ପୁରୀ-ଭୁବନେଶ୍ୱର ଏକ୍ସପ୍ରେସ୍ୱେ
ଭୁବନେଶ୍ୱର, ୧୯ା୧୧ (ବୁ୍ୟରୋ): ରାଜ୍ୟରେ ଗମନାଗମନ ଭିତ୍ତିଭୂମିରେ ଯୋଡ଼ିହେବ ଆଉ ଏକ ନୂଆ ଅଧ୍ୟାୟ । ରାଜ୍ୟରେ ପ୍ରଥମ ଥର ପାଇଁ ଦୁଇ ବିମାନବନ୍ଦରକୁ ସଂଯୋଗ କରିବା ପାଇଁ ଏକ୍ସପ୍ରେସ୍-ୱେ ନିର୍ମାଣ କରାଯିବ । ଏଥିପାଇଁ ରାଜ୍ୟ ସରକାର ବିଧିବଦ୍ଧ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏନେଇ ଆଗତ ପ୍ରସ୍ତାବ ଉପରେ ପୂର୍ତ୍ତ ବିଭାଗ ପକ୍ଷରୁ ପ୍ରାରମ୍ଭିକ କାର୍ଯ୍ୟ ଆରମ୍ଭ ହୋଇ ସରକାରଙ୍କୁ ଅନୁମୋଦନ ପାଇଁ ପଠାଯାଇଛି ।
ସୂଚନା ଅନୁସାରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦର ଏବଂ ପୁରୀରେ ପ୍ରସ୍ତାବିତ ବିମାନବନ୍ଦରକୁ ସଂଯୋଗ କରିବା ପାଇଁ ଏକ ଏକ୍ସପ୍ରେସ୍-ୱେ ନିର୍ମାଣ କରାଯିବ । ଫଳରେ ଭୁବନେଶ୍ୱର-ପୁରୀ ମଧ୍ୟରେ ଦୂରତା ୬୬ କିମିରୁ ୫୭ କିମିକୁ ହ୍ରାସ ପାଇବ । ଏହି ଏକ୍ସପ୍ରେସ୍-ୱେ’ରେ ଗାଡ଼ି ଘଣ୍ଟା ପ୍ରତି ୧୨୦ କିମି ବେଗରେ ଧାଇଁବ । ଫଳରେ ଯାତ୍ରା ସମୟ ୧ ଘଣ୍ଟା ୩୦ ମିନିଟରୁ ହ୍ରାସ ପାଇବ । ପ୍ରକଳ୍ପ ପାଇଁ ୩୬୦୦ କୋଟି ଟଙ୍କାର ବ୍ୟୟ ଅଟକଳ ପ୍ରସ୍ତୁତ ହୋଇଥିଲାବେଳେ ଏଥିରୁ ଜମି ଅଧିଗ୍ରହଣ ପାଇଁ ୧୦୧୦ କୋଟି ଟଙ୍କା ବ୍ୟୟ କରାଯିବ । ଏକ୍ସପ୍ରେସ୍-ୱେ ନିର୍ମାଣ ପାଇଁ ୧୨୭୩ ଏକର ଜମି ଅଧିଗ୍ରହଣ ଆବଶ୍ୟକ ପଡ଼ିବ । ଭବିଷ୍ୟତରେ ଏହା ମେଟ୍ରୋରେଲ୍ ସିଷ୍ଟମ୍ ସହ ଯୋଡ଼ିହେବ ।
ପୁରୀରେ ଗ୍ରୀନ୍ଫିଲ୍ଡ ବିମାନବନ୍ଦର ନିର୍ମାଣ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଏହାକୁ ଆଉ ଏକପାଦ ଆଗକୁ ନେବା ପାଇଁ ସରକାରୀ ସ୍ତରରେ ଯୋଜନା ହୋଇଛି । ବିଶ୍ୱପ୍ରସିଦ୍ଧ ପୁରୀ ସହର ଏବଂ ଭୁବନେଶ୍ୱର ମଧ୍ୟରେ ଦୂରତା ହ୍ରାସ କରିବା ଉପରେ ଗୁରୁତ୍ୱ ଦେଇ ଏକ୍ସପ୍ରେସ୍-ୱେ ନିର୍ମାଣ ପାଇଁ ପୂର୍ତ୍ତ ବିଭାଗ ରଣନୀତି ପ୍ରସ୍ତୁତ କରିଛି । ସମ୍ପ୍ରତି ଭୁବନେଶ୍ୱର-ପୁରୀ ମଧ୍ୟରେ ୩୧୬ ନଂ ଜାତୀୟ ରାଜପଥ ଏକମାତ୍ର ସଡ଼କ ପଥ ଭାବେ କାର୍ଯ୍ୟ କରୁଛି । ପ୍ରତି ବର୍ଷ ପୁରୀକୁ ଆଗନ୍ତୁକଙ୍କ ସଂଖ୍ୟା ବୃଦ୍ଧି ପରିପ୍ରେକ୍ଷୀରେ ଏହି ରାଜପଥରେ ଗତିରୋଧ ହେଉଛି । ଦୁଇ ସହର ମଧ୍ୟରେ ଯାଇଥିବା ଜାତୀୟ ରାଜପଥରେ ଅନେକ ଜନବସତି, ବଜାର, ହାଟ ଆଦି ରହିଛି ।
ସେହିପରି ରଥଯାତ୍ରା ଏବଂ ଅନ୍ୟ ସମୟରେ ରାସ୍ତାରେ ଅହେତୁକ ଭିଡ଼ ପରିଲକ୍ଷିତ ହେଉଛି । ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ଓ ପୁରୀ ବିମାନବନ୍ଦରକୁ ଯୋଡ଼ିବା ପାଇଁ ଏକ୍ସପ୍ରେସ୍-ୱେ ନିର୍ମାଣ ପାଇଁ ଯୋଜନା ହୋଇଛି । ଏଥିପାଇଁ ଜମି ଚିହ୍ନଟ କରାଯାଇ ଥିବାବେଳେ ଅଧିଗ୍ରହଣ ପାଇଁ ଆକଳନ କରାଯାଇଛି । ଏକ୍ସପ୍ରେସ୍-ୱେ ୩୧୬ ଜାତୀୟ ରାଜପଥଠାରୁ କିଛି ଦୂରତାରେ ଯିବ । ଏକ୍ସପ୍ରେସ୍-ୱେ ଭୁବନେଶ୍ୱର ବିମାନବନ୍ଦରରୁ ବାହାରି ଜଟଣୀ, ଡେଲାଙ୍ଗ, ସାକ୍ଷୀଗୋପାଳ ଦେଇ ପୁରୀ ଗୋରୁଆଳ ସ୍ଥିତ ପ୍ରସ୍ତାବିତ ଗ୍ରୀନ୍ଫିଲ୍ଡ ଏୟାରପୋର୍ଟ ନିକଟରେ ପହଞ୍ଚିବ । ସିଧାସଳଖ ପୁରୀ-ଭୁବନେଶ୍ୱର ମଧ୍ୟରେ ଯାତ୍ରା ପାଇଁ ଏହା ଅନୁକୂଳ ପରିବେଶ ସୃଷ୍ଟି କରିବ ବୋଲି ଏହି ଅବସରରେ ପ୍ରକାଶ ପାଇଛି ।