ମହାନଗର ନିଗମରେ ‘ଆରୋଗ୍ୟମ୍’ ଶୁଭାରମ୍ଭ
ବ୍ରହ୍ମପୁର (ବୁୂ୍ୟରୋ): ବ୍ରହ୍ମପୁର ସହରର ବସ୍ତି ବାସିନ୍ଦାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ‘ଆରୋଗ୍ୟମ୍’ ଯୋଜନାର ଶୁଭାରମ୍ଭ କରାଯାଇଛି । ସହରର ୧୬୧ଟି ବସ୍ତିରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବାକୁ ଥିବା ବେଳେ ଏହା ଦ୍ୱାରା ବସ୍ତିର ପ୍ରାୟ ୧୭ହଜାର ଘରେ ଏହି ସେବା ପହଞ୍ଚôବ । ରକ୍ତଚାପ, ରକ୍ତ ସର୍କା, ହେମୋଗ୍ଲୋବିନ, ପୂର୍ଣ୍ଣ ଶରୀର ଯାଞ୍ଚ, ଉଚ୍ଚତା ମାପ, ଶରୀରର ତାପମାତ୍ରା ସହ ମୋଟ ୧୧ଟି ପରୀକ୍ଷା କରାଯିବ । ମହାନଗର ନିଗମର ୧୦ନମ୍ବର ୱାର୍ଡର ଆଇନାବନ୍ଧ ବସ୍ତିରୁ ସ୍ୱାସ୍ଥ୍ୟ ପରୀକ୍ଷା ଆରମ୍ଭ ହୋଇଛି । ନିଗମ କାର୍ଯ୍ୟାଳୟର ନୂତନ ସମ୍ମିଳନୀ କକ୍ଷରେ ଉଦ୍ଘାଟନୀ ସଭା ଆୟୋଜିତ ହୋଇଥିବା ବେଳେ ସାଂସଦ ଚନ୍ଦ୍ରଶେଖର ସାହୁ, ବିଧାୟକ ବିକ୍ରମ କୁମାର ପଣ୍ଡା, ମେୟର ସଂଘମିତ୍ରା ଦଳେଇ, ଡେପୁଟି ମେୟର ଇ.ବିବେକ ରେଡ୍ଡି, ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା, ନିଗମ କମିଶନର ଜେ.ସୋନାଲ, ଜନସ୍ୱାସ୍ଥ୍ୟ ନିଦେ୍ର୍ଦଶକ ଡା.ନିରଞ୍ଜନ ମିଶ୍ର, ଅତିରିକ୍ତ କମିଶନର ନିଳମାଧବ ଭୋଇ ମଞ୍ଚାସୀନ ଥିଲେ ।
କମିଶନର ଜେ.ସୋନାଲ ଏହି ଯୋଜନା ସମ୍ପର୍କରେ ସମ୍ୟକ ସୂଚନା ଦେଇଥିଲେ । ନଭେମ୍ବର ୧୯ରୁ ଡିସେମ୍ବର ୧୯ ପର୍ଯ୍ୟନ୍ତ ଗୃହ ସର୍ବେକ୍ଷଣ ଚାଲିବ । ସମସ୍ତ ପ୍ରକାର ନମୁନାର ମାଗଣାରେ ପରୀକ୍ଷା କରାଯିବା ସହ ସ୍ୱାସ୍ଥ୍ୟ ସମ୍ପର୍କିତ ସମସ୍ତ ତଥ୍ୟ ଡିଜିଟାଲ ଡାଟାବେସ୍ରେ ରହିବ ଏବଂ ଏଥିପାଇଁ ୭୬ଲକ୍ଷ ୫୩ହଜାର ଟଙ୍କା ଖର୍ଚ୍ଚ କରାଯିବ । ଜିଲ୍ଲାପାଳ ଶ୍ରୀ ପରିଡା କହିଥିଲେ ଯେ, ବସ୍ତି ଅଞ୍ଚଳରେ ଲୋକଙ୍କୁ ସୁସ୍ଥ ରଖିବା ଏବଂ ସମସ୍ତଙ୍କ ପାଖରେ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ଲକ୍ଷ୍ୟରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ଜନସ୍ୱାସ୍ଥ୍ୟ ନିଦେ୍ର୍ଦଶକ ଡା.ମିଶ୍ର କହିଥିଲେ ଯେ, କୋଭିଡ୍ ପରେ ଅଣସଂକ୍ରାମକ ରୋଗ ଅନେକଙ୍କ ଶରୀରରେ ଦେଖିବାକୁ ମିଳୁଛି । ଅଣସଂକ୍ରାମ ରୋଗକୁ ପ୍ରତିହତ କରିବା ଦିଗରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଉଛି ।