ଗରୁଡ଼ ସ୍ତମ୍ଭ ସ୍ପର୍ଶ ମନା
ପୁରୀ, ୧୯ା୧୧(ବୁ୍ୟରୋ): ଭକ୍ତଙ୍କ ସ୍ପର୍ଶ ଯୋଗୁଁ ପତଳା ହେଉଛି ଗରୁଡ଼ ସ୍ତମ୍ଭ । ଏଣିକି ଆଉ ଭକ୍ତଗଣ ଗରୁଡସ୍ତମ୍ଭଙ୍କୁ ଛୁଇଁ ପାରିବେନି ବା ଆଲିଙ୍ଗନ କରିପାରିବେନି, କେବଳ ଦୂରରେ ରହି ଦର୍ଶନ କରିପାରିବେ । ତତ୍ ସହିତ ଏହି ସ୍ତମ୍ଭକୁ ରୁପା ଚାଦରରେ ଆଚ୍ଛାଦିତ କରାଯିବ । ଗରୁଡସ୍ତମ୍ଭଙ୍କୁ ରୁପାଚାଦର ଛାଉଣି କରିବା ଲାଗି ୧ କୋଟି ୩୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ଖର୍ଚ୍ଚ ଭରଣା କରିବେ ପଶ୍ଚିମବଙ୍ଗର ଜଣେ ଭକ୍ତ । ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି ଶ୍ରୀମନ୍ଦିର ପ୍ରଶାସନ ଯାହାକୁ ମନମୁଖୀ କହି ବିଭିନ୍ନ ମହଲ ବିରୋଧ କରିଛନ୍ତି । ଭକ୍ତ ଓ ସେବାୟତଙ୍କ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।
ଆବାହନ କାଳରୁ ଭକ୍ତମାନେ ରନôସିଂହାସନ ଉପରେ ଶ୍ରୀଜୀଉଙ୍କୁ ଦର୍ଶନ କରିବା ପୂର୍ବରୁ ପ୍ରଥମେ ନାଟମଣ୍ଡପରେ ଥିବା ଗରୁଡସ୍ତମ୍ଭଙ୍କୁ ସ୍ପର୍ଶ ବା ଆଲିଙ୍ଗନ କରିଥାନ୍ତି । ବିଶ୍ୱାସ ରହିଛି ଯେ କାଳିଆ ଦର୍ଶନ ପୂର୍ବରୁ ଗରୁଡସ୍ତମ୍ଭଙ୍କୁ ସ୍ପର୍ଶ କଲେ ଶରୀର ଓ ମନ ପବିତ୍ର ହୋଇଥାଏ । ହେଲେ ଆଗକୁ ଏହି ସୁଯୋଗ ମିଳିବ ନାହିଁ ବୋଲି ସ୍ପଷ୍ଟ କରିଛି ଶ୍ରୀମନ୍ଦିର ପ୍ରଶାସନ ।
ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା ଏସର୍ମ୍ପକରେ ରାଜ୍ୟ ଆଇନ ବିଭାଗରୁ ଅନୁମତି ଲୋଡିଛନ୍ତି । ଅନୁମତି ମିଳିବା ପରେ ରୁପା ଛାଉଣି ଆରମ୍ଭ ହେବ । ପ୍ରଶାସନ ପକ୍ଷରୁ ଚିଠିରେ ଉଲ୍ଲେଖ କରାଯାଇଛି ଯେ ସ୍ତମ୍ଭଟିକୁ ବାରମ୍ବାର ଆଲିଙ୍ଗନ କରିବା ଦ୍ୱାରା ଏହାର ମୋଟେଇ କମୁଛି । ଏହାର ସୁରକ୍ଷା ପାଇଁ ସ୍ତମ୍ଭର ଚାରିପଟେ ଏକ ବୃତ୍ତାକାର ଫ୍ରେମ୍ ଉପରେ ରୂପା ଚାଦର ଆଚ୍ଛାଦାନ କରାଯିବ । ଏନେଇ ମଧ୍ୟ ଗତ ଛତିଶାନିଯୋଗ, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଓ ବରିଷ୍ଠ ସେବାୟତଙ୍କୁ ଅବଗତ କରାଯାଇଛି ।
ପ୍ରଶାସନର ଏଭଳି ନିଷ୍ପତ୍ତିକୁ ନାପସନ୍ଦ କରି ଜଣେ ଚୁନରା ସେବକ କହିଛନ୍ତି, ସେ ମହାପ୍ରଭୁଙ୍କର ୪୦ବର୍ଷ ଧରି ସେବା କରି ଆସୁଛନ୍ତି । ତାଙ୍କ ପିଲାବେଳେ ଗରୁଡସ୍ତମ୍ଭ ଯେଉଁଭଳି ଅବସ୍ଥାରେ ରହିଥିଲା ଆଜି ବି ସେପରି ରହିଛି । ଭକ୍ତମାନଙ୍କ ସ୍ପର୍ଶରେ କଟକଣା ଲଗାଇବା ଉଚିତ୍ ନୁହେଁ । ସେଥିରେ ରୁପାଚାଦର ଆଚ୍ଛାଦିତ କରିବାର ଆବଶ୍ୟକତା ନାହିଁ ।