ବିଷାକ୍ତ ଗ୍ୟାସ୍ ଲିକ୍, ୩ଠ ଛାତ୍ରଛାତ୍ରୀ ଗୁରୁତର
ହାଇଦ୍ରାବାଦ୍ (ଏଜେନ୍ସି): ତେଲେଙ୍ଗାନା ରାଜଧାନୀ ହାଇଦ୍ରାବାଦ୍ର କସ୍ତୁରବା ସରକାରୀ କଲେଜରେ ଏକ ବଡ ଧରଣର ଅଘଟଣ ଘଟିଯାଇଛି । କଲେଜର ଏକ ଲାବୋରେଟୋରୀରୁ କୌଣସି କାରଣରୁ ରାସାୟନିକ ଗ୍ୟାସ୍ ଲିକ୍ ହୋଇଯିବା ଫଳରେ ପ୍ରାୟ ୩ଠରୁ ଊଦ୍ଧ୍ୱର୍ ଛାତ୍ରଛାତ୍ରୀ ଗୁରୁତର ହୋଇପଡିଛନ୍ତି । ଏଏନ୍ଆଇ ରିପୋର୍ଟ ଅନୁସାରେ ଶୁକ୍ରବାର ଅପରାହ୍ନରେ ଏହି ଅଘଟଣ ଘଟିଛି । ଗ୍ୟାସ୍ ଲିକ୍ ହେବା ପରେ ପରେ କିଛି ଛାତ୍ରଛାତ୍ରୀ ହଠାତ୍ ଅସୁସ୍ଥ ହୋଇପଡିଥିଲେ । ପରେ ସେମାନେଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ କଲେଜ୍ ଲାବୋରେଟୋରୀରୁ କେଉଁ ଗ୍ୟାସ ଲିକ୍ ହୋଇଥିଲା ସେସମ୍ପର୍କରେ ଛାନ୍ବିନ୍ କରିବା ପାଇଁ ଫରେନ୍ସିକ୍ ଟିମ୍ ଘଟଣା ସ୍ଥଳରେ ପହଞ୍ଚôଥିବା ସୂଚନା ମିଳିଛି ।
ପ୍ରକାଶ, ଏହା ପୂର୍ବରୁ ଗତ ୧୪ ଅକ୍ଟୋବରରେ ତାମିଲନାଡୁର ହୋସୁର ଜିଲ୍ଲା ଅନ୍ତର୍ଗତ ଏକ ନିଗମ ମଧ୍ୟ ବିଦ୍ୟାଳୟ ପରିସରରେ ଥିବା ସେଫ୍ଟିକ୍ ଟ୍ୟାଙ୍କ୍ରୁ ଏକପ୍ରକାର ସନ୍ଦିଗ୍ଧ ଗ୍ୟାସ ଲିକ୍ ହୋଇ ପ୍ରାୟ ୬୭ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡିଥିଲେ । ମଧ୍ୟାହ୍ନ ଭୋଜନ ପରେ ପରେ ଛାତ୍ରଛାତ୍ରୀମାନେ ନିଜ ନିଜ ଶ୍ରେଣୀରେ ବାନ୍ତି କରିବା ଦେଖିବାକୁ ମିଳିଥିଲା । ଏହି ଘଟଣାରେ ତଦନ୍ତ ଏବେ ଜାରି ରହିଛି । ସେହିପରି ମଧ୍ୟପ୍ରଦେଶ ରାଜଧାନୀ ଭୋପାଳରେ ୨୭ ଅକ୍ଟୋବରରେ ମଦର ଇଣ୍ଡିଆ କଲୋନୀରେ ନଗର ନିଗମର ପାଣି ଫିଲ୍ଟର ପ୍ଲାଣ୍ଟରୁ କ୍ଲୋରିନ୍ ଗ୍ୟାସ୍ ଲିକ୍ ହେବା ଦ୍ୱାରା ସ୍ଥାନୀୟ ଗ୍ରାମବାସୀ ଶ୍ୱାସକ୍ରିୟାରେ ଏବଂ ଆଖିରେ କଷ୍ଟ ଅନୁଭବ କରିଥିଲେ ।