ଏକକ ରେଳ ଜୋନ୍ ହେଉ

ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି
ଭୁବନେଶ୍ୱର, ୧୯ା୧୧ (ବୁ୍ୟରୋ): ଓଡିଶା ପାଇଁ ହେଉ ଏକକ ରେଳବାଇ ଜୋନ । ରାଜ୍ୟର ସବୁ ରେଳପଥକୁ ଗୋଟିଏ ଜୋନ ଅଧିନକୁ ଅଣାଯାଉ । ଏନେଇ ପୂର୍ବରୁ ବାରମ୍ବାର ଦାବି ହେଉଥିବାବେଳେ ଶନିବାର ପୁଣି ଥରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ଏନେଇ ଅବଗତ କରାଇଛନ୍ତି । ବାରମ୍ବାର ଦାବି ପରେ ୨୦୦୩ରେ କେନ୍ଦ୍ର ସରକାର ରାଜ୍ୟ ପାଇଁ ସ୍ୱତନ୍ତ୍ର ପୂର୍ବତଟ ରେଳବାଇ ଜୋନ୍ ଗଠନ କରିଥିଲେ । ଏବେ କିନ୍ତୁ କେନ୍ଦ୍ର ସରକାର ବିଶାଖାପଟଣାରେ ଦକ୍ଷିଣ ତଟ ରେଳବାଇ ଜୋନ୍ ଗଠନ କରିବାକୁ ପ୍ରସ୍ତାବ ରଖିଛନ୍ତି । ଏହାଦ୍ୱାରା ପୂର୍ବତଟ ରେଳବାଇ ବ୍ୟାପକ ଭାବେ ପ୍ରଭାବିତ ହେବ ।
ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ଓଡିଶା ପାଇଁ ଏକକ ରେଳବାଇ ଜୋନ୍ ଗଠନ କରିବାକୁ ଦାବି କରିଛନ୍ତି । ଓଡିଶା ମଧ୍ୟ ଦେଇ ଯାଇଥିବା ସବୁ ରେଳପଥକୁ ପୂର୍ବତଟ ରେଳବାଇ ଅଧିନକୁ ଆଣିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଦାବି କରିଛନ୍ତି । ଏଥିପାଇଁ ରାଉଲକେଲା, ଯାଜପୁର କିମ୍ବା ଯାଜପୁର-କେନ୍ଦୁଝର ରୋଡ ଓ ରାୟଗଡାରେ ୩ ନୂଆ ରେଳବାଇ ଡିଭିଜନ ଗଠନ କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଦାବି କରିଛନ୍ତି । ଦକ୍ଷୀଣ-ପୂର୍ବ ରେଳପଥ ଅଧିନରେ ଥିବା ଝାରସୁଗୁଡା-ବର୍ସୁଅାଁ-କିରିବୁରୁ ରେଳପଥ, ରାଉଲକେଲା-ନୂଆଗାଁ ଓ ଦକ୍ଷିଣ-ପୂର୍ବ-କେନ୍ଦ୍ରୀୟ ରେଳ ଡିଭିଜନ ଅଧିନରେ ଥିବା ଝାରସୁଗୁଡା-ହିମଗିରି ରେଳପଥକୁ ପ୍ରସ୍ତାବିତ ରାଉଲକେଲା ରେଳ ଡିଭିଜନ ସହ ସାମିଲ କରାଯାଉ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ।
ସେହିଭଳି ଯାଜପୁର କିମ୍ବା ଯାଜପୁର-କେନ୍ଦୁଝର ରୋଡ ଡିଭିଜନରେ ବାଂଶପାଣୀ-ପଦପାହାଡ, ରୁପସା-ବାଙ୍ଗିରିପୋଷି ଓ ଭଦ୍ରକ-ଲକ୍ଷଣନାଥ ରୋଡ ରେଳପଥକୁ ନୂଆ ଡିଭିଜନ ଅଧିନକୁ ଅଣାଯାଉ । ସେହିଭଳି ରାୟଗଡାରେ ମଧ୍ୟରେ ପୂର୍ବତଟ ରେଳବାଇ ଜୋନ ଅଧିନରେ ଏକ ନୂଆ ଡିଭିଜନ ଗଠନ କରାଯାଉ । ଏହି ଡିଭିଜନରେ ନୂଆପଡା-ଗୁଣପୁର, ରାୟଗଡା-ଟିଟଲାଗଡ-ରାୟପୁର, କୋରାପୁଟ-ରାୟଗଡା, କୋରାପୁଟ-ଜୟପୁର-ଜଗଦଲପୁର-କିରାଣ୍ଡୁଲ ଏବଂ ଲାଞ୍ଜିଗଡ ରୋଡ-ଜୁନାଗଡ ରେଳପଥକୁ ସାମିଲ କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଦାବି କରିଛନ୍ତି ।
ଏଥିସହ ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାରେ ପ୍ରସ୍ତାବିତ ରେଳପଥ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଛନ୍ତି । ଏହାଦ୍ୱାରା ରାଜ୍ୟରେ ରେଳବାଇ ମଧ୍ୟରେ ସହଜରେ ସମ୍ବନୟ ରକ୍ଷା କରାଯାଇପାରିବ । ରେଳପଥକୁ ଓଡିଶା ସର୍ବାଧିକ ଟିକସ ଦେଉଥିଲେ ବି କେନ୍ଦ୍ରର ପ୍ରସ୍ତାବିତ ନୂଆ ଡିଭିଜନ ଦ୍ୱାରା ଓଡିଶାର ଆୟ ବ୍ୟାପକ ଭାବେ ପ୍ରଭାବିତ ହେବାର ଆଶଙ୍କା ରହିଛି । ଗତ ସାତ ବର୍ଷ ହେଲା ରାଜ୍ୟ ସରକାର ଓଡିଶା ପାଇଁ ଏକକ ରେଳବାଇ ଜୋନ ଗଠନ କରିବାକୁ ଦାବି କରିଆସୁଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *