ଭିତ୍ତିଭୂମି ସ୍ଥିତି ପରଖିଲେ ଜିଲ୍ଲାପାଳ
ନୂଆରୂପ ନେବ ମଙ୍ଗଳା ମନ୍ଦିର
ପୁରୀ/କାକଟପୁର (ବୁ୍ୟରୋ): ରାଜ୍ୟର ବିଭିନ୍ନ ଦେବାଳୟ ଉନ୍ନତୀକରଣ କରାଯାଉଛି । ଏହାରି ମଧ୍ୟରେ ଓଡ଼ିଶାର ଅନ୍ୟତମ କାକଟପୁର ମା’ ମଙ୍ଗଳାଙ୍କ ମନ୍ଦିରର ହେବ ଉନ୍ନତୀକରଣ । ଏନେଇ ପୂର୍ବରୁ ଚାରି ଚାରିଥର ଦ୍ରୋନ୍ କ୍ୟାମେରାରେ ମନ୍ଦିର ଚତୁର୍ପାଶ୍ୱର୍ର ବ୍ଲୁ-ପ୍ରିଣ୍ଟ୍ ପ୍ରସ୍ତୁତ କରାଯାଇଛି । ଏହାରି ମଧ୍ୟରେ ଶନିବାର ପୂର୍ବାହ୍ନରେ ଜିଲ୍ଲାପାଳ ସମର୍ଥ ବର୍ମା କାକଟପୁର ଗସ୍ତରେ ଆସି ମା’ ମଙ୍ଗଳା ମନ୍ଦିରର ଭିତ୍ତିଭୂମିର ଉନ୍ନତୀକରଣ ଲାଗି ବିଭିନ୍ନ ସେବାୟତମାନଙ୍କ ସହ ଆଲୋଚନା କରିଛନ୍ତି । ତତ୍ସହିତ ମନ୍ଦିରର ଚତୁର୍ପାଶ୍ୱର୍ରେ ରହିଥିବା ଜବରଦଖଲକୁ ଉଚ୍ଛେଦ କରିବା ସହ ରାସ୍ତା ପ୍ରଶସ୍ତୀକରଣ କରାଯିବ । ଭକ୍ତଙ୍କ ନିମନ୍ତେ ପାର୍କିଂ, ବିଶୁଦ୍ଧ ପାନୀୟ, ଶୌଚାଳୟ ଓ ରାତ୍ର ରହଣି ଲାଗି ଯାତ୍ରୀ ନିବାସ ନିର୍ମାଣ କରାଯିବ ବୋଲି ଜଣାପଡ଼ିଛି । ଜିଲ୍ଲାପାଳ ଶ୍ରୀ ବର୍ମା ଭିତ୍ତିଭୂମିର ସ୍ଥିତି ପରଖିବା ସହ ସେବାୟତଙ୍କଠାରୁ ମନ୍ଦିରର ସୁବିଧା ଅସୁବିଧା ସମ୍ପର୍କରେ ବୁଝିଥିଲେ ।
ପୁରୀ ଜିଲ୍ଲା କାକଟପୁର ବ୍ଲକ୍ର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳା ଓଡ଼ିଶାର ପ୍ରସିଦ୍ଧ ଶକ୍ତି ପୀଠ ରୁପେ ପରିଚିତ । ଯେଉଁଠିକୁ ବର୍ଷ ତମାମ ଆସନ୍ତି ରାଜ୍ୟ ଓ ରାଜ୍ୟ ବାହାରୁ ଅନେକ ପର୍ଯ୍ୟଟକ । ବର୍ତ୍ତମାନ ପୁରାତନ ଶକ୍ତି ପୀଠ ସମ୍ପୂର୍ଣ୍ଣ ଜରାଜୀର୍ଣ୍ଣ ଅବସ୍ଥାରେ । ଆଗରୁ ଗଣମାଧ୍ୟମରେ ମଙ୍ଗଳା ମନ୍ଦିରର ଅନେକ ସମସ୍ୟାକୁ ନେଇ ଖବର ପ୍ରସାରଣ ହୋଇଥିଲା । ଫଳରେ ଶନିବାର ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା କାକଟପୁର ଗସ୍ତ କରି ମନ୍ଦିରର ସୌନ୍ଦର୍ଯ୍ୟକରଣ ଓ ଚତୁଃପାଶ୍ୱର୍ ପରିଦର୍ଶନ କରିଥିଲେ । ଅନେକ ସମୟରେ ରାଜ୍ୟର ଅନେକ ଶକ୍ତି ପୀଠକୁ ୫-ଟି ସଚିବ ଗସ୍ତ କରି ଉକ୍ତ ପୀଠର ସୌନ୍ଦର୍ଯ୍ୟକରଣ ଓ ବିକାଶ ପାଇଁ ଅନେକ ପଦକ୍ଷେପ ନେଉଥିବା ବେଳେ ଜଗନାଥ ସଂସ୍କୃତି ସହିତ ଜଡ଼ିତ ଐତିହ୍ୟ ଶକ୍ତି ପୀଠ ମା’ ମଙ୍ଗଳାଙ୍କ ପ୍ରତି କାହିଁକି ଏତେ ଦିନ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ଦୃଷ୍ଟି ପଡୁନି ତାହାକୁ ନେଇ କିଛି ସେବାୟତ ଦାବି ଉପସ୍ଥାପନା କରିଥିଲେ । ସେବାୟତଙ୍କ ଦାବିରେ ଜିଲ୍ଲାପାଳ ତୁରନ୍ତ ମଙ୍ଗଳା ମନ୍ଦିରର ବିକାଶ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ । କାକଟପୁର ସରପଞ୍ଚ ପାର୍କିଂ ଓ ଆଇନ ସୁରକ୍ଷା ପାଇଁ ଏକ ଫାଣ୍ଡି ନିର୍ମାଣ କରିବାକୁ ଜିଲ୍ଲାପାଳଙ୍କୁ ପ୍ରସ୍ତାବ ଦେଇଥିଲେ ।