ମହାରାଷ୍ଟ୍ରରେ ବଦଳିବ ରାଜନୈତିକ ସମୀକରଣ
ତେଜିଲା ସଭରକରଙ୍କ ପ୍ରତି ଅପମାନଜନକ ମନ୍ତବ୍ୟ ବିବାଦ
ମୁମ୍ବାଇ (ଏଜେନ୍ସି): ଦିନକ ପୂର୍ବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ସ୍ୱାଧୀନତା ସଂଗ୍ରାମୀ ବୀର ସଭରକର୍ଙ୍କ ଉଦେ୍ଦଶ୍ୟରେ ଦେଇଥିବା ଅପମାନଜନକ ମନ୍ତବ୍ୟକୁ ନେଇ ଏବେ ମହାରାଷ୍ଟ୍ର ରାଜନୀତିରେ ଝଡ ସୃଷ୍ଟି ହୋଇଛି । ଗୋଟିଏ ପଟେ ବିଜେପି ଏବେ ଏହାକୁ ଏକ ମୁଖ୍ୟ ମୁଦ୍ଦା ଭାବେ ଗ୍ରହଣ କରିଥିବା ବେଳେ ଉଦ୍ଧବ ଠାକ୍ରେଙ୍କ ନେତୃତ୍ୱାଧୀନ ଶିବସେନା ମଧ୍ୟ ରାହୁଲଙ୍କ ମନ୍ତବ୍ୟ ସହ ସହମତ ନଥିବା ଦର୍ଶାଇଛି । ତେବେ ଏତିକିରେ କଥା ଶେଷ ହୋଇନି । ନିଜକୁ ହିନ୍ଦୁବାଦର ରକ୍ଷକ ବାଲାସାହେବ ଠାକ୍ରେଙ୍କ ପ୍ରକୃତ ଉତ୍ତର ଦାୟାଦ ଭାବେ ପ୍ରତିପାଦିତ କରିଆସୁଥିବା ଉଦ୍ଧବଙ୍କ ଶିବସେନା ପାଇଁ ଏବେ କଂଗ୍ରେସ ବୋଝ ସଦୃଶ ହୋଇଛି । ଯଦି କଂଗ୍ରେସ ସହ ଉଦ୍ଧବଙ୍କ ଶିବସେନା କରିଥିବା ମହାବିକାଶ ଅଘାଡି ମେଣ୍ଟକୁ ଭଙ୍ଗ ନକରେ ତେବେ ଉଦ୍ଧବଙ୍କ ପାଇଁ ଏବଂ ତାଙ୍କ ଦଳ ପାଇଁ ଏହା ବଡ଼ କ୍ଷତିକାରକ ସାବ୍ୟସ୍ତ ହୋଇପାରେ ବୋଲି ଉଦ୍ଧବ ଅନୁମାନ କରୁଛନ୍ତି । ଏମିତି ସ୍ଥିତିରେ କଂଗ୍ରେସ ସହ ମେଣ୍ଟ ଭଙ୍ଗ ଉପରେ ଉଦ୍ଧବ ଚିନ୍ତା କରୁଥିବା ସୂଚନା ମିଳିଛି ।
ଦକ୍ଷିଣପନ୍ଥୀ ବିଚାରକ ବିନାୟକ ଦାମୋଦର ସଭରକରଙ୍କ ପ୍ରତି ରାହୁଲଙ୍କ ମନ୍ତବ୍ୟକୁ ନେଇ ବିଜେପି ଏବେ ଶିବସେନାକୁ ଟାର୍ଗେଟ୍ କରୁଛି । ସଭରକରଙ୍କୁ ଜଣେ ହିନ୍ଦୁ ବିଚାରକ ଭାବେ ଇତିହାସରେ ଅଭିହିତ କରାଯାଇଥିବା ଉଦ୍ଧବଙ୍କ ଶିବସେନା କିପରି ଏହାକୁ ବରଦାସ୍ତ କରୁଛି ସେନେଇ ବିଜେପି ନେତା ତଥା ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ ପ୍ରଶ୍ନ କରୁଛନ୍ତି । ଅନ୍ୟପକ୍ଷେ ଉଦ୍ଧବଙ୍କ ଗୋଷ୍ଠୀର ମଧ୍ୟ ଅନେକ ନେତା ସଭରକରଙ୍କ ପ୍ରତି ଏପ୍ରକାର ମନ୍ତବ୍ୟକୁ ନାପସନ୍ଦ କରିବା ସହ କଂଗ୍ରେସ ଠାରୁ ମେଣ୍ଟ ସମ୍ପର୍କ ତୁଟାଇବାକୁ ଉଦ୍ଧବଙ୍କ ଉପରେ ଚାପ ପକାଉଛନ୍ତି । ଏମିତି