ଆଜିଠୁ ଫୁଟ୍ବଲ୍ ବିଶ୍ୱକପ୍

କତର-ଇକ୍ୱେଡର୍ ଉଦ୍ଘାଟନୀ ମୁକାବିଲା
ଦୋହା, ୧୯ା୧୧ (ଏଜେନ୍ସି): କ୍ରୀଡ଼ାପ୍ରେମୀଙ୍କ ଦୀର୍ଘ ପ୍ରତୀକ୍ଷାର ଅବସାନ ଘଟିବାକୁ ଯାଉଛି । ରବିବାର ଠାରୁ ଆରମ୍ଭ ହୋଇଯିବ ବିଶ୍ୱ ଫୁଟ୍ବଲ୍ର ସର୍ବୋଚ୍ଚ ପ୍ରତିଯୋଗିତା ‘ଫିଫା ବିଶ୍ୱକପ୍ ୨୦୨୨’ । ୨୯ ଦିନ ଯାଏଁ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ଡିସେମ୍ବର ୧୮ରେ ଖେଳାଯିବ । ମୋଟ୍ ୩୨ ଟିମ୍ ପ୍ରତିଯୋଗିତାରେ ଭାଗ ନେଉଛନ୍ତି ଏବଂ ଆଠଟି ଷ୍ଟାଡିୟମ୍ରେ ମୁକାବିଲା ହେବ । ଅଲ୍ ଖୋର୍ସ୍ଥିତ ଅଲ୍ ବାୟତ ଷ୍ଟାଡିୟମ୍ରେ ଆୟୋଜକ କତର ଓ ଇକ୍ୱେଡର୍ ମଧ୍ୟରେ ଉଦ୍ଘାଟନୀ ମୁକାବିଲା ଖେଳାଯିବ ।
୧୯୩୦ରୁ ଆରମ୍ଭ ହୋଇଥିବା ଫୁଟ୍ବଲ୍ ବିଶ୍ୱକପ୍ରେ ଏ ଯାବତ୍ ୨୧ ସଂସ୍କରଣ ଖେଳାଯାଇଛି । ଆଠଟି ରାଷ୍ଟ୍ର ମୁକୁଟ ଜିତିଛନ୍ତି । ଏ ସମସ୍ତ ରାଷ୍ଟ୍ର ଇଉରୋପ ଓ ଦକ୍ଷିଣ ଆମେରିକାର । ବ୍ରାଜିଲ୍ (୧୯୫୮, ୧୯୬୨, ୧୯୭୦, ୧୯୯୪ ଓ ୨୦୦୬) ସର୍ବାଧିକ ପାଞ୍ଚ ଥର ବିଜେତା ହୋଇଥିବା ବେଳେ ଇଟାଲୀ (୧୯୩୪, ୧୯୩୮, ୧୯୮୨ ଓ ୨୦୦୬), ଜର୍ମାନୀ (୧୯୫୪, ୧୯୭୪, ୧୯୯୦, ୨୦୧୪), ଚାରି ଥର ଲେଖାଏଁ; ଉରୁଗୁଏ (୧୯୩୦, ୧୯୫୦), ଆର୍ଜେଣ୍ଟିନା (୧୯୭୮, ୧୯୮୬) ଓ ଫ୍ରାନ୍ସ (୧୯୯୮, ୨୦୧୮) ଦୁଇ ଥର ଲେଖାଏଁ ଏବଂ ଇଂଲଣ୍ଡ (୧୯୬୬) ଓ ସ୍ପେନ୍ (୨୦୧୦) ଥରେ ଲେଖାଏଁ ମୁକୁଟ ଜିତିବାର ଗୌରବ ଅର୍ଜନ କରିଛନ୍ତି ।
ଏଥର ବି ଇଟାଲୀ ଟିମ୍କୁ ବିଶ୍ୱକପ୍ରେ ଦେଖିବାକୁ ମିଳିବନି । ଇଟାଲୀୟ ଟିମ୍ ଲଗାତାର ଦ୍ୱିତୀୟ ବିଶ୍ୱକପ୍ ପାଇଁ ଯୋଗ୍ୟତା ହାସଲ କରିପାରି ନ ଥିଲା । ଅତୀତରେ ଇଟାଲୀ ଚାରି ଥର ବିଶ୍ୱକପ୍ ଜିତିଥିଲା । ଆୟୋଜକ ହୋଇଥିବା ଦୃଷ୍ଟିରୁ କତର ପ୍ରଥମ ଥର ମହାସମରରେ ଭାଗ ନେଇଛି । ଭାଗ ନେଉଥିବା ୩୨ ଟିମ୍ ମଧ୍ୟରେ କେବଳ ୭ ଟିମ୍ ଏ ଯାଏଁ ବିଶ୍ୱକପ୍ ମୁକୁଟ ଜିତିପାରିଛନ୍ତି ।
ବିଶ୍ୱର ନାମୀ ଫୁଟ୍ବଲର୍ ଆର୍ଜେଣ୍ଟିନାର ଲିଓନେଲ୍ ମେସୀ, ପର୍ତ୍ତୁଗାଲ୍ର କ୍ରିଷ୍ଟିଆନୋ ରୋନାଲ୍ଡୋ ଓ ବ୍ରାଜିଲ୍ର ନେମାରଙ୍କ ସମେତ ଅନେକ ତାରକା ଖେଳାଳି ମଇଦାନରେ ନିଜ ଯାଦୁ ଦେଖାଇବା ପାଇଁ ବ୍ୟଗ୍ର ଅଛନ୍ତି । ଏ ସମୟରେ ଅନେକ କୀର୍ତ୍ତିମାନ ଭାଙ୍ଗିବା ସହିତ ନୂଆ କୀର୍ତ୍ତିମାନ ସ୍ଥାପନ ହୋଇପାରେ । ମେସୀ ଓ ରୋନାଲ୍ଡୋ ପାଞ୍ଚ ବିଶ୍ୱକପ୍ ଖେଳିଥିବା ଖେଳାଳିଙ୍କ ତାଲିକାରେ ସାମିଲ୍ ହୋଇଯିବେ ।
ବ୍ରାଜିଲ୍, ଆର୍ଜେଣ୍ଟିନା, ଡିଫେଣ୍ଡିଂ ଚାମ୍ପିଅନ୍ ଫ୍ରାନ୍ସ, ଇଂଲଣ୍ଡ, ଜର୍ମାନୀ ପ୍ରମୁଖ ମୁକୁଟ ଦୌଡ଼ରେ ରହିଥିବା ବେଳେ ପର୍ତ୍ତୁଗାଲ୍ ମଧ୍ୟ ପ୍ରଥମ ମୁକୁଟ ଜିତିବା ଲକ୍ଷ୍ୟରେ ରହିଛି । ଲିଓନେଲ୍ ମେସିଙ୍କ ପାଇଁ ଏହା ଶେଷ ବିଶ୍ୱକପ୍ । ଆହୁରି ଅନେକ ଖେଳାଳି ମଧ୍ୟ ସେମାନଙ୍କ କ୍ୟାରିଅରର ଶେଷ ବିଶ୍ୱକପ୍ ଖେଳିପାରନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *