ଦୁର୍ଦ୍ଦଶା ଭୋଗୁଛନ୍ତି ସ୍ଥାନୀୟ ବାସିନ୍ଦା ଓ ପର୍ଯ୍ୟଟକ

ବଡ଼ଦାଣ୍ଡରେ ଉଠା ବ୍ୟବସାୟୀ ଥଇଥାନ ଯୋଜନା ଫେଲ୍
ପୁରୀ (ବୁ୍ୟରୋ): ଶ୍ରୀମନ୍ଦିରର ସିଂହଦ୍ୱାର ଓ ବଡ଼ଦାଣ୍ଡକୁ ସରସ ସୁନ୍ଦର କରିବା ପାଇଁ ଜିଲ୍ଲା ପ୍ରଶାସନ କିଛି ଦିନ ଧରି ଉଦ୍ୟମ ଆରମ୍ଭ କରିଛି । ସେଥିପାଇଁ ସିଂହଦ୍ୱାର ଠାରୁ ଆରମ୍ଭ କରି ଶ୍ରୀନଅର ପର୍ଯ୍ୟନ୍ତ ବଡ଼ଦାଣ୍ଡର ଦୁଇ ପାଶ୍ୱର୍ରେ ଉଠା ବ୍ୟବସାୟୀମାନେ ବ୍ୟବସାୟ କରି ସେମାନଙ୍କ ପରିବାର ପ୍ରତିପୋଷଣ କରୁଥିଲେ । ସେମାନଙ୍କୁ ବିନା ଥଇଥାନରେ ପ୍ରଥମେ ଉଚ୍ଛେଦ କରାଗଲା । ଫଳରେ ଏହାକୁ ନେଇ ବ୍ୟବସାୟୀ ସଙ୍ଘ ଓ ପ୍ରଶାସନ ମଧ୍ୟରେ ମୁହାମୁହିଁ ପରିସ୍ଥିତ ସୃଷ୍ଟି ହୋଇଥିଲା । ଏହାକୁ ପ୍ରଶାସନ ଗୁରୁତର ଭାବେ ଗ୍ରହଣ କରି ସେମାନଙ୍କୁ ଥଇଥାନ କରାଯିବ ବୋଲି ଘୋଷଣା କରିଥିଲା । ପରେ ସେମାନଙ୍କୁ ଶ୍ରୀନଅର ଠାରୁ ଟାଉନ୍ ଥାନା ପର୍ଯ୍ୟନ୍ତ ବଡ଼ଦାଣ୍ଡର ଉଭୟ ପାଶ୍ୱର୍ରେ ବ୍ୟବସାୟ କରିବାକୁ ଅନୁମତି ଦେଲେ । ସେମାନେ ସେହି ସ୍ଥାନରେ ବ୍ୟବସାୟ ଆରମ୍ଭ କରିବା ଫଳରେ ରାସ୍ତା ସମ୍ପୂର୍ଣ୍ଣ ସଙ୍କୁଚିତ ହେଲା ।
ଅନ୍ୟପକ୍ଷରେ ପ୍ରଶାସନ ସିଂହଦ୍ୱାର ଠାରୁ ଶ୍ରୀନଅର ପର୍ଯ୍ୟନ୍ତ ଖାଲିସ୍ଥାନକୁ ନିଜ ଦଖଲକୁ ନେଇଛି । ସାହିବାସିନ୍ଦା ଓ ପର୍ଯ୍ୟଟକମାନେ ସିଂହଦ୍ୱାରକୁ ଗାଡ଼ି ନେଇ ଯିବାରେ ବାଧା ସୃଷ୍ଟି ହେଉଛି । ସେହିପରି ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖ ସମେତ ଟାଉନ୍ ଥାନା ପର୍ଯ୍ୟନ୍ତ ବଡ଼ଦାଣ୍ଡକୁ ଉଠା ବ୍ୟବସାୟୀମାନେ ନିଜ ଦଖଲକୁ ନେଇଛନ୍ତି ।
ଏପରିକି ଶ୍ରୀମନ୍ଦିରରେ ନୀତିକାନ୍ତି ଦିନ ଓ ଛୁଟି ଦିନରେ ପ୍ରବଳ ଭିଡ଼ ହେଉଥିଲା ବେଳେ ସହରରେ ସମ୍ପୂର୍ଣ୍ଣ ଟ୍ରାଫିକ୍ ଜାମ୍ ହୋଇପଡୁଛି । ଫଳରେ ପୁଲିସ ନାକେଦମ୍ ହେବାକୁ ପଡୁଛି । ଯାହାକୁ ନେଇ ପୁଲିସ ଓ ସ୍ଥାନୀୟ ବ୍ୟବସାୟୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଉଛି । ପ୍ରଶାସନ ଉଚ୍ଛେଦ ପୂର୍ବରୁ ଥଇଥାନ କରି ସେମାନଙ୍କୁ ବଡ଼ଦାଣ୍ଡରେ ଥଇଥାନ କରିବା ଏବଂ ଏକ ଖାଲି ସ୍ଥାନକୁ ନିଜ ଦଖଲରେ ରଖିବା ଫଳରେ ଲୋକ ନାହିଁ ନ ଥିବା ହଇରାଣ ହରକତ ହେଉଛନ୍ତି । ପ୍ରଶାସନିକ ବିଭାଗର ବରିଷ୍ଠ ଅଧିକାରୀ ଓ ନେତାମାନଙ୍କୁ ସବୁ ମାଫ୍ । ସେମାନଙ୍କ ଗାଡ଼ିକୁ ସୁବିଧାରେ ରହୁଥିଲା ବେଳେ ସାଧରଣ ଲୋକ ଓ ସ୍ଥାନୀୟ ବାସିନ୍ଦାମାନେ କଷ୍ଟ ଭୋଗୁଛନ୍ତି । ଏନେଇ ସ୍ଥାନୀୟ ବାସିନ୍ଦାମାନେ ବାରମ୍ବାର ପ୍ରଶାସନ ନିକଟରେ ଅଭିଯୋଗ କଲେ ମଧ୍ୟ ସୁଫଳ ମିଳୁନାହିଁ । ଫଳରେ ଦିନକୁ ଦିନ ଦୁର୍ଦ୍ଦଶା ଭୋଗୁଛନ୍ତି ସ୍ଥାନୀୟ ବାସିନ୍ଦା ଓ ପର୍ଯ୍ୟଟକ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *