ବନ୍ଦ ହେଲା ଟ୍ୱିଟର୍ କାର୍ଯ୍ୟାଳୟ

ନୁ୍ୟୟର୍କ/ ସାନ୍ଫ୍ରାନ୍ସିସ୍କୋ (ଏଜେନ୍ସି): ଏଲନ୍ ମସ୍କ, ଟ୍ୱିଟରକୁ କିଣିବା ପରେ ପରେ କମ୍ପାନୀ ଉପରେ ଭୟାବହ ସଂକଟ ମାଡ଼ି ଆସିଛି । ସିଧାସଳଖ କହିଲେ ଟ୍ୱିଟର ବନ୍ଦ ହେବା ପରି ସ୍ଥିତି ଉତ୍ପନ୍ନ ହୋଇଛି । ମସ୍କ, ଟ୍ୱିଟରର ମାଲିକାନା ହାସଲ କରିବା ପରେ ପରେ ନିଜ ଇଚ୍ଛାନୁସାରେ ଏହାର ନୀତି ନିୟମରେ ବ୍ୟାପକ ପରିବର୍ତ୍ତନ କରିବା ଆରମ୍ଭ କରିଦେଇଛନ୍ତି । ତେବେ କମ୍ପାନୀର ପୂର୍ବତନ କର୍ମଚାରୀଙ୍କୁ ଛଟେଇ କରିବାର ନୀତି ଏବେ ଉଭୟ ମସ୍କ ଏବଂ ଟ୍ୱିଟର କମ୍ପାନୀ ପାଇଁ ବୁମେରାଂ ସାବ୍ୟସ୍ତ ହୋଇଛି । ଏସବୁ ମଧ୍ୟରେ କମ୍ପାନୀର ପରିଚାଳନା ଟିମ୍ ଦର୍ଶାଇଛି ଯେ, ଟ୍ୱିଟରର କାର୍ଯ୍ୟାଳୟଗୁଡ଼ିକୁ ଜରୁରି କାଳୀନ ପ୍ରଭାବ ଅନ୍ତର୍ଗତ ସାମୟିକ ଭାବେ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ଆସନ୍ତା ୨୧ରେ କମ୍ପାନୀ କାର୍ଯ୍ୟାଳୟ ଖୋଲିବ ବୋଲି ପରିଚାଳନା ଟିମ୍ ଦର୍ଶାଇଛି ।
ବିଶ୍ୱସ୍ତରରେ ଆର୍ଥିକ ମାନ୍ଦାବସ୍ଥା ରହିଥିବା ଦର୍ଶାଇ ମସ୍କ, ଗୋଟିଏ ପଟେ କମ୍ପାନୀର କିଛି ପୂର୍ବତନ ତଥା ଅଭିଜ୍ଞ କର୍ମଚାରୀଙ୍କୁ ବିଦା କରିଦେଇଥିବା ବେଳେ କିଛି କର୍ମଚାରୀ ଏବେ ସ୍ୱତଃ ପ୍ରବୃତ୍ତ ଭାବେ କମ୍ପାନୀରୁ ଇସ୍ତଫା ଦେଉଥିବା ଦେଖିବାକୁ ମିଳୁଛି । ସଦ୍ୟ ରିପୋର୍ଟ ଅନୁସାରେ କମ୍ପାନୀର ପ୍ରାୟ ୧ଠଠରୁ ଊଦ୍ଧ୍ୱର୍ କର୍ମଚାରୀ ସାମୂହିକ ଭାବେ ଇସ୍ତଫା ଦେଇଛନ୍ତି । ଇସ୍ତଫା ଦେଇଥିବା କର୍ମଚାରୀଙ୍କ ଅନୁସାରେ ଏଲନ୍ ମସ୍କଙ୍କ ତରବରିଆ ତଥା ଅଦୂରଦ୍ରଷ୍ଟିତାପୂର୍ଣ୍ଣ ନିଷ୍ପତ୍ତି ଉପରେ ସେମାନଙ୍କ ବିଶ୍ୱାସ ନାହିଁ । ମସ୍କଙ୍କ କଠୋର ନୀତିରେ ସହମତ ହେବା ସେମାନଙ୍କ ପକ୍ଷେ ସମ୍ଭବ ନୁହେଁ । ପ୍ରକାଶ କମ୍ପାନୀ ପରିଚାଳନା ଟିମ୍ ପକ୍ଷରୁ କମ୍ପାନୀର ନୂଆ ନିୟମରେ ସହମତ ହେବା ନଚେତ୍ କମ୍ପାନୀ ଛାଡିବାକୁ ନିଦେ୍ର୍ଦଶ ଦିଆଯିବା ପରେ ଶତାଧିକ କର୍ମଚାରୀ ସାମୂହିକ ଇସ୍ତଫା ଦେଇଛନ୍ତି ।
ଏଲନ୍ ମସ୍୍ ଟ୍ୱିଟରର ପୁରୁଣା ନୀତିକୁ ବଦଳାଇ ନୂଆ ନୀତି ନିୟମ ଲାଗୁ କରିବାକୁ ଚେଷ୍ଟା କରିଛନ୍ତି । ସେ ଏହାକୁ ଟ୍ୱିଟର ୨.ଠ ଭାବେ ଅଭିହିତ କରିବା ସହ ହାର୍ଡକୋର ୱାର୍କ ( ଦୈନିକ ୧୨ଘଣ୍ଟା କାମ, ବିନା ସାପ୍ତାହିକ ଛୁଟିରେ କାର୍ଯ୍ୟାଳୟକୁ ଆସି କାମ କରିବା) ପାଇଁ କର୍ମଚାରୀଙ୍କୁ ବିକଳ୍ପ ଦେଇଥିଲେ । ଯେଉଁମାନେ ଏଥିରେ ରାଜି ନୁହଁନ୍ତି ସେମାନେ ଚାକିରି ଛାଡିପାରିବେ ବୋଲି ମସ୍କ କହିଥିଲେ । ମସ୍କଙ୍କ ଏପ୍ରକାର ନିଦେ୍ର୍ଦଶାନାମା ପରେ କର୍ମଚାରୀଙ୍କ ଇସ୍ତଫା ପ୍ରକ୍ରିୟା ଜୋରସୋରରେ ଆରମ୍ଭ ହୋଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *