ଜରାଜୀର୍ଣ୍ଣ ଅବସ୍ଥାରେ ଜରିଆ ନଦୀ

ମାହାଙ୍ଗା (ଆପ୍ର): ମାହାଙ୍ଗାର ଐତିହାସିକ କ୍ଷେତ୍ର ହେଉଛି ବିନୋଦ ବିହାରୀ ପୀଠ । ପୀଠକୁ ଲାଗି ରହିଛି ପବିତ୍ର ପୂଣ୍ୟତୋୟା ଜରୀଆଝିଲ୍ଲୀ ବା ଜରୀଆ ନଦୀ । ବୈଶାଖ ପୂର୍ଣ୍ଣିମାରେ ଜରୀଆ ଗର୍ଭରେ ଚାପ ଖେଳ ସାରା ଓଡ଼ିଶାରେ ବିନୋଦବିହାରୀ ଚାଚେରି ନାମରେ ସୁଖ୍ୟାତ । ହଜାର ହଜାର ଶ୍ରଦ୍ଧାଳୁ ସେଦିନ ନୌକା ବିହାର ଦେଖୃବାକୁ ଆସିଥାନ୍ତି । ସରକାରୀ ଖାତା ନଂ ୯୪୦, ଆବାଦ ଅଯୋଗ୍ୟ ଅନାବାଦି କିସମ ନଦୀ ମୌଜା ମାହାଙ୍ଗାରେ ଥିବା ପ୍ଲଟ ନମ୍ବର ୫୨୭, ୩୩୮, ୩୮୧, ୨୮ ମୋଟ ୨୬ ଏକର ଅଂଚଳକୁ ନେଇ ଏହି ଜରୀଆ ନଦୀ । ଏକ ନଦୀଦ୍ୱାରା ପାଇକରାପୁରଠାରେ ଗୋବରୀନଦୀ ସହିତ ସଞ୍ଜୋଗ ହୋଇଛି । ମାହାଙ୍ଗା ସ୍ଥିତି ପବିତ୍ର ଜରୀଆଝିଲ୍ଲୀ ତଟରେ ଗତ ୨୩.୧୧.୨୦୧୮ ରିଖରେ ଏକ ନୌକା ବିହାର କେନ୍ଦ୍ରକୁ ଆଇନମନ୍ତ୍ରୀ ପ୍ରତାପ ଜେନା ଉଦ୍ଘାଟନ କରିଥିଲେ । ଉଦ୍ଘାଟନର ତିନି ବର୍ଷ ପରେ ଏହି ନୌକାବିହାର କେନ୍ଦ୍ରଟି ଏବେ ଅଚଳ ହୋଇପଡିଛି । ଜରୀଆ ଝିଲ୍ଲୀଟି ପ୍ରଶାସନର ଆନ୍ତରିକତା ଅଭାବରୁ ଦଳପୂର୍ଣ୍ଣ ହୋଇ ପଡିଛି । ଏଠାରେ ସଫେଇ ହେଉ ନାହିଁ କି ନୌକା ଚାଳନା ମଧ୍ୟ ହେଉନାହିଁ ।
ଏ ସମ୍ପର୍କରେ ପୂର୍ବତନ ସରପଞ୍ଚ ପ୍ରଦୀପ୍ତ କୁମାର ସିଂହ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ୩ ବର୍ଷ ମଧ୍ୟରେ ମାହାଙ୍ଗା ପଞ୍ଚାୟତ ଏହି ନୌକା ବିହାର କେନ୍ଦ୍ରରୁ ୩୦ ହଜାରରୁ ଅଧିକ ଟଙ୍କା ରାଜସ୍ୱ ଆଦାୟ କରିଛି । ଉଦ୍ଘାଟନ ସମୟରେ ୯ ଲକ୍ଷ ଟଙ୍କା ବ୍ୟୟରେ ଏହି ନୌବିହାର କେନ୍ଦ୍ର ଗଠନ କରାଯାଇଛି । ବର୍ତ୍ତମାନ ୪ ବୋଟ୍ ଅସୁରକ୍ଷିତ ଭାବରେ ପଡି ରହିଥିବା ବେଳେ ଜରୀଆଝିଲୀକୁ ସଫେଇ କରିବା ପାଇଁ ବ୍ଲକ୍ ପ୍ରଶାସନ ଅନୁମତି ପ୍ରଦାନ କରୁ ନ ଥିବା ସରପଂଚ ସୂଚନା ଦେଇଛନ୍ତି । ଏହି ବୋଟ୍ କିଣିବା ପାଇଁ ପଂଚାୟତ ୧.୫ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲା ବେଳେ ତିନି ଲକ୍ଷ ଟଙ୍କା ବ୍ୟୟରେ ବୋଟ୍ ରହଣିର ବ୍ୟବସ୍ଥା କରାଯାଇଥିଲା । ବିଧାୟକ ପାଣ୍ଠିରୁ ଦଳ ସଫେଇ କରାଯାଇଥିଲା । ହେଲେ କାହା ଇଙ୍ଗିତରେ ବ୍ଲକ୍ ପ୍ରଶାସନ ମାହାଙ୍ଗାର ଏଭଳି ଏକ ନୌକା ବିହାର କେନ୍ଦ୍ରକୁ ପରୋକ୍ଷରେ ଅଚଳ କରିଦେଇଛନ୍ତି । ଜରୀଆଝିଲ୍ଲୀର ଅବସ୍ଥା ଦେଖିଲେ ଯେ କେହି କ୍ଷୋଭ ପ୍ରକାଶ କରିବ । ତୁରନ୍ତ ଜରୀଆଝିଲ୍ଲୀକୁ ଦଳ ସଫେଇ ସହ ପୂର୍ବାବସ୍ଥାକୁ ଫେରାଇ ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣଙ୍କ ଦାବି ରହିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *