କମ୍ପୁଛି ପ୍ରଚାର ମଇଦାନ
ଭୁବନେଶ୍ୱର (ବୁ୍ୟରୋ): ବିଜେପି-ବିଜେଡି-କଂଗ୍ରେସ ୩ ପ୍ରମୁଖ ଦଳ ପକ୍ଷରୁ ପଦ୍ମପୁର ଉପନିର୍ବାଚନ ପାଇଁ ଷ୍ଟାର କ୍ୟାମ୍ପେନର ତାଲିକା ଘୋଷଣା କରାଯାଇଛି । ଏଥିରେ ବହୁ ବିଶିଷ୍ଟ ନେତା-କର୍ମୀ, ଦଳୀୟ ସଙ୍ଗଠକ, ମନ୍ତ୍ରୀ, ବିଧାୟକଙ୍କୁ ସାମିଲ କରାଯାଇଥିବାବେଳେ ଏବେ ପଦ୍ମପୁର ନିର୍ବାଚନୀ ପ୍ରଚାରରେ କମ୍ପୁଛି । ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ପାଇଁ ଧାମନଗରର ନବନିର୍ବାଚିତ ବିଧାୟକ ସୂର୍ଯ୍ୟବଂଶୀ ସୂରଜ ପ୍ରଚାର ମଇଦାନକୁ ଓହ୍ଲାଇଥିବାବେଳେ ବିଜେଡି ଓ ବିଜେପି ପ୍ରାର୍ଥୀ ଭୋଟରଙ୍କୁ ନିଜ ଆଡକୁ ଆକୃଷ୍ଟ କରିବା ଲାଗି ରାତି ଦିନକୁ ଏକ କରି ଦେଇଛନ୍ତି । ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ବାପାଙ୍କ ଆସନରୁ ବିଜୟୀ ହେବା ପାଇଁ ରାତି ଦିନ ପ୍ରଚାର କରୁଛନ୍ତି । ହାତରେ କମ୍ ସମୟ ଥିବାରୁ, ରାତିରେ ବି ବର୍ଷା ପ୍ରଚାର କରୁଥିବା ନଜରକୁ ଆସିଛି । ପ୍ରଚାରବେଳେ ବାପାଙ୍କ କଥା ମନେ ପକାଇ ବର୍ଷା କନ୍ଦୁଥିବାବେଳେ ପଦ୍ମପୁରରେ ଅନୁକମ୍ପା ମୂଳକ ଭୋଟ୍ ବର୍ଷାଙ୍କ ପାଇଁ ବଡ଼ ଭୂମିକା ନେବ ବୋଲି ସାଧାରଣରେ ପ୍ରକାଶ ପାଇଛି ।
ଏହି ମଧ୍ୟରେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ବି ନିଜର ସମର୍ଥକଙ୍କ ସହ ଗାଁ ଗାଁ ବୁଲି ପ୍ରଚାର କରୁଛନ୍ତି । ପ୍ରଚାରବେଳେ ଲୋକଙ୍କ ଦୁଃଖସୁଖ ପଚାରି ବୁଝୁଛନ୍ତି । ଯାହା ବେଶ ଭାଇରାଲ ହେଉଛି । ନିର୍ବାଚନ ସମୟ ପାଖେଇ ଆସୁଥିବାରୁ, ଆଗକୁ ଏହି ପ୍ରଚାର ଆହୁରି ଜୋରଦାର ହେବ ବୋଲି ଅନୁମାନ କରାଯାଉଛି । ସେପଟେ ବିଜେଡି ମୁଖିଆ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଦଳର ୧୦ ମନ୍ତ୍ରୀ ଓ ୨୯ ଜଣ ବରିଷ୍ଠ ନେତା ଓ ବିଧାୟକ ପଦ୍ମପୁରରେ ପ୍ରଚାରର ମଙ୍ଗ ଧରିବେ । ସେହିପରି ବିଜେପି ପକ୍ଷରୁ ୪ କେନ୍ଦ୍ରମନ୍ତ୍ରୀଙ୍କ ନେତୃତ୍ୱରେ ଦଳର ବରିଷ୍ଠ ନେତା-କର୍ମୀ, ସଙ୍ଗଠକମାନେ ପଦ୍ମପୁରରେ ପ୍ରଦୀପଙ୍କ ପାଇଁ ପ୍ରଚାର ମଙ୍ଗ ଧରିବେ । ବଡ଼ କଥା ହେଲା ପଦ୍ମପୁରରେ ଚାଷୀଙ୍କ ଭୋଟ୍ ମୁଖ୍ୟ ଭୂମିକା ନିର୍ବାହ କରିବା ଏକ ପ୍ରକାର ନିଶ୍ଚିତ ଥିବାବେଳେ ବିଜେପି ପକ୍ଷରୁ କେନ୍ଦ୍ର କୃଷିମନ୍ତ୍ରୀଙ୍କୁ ନିଜ ଷ୍ଟାର ପ୍ରଚାରକ ଭାବେ ସାମିଲ କରିଛି । ଯାହା ଉପନିର୍ବାଚନରେ ବଡ଼ ଭୂମିକା ନିର୍ବାହ କରିବ ବୋଲି ରାଜନୈତିକ ସମୀକ୍ଷକ ମାନେ ଆଲୋଚନା କରିଛନ୍ତି ।
ଅନ୍ୟପଟେ ବିଜେଡି ଓ ବିଜେପି ପରେ କଂଗ୍ରେସ ନିଜର ଷ୍ଟାର ପ୍ରଚାରକଙ୍କ ନାଁ ଘୋଷଣା କରିଛି । କଂଗ୍ରେସର ପ୍ରାର୍ଥୀ ସତ୍ୟଭୂଷଣ ସାହୁଙ୍କ ପାଇଁ ୪୦ ଜଣିଆ ପ୍ରଚାରକ ତାଲିକାରେ ଓଡ଼ିଶା ପ୍ରଭାରୀ ଡ. ଏ ଚେଲ୍ଲା କୁମାର, ସହପ୍ରଭାରୀ ଜି ରୁଦ୍ର ରାଜୁ, ପିସିସି ସଭାପତି ଶରତ ପଟ୍ଟନାୟକ ଓ ବିଧାୟକ ନରସିଂହ ମିଶ୍ର ସାମିଲ ଅଛନ୍ତି । ସେହିପରି ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, କାର୍ଯ୍ୟକାରୀ ସଭାପତି ଚିରଞ୍ଜିବୀ ବିଶ୍ୱାଲ, ସନ୍ତୋଷ ସିଂ ସାଲୁଜା, ତାରାପ୍ରସାଦ ବାହିନୀପତି, ଦାଶରଥୀ ଗମାଙ୍ଗୋ, ଅଧୀରାଜ ମୋହନ ପାଣିଗ୍ରାହୀ, ସିଏସ୍ ରଂଜନ ଏକ୍କା, ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ପ୍ରମୁଖ ଷ୍ଟାର ପ୍ରଚାରକ ତାଲିକାରେ ରହିଛନ୍ତି । କଂଗ୍ରେସ ପକ୍ଷରୁ ଏଯାବତ୍ ପଦ୍ମପୁର ଉପନିର୍ବାଚନ ପାଇଁ କ୍ୟାମ୍ପେନ ଆରମ୍ଭ ହୋଇନଥିବା ବେଳେ ଖୁବ୍ଶୀଘ୍ର ଦଳ ରଣନୀତି ପ୍ରସ୍ତୁତ କରି କ୍ୟାମ୍ପେନ ଆରମ୍ଭ କରିବ ବୋଲି ପିସିସି ସଭାପତି କହିଛନ୍ତି ।