୫ ମହାନଗର ପାଳିବ ବିଶ୍ୱକପ୍ ଉତ୍ସବ

ହକି ବିଶ୍ୱକପ୍ ଦେଖାଇବ ଓଡ଼ିଶା ବିକାଶ
ଭୁବନେଶ୍ୱର, ୧୮ା୧୧ (ବୁ୍ୟରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ ମନ୍ତ୍ରୀ ପରିଷଦ ଶୁକ୍ରବାର ଅନୁଷ୍ଠିତ ହୋଇଛି । ଏଥିରେ ପୁରୁଷ ହକି ବିଶ୍ୱ କପ୍ ପ୍ରତିଯୋଗିତା ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରାଯାଇଥିଲା । ଏଫ୍ଆଇଏଚ୍ ପୁରୁଷ ବିଶ୍ୱ କପ୍ ହକି-୨୦୨୩, ଭୁବନେଶ୍ୱର ଓ ରାଉରକେଲାରେ ୧୩ ଜାନୁଆରୀରୁ ୨୯ ଜାନୁଆରୀ ୨୦୨୩ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏହି ମର୍ଯ୍ୟାଦାଜନକ ପ୍ରତିଯୋଗିତାରେ ବିଶ୍ୱର ୧୬ ଦଳ ଅଂଶଗ୍ରହଣ କରିବେ । ଭୁବନେଶ୍ୱରରେ ୨୪ ମ୍ୟାଚ ଓ ରାଉରକେଲାରେ ୨୦ ମ୍ୟାଚ ଖେଳାଯିବ ।
ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ମନ୍ତ୍ରୀ ପରିଷଦର ସଦସ୍ୟଙ୍କୁ ବିଶ୍ୱକପ୍ ଆୟୋଜନର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରାଇଥିଲେ । ପ୍ରତିଯୋଗିତା ପାଇଁ ଭୁବନେଶ୍ୱରର କଳିଙ୍ଗ ହକି ଷ୍ଟାଡିଅମ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିଲାବେଳେ ରାଉରକେଲା ବିର୍ସାମୁଣ୍ଡା ହକି ଷ୍ଟାଡିଅମ ନଭେମ୍ବର ଶେଷ ସୁଦ୍ଧା ସମ୍ପୂର୍ଣ୍ଣ ହେବ ବୋଲି ସେ ସୂଚନା ଦେଇଥିଲେ ।
ଉଭୟ ଷ୍ଟାଡିଅମରେ ଆଷ୍ଟ୍ରୋ ଟର୍ଫ ଓ ଫ୍ଲଡ ଲାଇଟ୍ କାମ ଶେଷ ହୋଇଯାଇଛି । ଅଂଶଗ୍ରହଣକାରୀ ଦଳ ଓ ମ୍ୟାଚ ଅଫିସିଆଲଙ୍କ ରହଣୀ ପାଇଁ ୨୨୫ ରୁମ୍ ତିଆରି କାମ ଚାଲିଛି ଏବଂ ଏହା ମଧ୍ୟ ନଭେମ୍ବର ସୁଦ୍ଧା ସମ୍ପୂର୍ଣ୍ଣ ହେବ ।
