ଡିସେମ୍ବର ୨୮ରୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଧାନ କ୍ରୟ
ଧାନ ସଂଗ୍ରହ କମିଟି ବୈଠକ
ଢେଙ୍କାନାଳ (ଆପ୍ର): ଢେଙ୍କାନାଳ ଜିଲ୍ଲାପରିଷଦ ସଭାଗୃହରେ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ସଭାପତିତ୍ୱରେ ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି ।ବୈଠକରେ ସାଂସଦ ମହେଶ ସାହୁ ଯୋଗଦେଇ କୃଷକମାନେ ସୁଦୃଢ ଅର୍ଥିନୀତିର ମେରୁଦଣ୍ଡ ବୋଲି କହିଥିଲେ ।ଆମେ ସମସ୍ତେ କୃଷକ ମାନଙ୍କର ସାଥୀହେବା ଦରକାର,ଜିଲ୍ଲାର ପ୍ରକୃତ କୃଷକ ଭାଇମାନେ ଯେପରି ସହଜରେ ସେମାନଙ୍କର ଧାନ ବିକ୍ରୀ କରିପାରିବେ, ସେଥିପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରିବାକୁ ସାଂସଦ ବିଭାଗୀୟ ଅଧିକାରୀଏବଂ ମିଲରମାନଙ୍କୁ ପରାମର୍ଶ ଦେଇଥିଲେ । ସମସ୍ତ ବର୍ଗର କୃଷକ ମାନଙ୍କ ଠାରୁ ଧାନ କ୍ରୟ କରିବାର ବ୍ୟବସ୍ଥା କରାଯାଇ କିପରି ଶୀଘ୍ର ସେମାନଙ୍କର ପ୍ରାପ୍ୟ ପ୍ରଦାନ କରାଯାଇପାରିବ ସେ ସମ୍ପର୍କରେ ଜିଲ୍ଲାପରିଷଦ ଅଧ୍ୟକ୍ଷା ଅର୍ଚ୍ଚନା ପୁହାଣ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ଧାନ କ୍ରୟ କେନ୍ଦ୍ର ଗୁଡିକରେ ସମ୍ପୃକ୍ତ ଅଧିକାରୀ,ସୋସାଇଟି ଏବଂ ଏସଏସଜି ଗ୍ରୁପର ସଦସ୍ୟ ଏବଂ ମିଲରମାନେ ଧାନ ବିକ୍ରୀ କରିବାକୁ ଆସିଥିବା ଚାଷୀମାନଙ୍କ ପ୍ରତି ଉଚିତ ସମ୍ମାନ ଓ ଉତ୍ତମ ବ୍ୟବହାର କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ ।
ଚଳିତ ବର୍ଷ ଡିସେମ୍ବର ୨୮ରୁ ଧାନ କ୍ରୟ ଆରମ୍ଭ ହୋଇ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଚାଲିବ ବୋଲି ସ୍ଥିର କରାଯାଇଛି । ଜିଲ୍ଲାରେ ଚଳିତ ଖରିଫ ଋତୁରେ ୫୯ ହଜାର ୬୫୪ ଜଣ ଚାଷୀ ଅନଲାଇନ ମାଧ୍ୟମରେ ଧାନ ବିକ୍ରୀ କରିବାକୁ ପଞ୍ଜିକରଣ କରିଛନ୍ତି । ଚାଷୀମାନଙ୍କୁ ଧାନ ବିକ୍ରୀ ପ୍ରାପ୍୍ୟ ଓଡିଶା ରାଜ୍ୟ ସମବାୟ ବ୍ୟାଙ୍କ ଦ୍ୱାରା ୨୪ରୁ ୪୮ ଘଣ୍ଟା ମଧ୍ୟରେ ଅନଲାଇନ ମାଧ୍ୟମରେ ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି । ଚାଷୀ ମାନେ ସେମାନଙ୍କର ଧାନ ସକାଳ ୮ରୁ ଅପରାହ୍ନ ୨ଟା ମଧ୍ୟରେ ମଣ୍ଡିରେ ଜମା ଦେଇପାରିବେ ।ଧାନ ବିକ୍ରୀ ପାଇଁ ପଞ୍ଜିକରଣ କରିଥିବା ଚାଷୀ ମାନଙ୍କର ମୋବାଇଲକୁ ମେସେଜ ପ୍ରଦାନ ସହିତ ଆଗୁଆ ଟୋକେନ ପ୍ରଦାନ କରାଯିବ । ଜିଲ୍ଲାରେ ୧୬ଟି ମିଲରଙ୍କ ଦ୍ୱାରା ପ୍ରଥମ ପର୍ଯ୍ୟାୟରେ ମୋଟ ୭ଲକ୍ଷ ୯୩ ହଜାର ୩ଶହ କ୍ୱିଣ୍ଟାଲ ଧାନ କ୍ରୟ କରାଯିବାର ଲକ୍ଷ୍ୟ ରହିଛି । ସାଧାରଣ ଧାନ ପାଇଁ କ୍ୱିଣ୍ଟାଲ ପ୍ରତି୨ ହଜାର ୪୦ଟଙ୍କା,ଏ ଗ୍ରେଡ ଧାନ ପାଇଁ ୨ ହଜାର ୬ଟଙ୍କା ଧାଯ୍ୟ କରାଯାଇଛି । ଧାନ ସଂଗ୍ରହ ପ୍ରକ୍ରିୟାରେ ଜିଲ୍ଲାର ୫୬ଟି ଏସଏସଜି ଗୁ୍ରପ ସାମିଲ ହୋଇଥିବାବେଳେ ୮୦ଟି କୋଅପରେଟିଭ ସୋସାଇଟ ସହଯୋଗ କରିବେ । ଧାନ ବିକ୍ରୀ ପାଇଁ ଆରଏମସି ପକ୍ଷରୁ ଆନୁସଙ୍ଗିକ ବ୍ୟବସ୍ଥା କରାଯିବା ସହିତ ଚାଷୀ ମାନଙ୍କୁ ପ୍ରଚାର ମାଧ୍ୟମରେ ଅବଗତ କରାଯିବ । ଏହି ବୈଠକରେ ଜିଲ୍ଲାପାଳଙ୍କ ସହିତ ଉପଜିଲ୍ଲାପାଳ ସ୍ନିଗ୍ଧାରାଣୀ ଧଳ,କାମାକ୍ଷାନଗରଉପ ଜିଲ୍ଲାପାଳ ଜ୍ୟୋତି ଶଙ୍କର ସାହୁ,ଜିଲ୍ଲା ପରିଷଦ ଉନ୍ନୟନ ଅଧିକାରୀ ସରୋଜ କୁମାରଦତ୍ତଙ୍କ ସହିତ ବିଭିନ୍ନ ବିଭାଗର ଅଧିକାରୀ, ମିଲର, କୃଷକ ପ୍ରତିନିଧି ମାନେ ଯୋଗ ଦେଇଥିଲେ ।