ସ୍ଥିତିରେ ଉଦ୍ଧବ ମଧ୍ୟ ଉପାୟଶୂନ୍ୟ ହୋଇପଡିଛନ୍ତି । ଫଳତଃ ୨ଠ୧୯ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ସମୟରେ କଂଗ୍ରେସ ଏବଂ ଏନ୍ସିପି ସହ ଉଦ୍ଧବଙ୍କ ଗୋଷ୍ଠୀ ଶିବସେନା କରିଥିବା ମେଣ୍ଟ ‘ମହାବିକାଶ ଅଘାଡି’ ହୁଏତ ବିଭାଜିତ ହୋଇଯାଇପାରେ ବୋଲି ଅନୁମାନ କରାଯାଉଛି ।
ଭାରତ ଯୋଡୋ ଯାତ୍ରା’ର ଆୟୋଜନ କରି ରାହୁଲ ଗାନ୍ଧୀ ନିଜକୁ ଜଣେ ପରିପକ୍ୱ ରାଜନେତା ଭାବେ ପ୍ରତିପାଦିତ କରିବାରେ କେତେକାଂଶରେ ସଫଳ ହେଉଥିବା ବେଳେ ଏପ୍ରକାର ମନ୍ତବ୍ୟ ଦେଇ ଏବେ ନିଜ ଗୋଡରେ କୁରାଢ଼ୀ ମାରିଛନ୍ତି ବୋଲି ସର୍ବସାଧାରଣରେ ମତ ପ୍ରକାଶ ପାଉଛି । ଉଦ୍ଧବଙ୍କ ଗୋଷ୍ଠୀର ନେତା ଅରବିନ୍ଦ ସାୱନ୍ତ କଂଗ୍ରେସ ସହ ମେଣ୍ଟ ଭଙ୍ଗ ସମ୍ପର୍କରେ ଚର୍ଚ୍ଚା ଚାଲିଥିବା ସୂଚନା ଦେଇଛନ୍ତି । ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରା’ ‘ଗଠବନ୍ଧନ ତୋଡୋ’ ଯାତ୍ରା ଭାବେ ପ୍ରତିପାଦିତ ହେବ ବୋଲି ରାଜନୈତିକ ବିଶେଷଜ୍ଞ ଆଶଙ୍କା କରୁଛନ୍ତି ।
ପ୍ରକାଶ, ଦିନକ ପୂର୍ବେ ଅକୋଲା ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ରାହୁଲ ଗଣମାଧ୍ୟମ ପ୍ରତିନିଧିଙ୍କୁ ବୀର ସଭରକର, ଇଂରେଜ ସରକାରଙ୍କୁ ଲେଖିଥିବା ଚିଠିର ଏକ ନକଲ ଦେଖାଇବା ସହ ସଭରକର କୁଆଡେ, ସବୁଦିନ ପାଇଁ ଇଂରେଜ ସରକାରଙ୍କ ‘ଚାକର’ ଭାବେ ରହିବେ ବୋଲି ଲେଖିଥିବା ରାହୁଲ ଦାବି କରିଥିଲେ । ରାହୁଲ କହିଥିଲେ ଆଣ୍ଡାମାନରେ ମାତ୍ର ୨/୩ ବର୍ଷର କଳାପାଣି ଦଣ୍ଡ ଭୋଗ କରୁଥିବା ସମୟରେ ସଭରକର ଭୟଭୀତ ହୋଇ ଇଂରେଜ ସରକାରଙ୍କୁ ରାଜକ୍ଷମା ପାଇଁ ଚିଠି ଲେଖିବା ଆରମ୍ଭ କରିଥିଲେ । ସଭରକର, ଇଂରେଜ ସରକାରଙ୍କ ପାଇଁ କାମ କରୁଥିଲେ ଏବଂ ଦରମା ନେଉଥିଲେ । ସ୍ୱତନ୍ତ୍ର ସେନାନୀଙ୍କ ସମ୍ପର୍କରେ ଇଂରେଜ ସରକାରଙ୍କୁ ସୂଚନା ଦେଇ ସଭରକର ଦେଶ ବିରୋଧୀ କାମ କରୁଥିଲେ । କିନ୍ତୁ ଗାନ୍ଧୀ-ନେହରୁ-ପଟେଲ୍ ଏପରି କରିନଥିଲେ । ସଭରକର ଏମାନଙ୍କ ସହ ବିଶ୍ୱାସଘାତ କରିଥିଲେ ।