ଐତିହାସିକ କଟକ ବାରବାଟୀ ଷ୍ଟାଡିଅମ ସମେତ ୫ ମହାନଗର ନିଗମରେ ହକି ବିଶ୍ୱ କପ୍ ଉତ୍ସବ ପାଳନ କରାଯିବ । ଓଡିଶାର ଅଧିକାଂଶ ଜିଲ୍ଲା ସହ ସାରା ଦେଶରେ ଏହି ହକି ବିଶ୍ୱକପ ଟ୍ରଫି ପ୍ରଦର୍ଶନ ଯାତ୍ରା କରାଯିବ । ଏହି ସମୟରେ ଜିଲ୍ଲାସ୍ତରରେ କ୍ରୀଡା ଓ ସାଂସ୍କୃତିକ କାର୍ଯ୍ୟକ୍ରମର ବିକାଶ ପାଇଁ ବିଭିନ୍ନ ପ୍ରକାର ଉତ୍ସବର ଆୟୋଜନ କରାଯିବ । ସ୍କୁଲ, କଲେଜର ପିଲାମାନଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ କରାଯିବ ଏବଂ ସମସ୍ତଙ୍କ ଭିତରେ ବିଶେଷକରି ପିଲାଙ୍କ ଭିତରେ କ୍ରୀଡା ପ୍ରତିଭାର ବିକାଶ ପାଇଁ ପଦକ୍ଷେପ ନିଆଯିବ ।
ପ୍ରତିଯୋଗିତା ଅନୁଷ୍ଠିତ ହେଉଥିବା ରାଉରକେଲା ଓ ଭୁବନେଶ୍ୱର ସହରର ସୌନ୍ଦର୍ଯ୍ୟକରଣ କରାଯିବ । ସବୁ ବିଭାଗ ଏଥିପାଇଁ ପରସ୍ପର ମଧ୍ୟରେ ସମନ୍ୱୟ ରଖି କାର୍ଯ୍ୟ କରୁଛନ୍ତି । ରାଉରକେଲା ବିମାନ ବନ୍ଦରରୁ ନିୟମିତ ବିମାନ ସେବା ଆରମ୍ଭ ହେବ । ତା ସହ ଖେଳାଳୀ ଓ ମ୍ୟାଚ ଅଫିସିଆଲଙ୍କ ଯାତାୟତ ପାଇଁ ଚ୍ୟାଟାର୍ଡ ଫ୍ଲାଇଟ୍ର ବ୍ୟାବସ୍ଥା କରାଯାଇଛି । ଏହି ଅବସରରେ ୧୦୦ ନୂଆ ବସ୍ ସହ ରାଉରକେଲାରେ ମୋ ବସ୍ ସେବା ଆରମ୍ଭ ହେବ । ଆୟୋଜକ କମିଟି ଓ ବିଭିନ୍ନ ସବ୍ କମିଟି ବିଶ୍ୱକପ ହକିର ସଫଳ ଆୟୋଜନ ପାଇଁ ପ୍ରସ୍ତୁତି ଜାରି ରଖିଛନ୍ତି । ଏହାକୁ ସମ୍ପୂର୍ଣ୍ଣ ଅଘଟଣମୁକ୍ତ କରିବା ପାଇଁ ନିରାପତ୍ତା ବ୍ୟବସ୍ଥାକୁ ମଧ୍ୟ ସୁଦୃଢ କରାଯାଇଛି ବୋଲି ଶ୍ରୀ ମହାପାତ୍ର ମନ୍ତ୍ରୀମଣ୍ଡଳକୁ ଅବଗତ କରାଇଥିଲେ ।
ବିଶ୍ୱକପ୍ ହକି ଆୟୋଜନରେ ସାମିଲ ହୋଇଥିବା ସବୁ ବିଭାଗ ଗୁଡିକର ପଦକ୍ଷେପକୁ ମୁଖ୍ୟମନ୍ତ୍ରୀ ଉଚ୍ଚପ୍ରଶଂସା କରିଥିଲେ ଏବଂ ସବୁ କାର୍ଯ୍ୟକୁ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଶେଷ କରିବାକୁ ନିଦେ୍ର୍ଦଶ ଦେଇଥିଲେ । ହକି ବିଶ୍ୱକପ୍ ଯେଭଳି ବିଭିନ୍ନ ଟିମ୍ ଓ ପ୍ରଶଂସକଙ୍କ ନିମନ୍ତେ ଏକ ଭବ୍ୟ ଉତ୍ସବ ଭାବରେ ସ୍ମରଣୀୟ ହୋଇ ରହିବ । ସେଥିପାଇଁ ପରସ୍ପର ମଧ୍ୟରେ ଉତ୍ତମ ସମନ୍ୱୟ ରଖି କାର୍ଯ୍ୟ କରିବାପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *