ ଅଲିଭ୍ ରିଡ୍ଲେ କଇଁଛଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହାକୁ ନେଇ ପରିବେଶବିତଙ୍କ ମଧ୍ୟରେ ଉଦ୍ବେଗ ପ୍ରକାଶ ପାଇଛି । ନଭେମ୍ବର ପହିଲାରୁ ମଇ ୩୧ ତାରିଖ ଦୀର୍ଘ ୭ମାସ ପର୍ଯ୍ୟନ୍ତ ଫିସେରୀ ଡିପାର୍ଟମେଣ୍ଟ ପକ୍ଷରୁ ଛତ୍ରପୁର ଓ ଗଞ୍ଜାମ ବ୍ଲକ୍ର ସମୁଦ୍ର ଉପକୂଳବର୍ତ୍ତୀ ବିଭିନ୍ନ ସାମୁଦ୍ରିକ ମତ୍ସ୍ୟ ଗ୍ରାମରେ କଇଁଛ ସୁରକ୍ଷା ସମ୍ପର୍କିତ ପ୍ରଚାରପତ୍ର ମାରି ଦେଇ ମତ୍ସ୍ୟ ବିଭାଗ ଚୁପ ବସିଥିବା ଅଭିଯୋଗ ହେଉଛି । ସମୁଦ୍ର ଉପକୂଳବର୍ତ୍ତୀ ଇଲାକାରେ ଫିସେରୀ ବିଭାଗ କର୍ମଚାରୀମାନେ ରହିଥିଲେ ମଧ୍ୟ କିଛି ସୁଫଳ ମିଳୁନି । ଅନ୍ୟପଟେ ଋଷିକୁଲ୍ୟା ମୁହାଁଣ ଅଞ୍ଚଳରେ ଫିସେରୀ ବିଭାଗର ଏକ ବୋଟ ବ୍ୟବହାର ନ ହୋଇ ଖତ ଖାଉଥିବା ଦେଖାଯାଉଛି ।
ପ୍ରତିବର୍ଷ ନଭେମ୍ବର ମାସରେ ବିଶ୍ୱର ବିଭିନ୍ନ ଅଞ୍ଚଳରୁ ହଜାର ହଜାର କିଲୋମିଟର ଅତିକ୍ରମ କରି ଲକ୍ଷ ଲକ୍ଷ ସଂଖ୍ୟାରେ ଅଲିଭ୍ ରିଡ୍ଲେ ଋଷିକୁଲ୍ୟା ମୁହାଁଣକୁ ଆସିଥାନ୍ତି । ପର୍ଯ୍ୟାୟ କ୍ରମେ ମିଳନ ପ୍ରକ୍ରିୟା, ଗଣ ଅଣ୍ଡାଦାନ ପର୍ବ, ଛୁଆ ଫୁଟିବା ପ୍ରକ୍ରିୟା ହୋଇଥାଏ । ଲକ୍ଷ ଲକ୍ଷ ସଂଖ୍ୟାରେ ସାମୁଦ୍ରିକ କଇଁଛ ଋଷିକୁଲ୍ୟା ମୁହାଁଣ ସମୁଦ୍ରର ନୀଳ ଜଳ ରାଶିରେ ରହିଥାନ୍ତି । ବର୍ତ୍ତମାନ ଋଷିକୁଲ୍ୟା ମୁହାଁଣଠାରୁ ଉତ୍ତରରେ ପ୍ରୟାଗି ଓ ଦକ୍ଷିଣରେ ଆର୍ଜିପଲ୍ଲୀ ୨୦ କିଲୋମିଟର ଏବଂ ସମୁଦ୍ର କୂଳଠାରୁ ସମୁଦ୍ରର ୨୦ କିଲୋମିଟର ମଧ୍ୟରେ ଯାନ୍ତ୍ରିକ ବୋଟରେ ମାଛ ମାରିବା ନେଇ କଟକଣା ରହିଥିଲେ ମଧ୍ୟ ଋଷିକୁଲ୍ୟା ମୁହାଁଣର ୩ରୁ ୪ କିଲୋମିଟର ମଧ୍ୟରେ ରିଙ୍ଗ ଜାଲ ବ୍ୟବହାର କରାଯାଉଥିବାରୁ ଉକ୍ତ ଜାଲ ସାମୁଦ୍ରିକ କଇଁଛଙ୍କ ପ୍ରତି ବିପଦ ସୃଷ୍ଟି କରୁଛି । ଫିସେରୀ ବିଭାଗ ସାମୁଦ୍ରିକ କଇଁଛଙ୍କ ସୁରକ୍ଷା ଲାଗି ରିଙ୍ଗ ଜାଲ ବ୍ୟବହାରରେ ରୋକ ଲଗାଇବା ପାଇଁ ବିଭିନ୍ନ ମହଲରୁ ଦୃଢ଼ ଦାବି ହେଉଛି ।