ବିଜିଂରେ ସେମି-ଲକ୍ଡାଉନ୍: ସ୍ଥିତି ଗମ୍ଭୀର
ବିଜିଂ(ଏଜେନ୍ସି): ଚୀନ୍ରେ କରୋନା ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ବଢ଼ିବା ଫଳରେ ସ୍ଥିତି ଗମ୍ଭୀର ହୋଇଛି । ରାଜଧାନୀରେ ଦିନକରେ ୫୧୫ ଏବଂ ଦେଶସାରା ୨୫ ହଜାରରୁ ଅଧିକ ମାମଲା ରେକର୍ଡ କରାଯିବା ପରେ ବିଜିଂରେ ଆଂଶିକ ଲକ୍ଡାଉନ୍ ଲାଗୁ କରାଯାଇଛି । ମହାନଗରୀର ଲକ୍ଷ ଲକ୍ଷ ଅଧିବାସୀଙ୍କୁ ଅନ୍ୟାଦେଶ ପର୍ଯ୍ୟନ୍ତ ଘରୁ ନ ବାହାରିବା ପାଇଁ ପରାମର୍ଶ ଦିଆଯାଇଛି । ଯଦି କେହି ଘରୁ ବାହାରନ୍ତି, ୪୮ ଘଣ୍ଟା ଭିତରେ ତାଙ୍କୁ କୋଭିଡ୍ ନେଗେଟିଭ୍ ରିପୋର୍ଟ ଦାଖଲ କରିବାକୁ ହେବ । ଶନିବାର ଠାରୁ ଏହି କଟକଣା ଲାଗୁ ହୋଇଛି । ରାଜଧାନୀର ମୋଟ ୧୮ ଜିଲ୍ଲା ମଧ୍ୟରୁ ସବୁଠୁ ଜନବହୁଳ ଚାଓୟାଙ୍ଗ ଜିଲ୍ଲାରେ ସବୁ କାର୍ଯ୍ୟାଳୟ, ବାଣିଜ୍ୟକେନ୍ଦ୍ର ଓ ହଜାର ହଜାର ଆବାସିକ ଇଲାକାରେ ଲକ୍ଡାଉନ୍ ନିୟମ କଠୋର କରାଯାଇଛି ।
ଚାଓୟାଙ୍ଗ ଛଡ଼ା ଅନ୍ୟାନ୍ୟ ଜିଲ୍ଲା ଯଥା ଡାଙ୍ଗଚେଙ୍ଗ, ଜିଚେଙ୍ଗ, ଟୋଙ୍ଗଝୋଉ, ୟାନକିଙ୍ଗ, ଚାଙ୍ଗପିଙ୍ଗ, ଶୁନୀ ଓ ହେଡିୟନ ଜିଲ୍ଲାର ଲୋକମାନଙ୍କୁ ବାହାରେ ଚଳପ୍ରଚଳ କମାଇବା ସହ ଅନାବଶ୍ୟକ ଯାତ୍ରା ବନ୍ଦ କରିବା ଲାଗି ନିଦେ୍ର୍ଦଶ ଦିଆଯାଇଛି । ମହାମାରୀକୁ ଆୟତ କରିବା ଉଦେ୍ଦଶ୍ୟରେ ବିଜିଂର କେତେକ ପ୍ରମୁଖ ସପିଂମଲ୍ରେ ଡାଇନିଂ ସେବା ବନ୍ଦ କରି ଦିଆଯାଇଛି ।
ଉଲ୍ଲେଖଯୋଗ୍ୟ ଯେ ଚଳିତ ମାସ ଆରମ୍ଭରେ ଚୀନ୍ ସରକାର ଜିରୋ-କୋଭିଡ୍ ନୀତି ସାମାନ୍ୟ କୋହଳ କରିଥିଲେ । ସର୍କିଟ୍ ବ୍ରେକର ନୀତି ଅନୁଯାୟୀ ସବୁ ଆନ୍ତର୍ଜାତିକ ବିମାନ ଚଳାଚଳ ବାତିଲ କରି ଦିଆଯାଇଥିଲା । ତାହାକୁ ଏ ଭିତରେ ଉଠାଇ ଦିଆଯିବା ସହ ବିଦେଶରୁ ଆସୁଥିବା ଯାତ୍ରୀଙ୍କ ପାଇଁ କ୍ୱାରାଣ୍ଟିନ ଅବଧିକୁ ୧୦ରୁ ୮ ଦିନକୁ କମାଇ ଦିଆଯାଇଛି ।