ରାଜ୍ୟରେ ଚାଷୀ ଅବହେଳିତ
ଭୁବନେଶ୍ୱର (ବୁ୍ୟରୋ): ଚାଷୀଙ୍କୁ ନେଇ ତେଜୁଛି ରାଜନୀତି । ଫସଲ ବୀମାକୁ ନେଇ ଉଭୟ ବିଜେପି ଏବଂ ବିଜେଡି ପରସ୍ପରକୁ ଦୋଷ ଦେଉଥିବାବେଳେ ଶୁକ୍ରବାର ଚାଷୀଙ୍କୁ ରାଜ୍ୟ ସରକାରଙ୍କ ଅବହେଳା ପ୍ରତିବାଦରେ ବିଜେପି ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସତ୍ୟାଗ୍ରହ ଆରମ୍ଭ କରିଛି । ଭୁବନେଶ୍ୱର ଲୋୟାର ପିଏମଜିରେ ଆନେ୍ଦାଳନରେ ବସିଛି ରାଜ୍ୟ ବିଜେପି । କିଛି ଦିନ ହେବ ଚାଷୀଙ୍କୁ ନେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ପ୍ରତିଯୋଗିତା ଲାଗି ରହିଛି । ପଦ୍ମପୁର ଉପନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ଚାଷୀଙ୍କ ପାଇଁ ଇନପୁଟ୍ ସବ୍ସିଡି ଘୋଷଣା କରିବା ପରେ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦେବାକୁ ପ୍ରତିଶୃତି ଦେଇଛନ୍ତି ।
ସେପଟେ କେନ୍ଦ୍ର ସରକାର ଫସଲ ବୀମା ନେଇ ଘୋଷଣା କରିବା ପରେ ଉଭୟ ସରକାର ପରସ୍ପର ପ୍ରତି ବ୍ଲେମ ଗେମ ଜାରି ରଖିଛନ୍ତି । ଭାରତୀୟ ଜନତା ପାର୍ଟି ପକ୍ଷରୁ ଆରମ୍ଭ ହୋଇଥିବା ଏହି ସତ୍ୟାଗ୍ରହରେ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ, ଦଳର ଉପସଭାନେତ୍ରୀ ପ୍ରଭାତୀ ପରିଡା, ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ମୁଖପାତ୍ର ରମା ରଞ୍ଜନ ବଳିୟାରସିଂହ, ତେଜେଶ୍ୱର ପରିଡା ପ୍ରମୁଖ ଉପସ୍ଥିତ ଅଛନ୍ତି । କାର୍ଯ୍ୟକ୍ରମରେ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ରାଜ୍ୟ ସରକାର ଚାଷୀ ମାରଣ ନୀତି ବନ୍ଦ କରନ୍ତୁ । ଓଡିଶା ପ୍ରଦେଶରେ ସଂଖ୍ୟା ଦୃଷ୍ଟିରୁ ଏବଂ ବୃତ୍ତି ଦୃଷ୍ଟିରୁ ସବୁଠୁ ବଡ଼ ବର୍ଗ ହେଉଛନ୍ତି ଚାଷୀ । ଏହା ସତ୍ତ୍ୱେ ଏଠାରେ ଚାଷୀ ସବୁଠୁ ଅଧିକ ଅବହେଳିତ । ତେବେ ବିଜେପି ସବୁବେଳେ ଚାଷୀଙ୍କ ସହ ରହିଛି ଏବଂ ଚାଷୀଙ୍କୁ ଅବହେଳା ପ୍ରତିବାଦରେ ବିଜେପି ଆନେ୍ଦାଳନ ଆରମ୍ଭ କରିଛି ବୋଲି ସେ କହିଛନ୍ତି ।
ଅନ୍ୟପଟେ ପଦ୍ମପୁର ଅଞ୍ଚଳରେ ଚାଷୀଙ୍କ ଆନେ୍ଦାଳନ ଶୁକ୍ରବାର ୧୮ ଦିନରେ ପହଞ୍ଚିଛି । ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣାରେ ବସିଛନ୍ତି ପଦ୍ମପୁରର ଚାଷୀ । ୨୦୨୧ ମସିହାରେ ଫସଲ ବୀମା କରିଥିବା ଚାଷୀ କ୍ଷତିପୂରଣ ପାଇ ନ ଥିବା ଅଭିଯୋଗ ଆଣି ଧାରଣାରେ ବସିଛନ୍ତି । ନଭେମ୍ବର ୧ ତାରିଖରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛି ରାଜବୋଡାସମ୍ବର କୃଷକ ସଙ୍ଗଠନ । ଏହାକୁ ନେଇ ରାଜ୍ୟ ସରକାର ଚାଷୀଙ୍କ ପାଇଁ ୨ଶହ କୋଟି ଟଙ୍କା ଇନପୁଟ ସବସିଡି ଘୋଷଣା କରିଛନ୍ତି । ହେଲେ ଯେପର୍ଯ୍ୟନ୍ତ ଉକ୍ତ ରାଶୀ ଚାଷୀଙ୍କ ଖାତାକୁ ନ ଆସିଛି ସେପର୍ଯ୍ୟନ୍ତ ଆନେ୍ଦାଳନ ଜାରି ରହିବ ବୋଲି ଚାଷୀ ସଙ୍ଗଠନ ପକ୍ଷରୁ ପ୍ରକାଶ ପାଇଛି । ତେବେ ଏହି ମଧ୍ୟରେ ବରିଷଠ ବିଜେଡି ନେତା ତଥା ବତିଧାୟକ ଶାଶୀଭୂଲଣ ବେହେରା କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଜାରି ରହିଥିବା ଫସଲବୀାମ ଓ ଚାଷର ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି । ବିଜେପିର ଚାଷୀଙ୍କ ପାଇଁ ଦରଦ ତୁଚ୍ଛା ନାଟକବାଜି ଛଡ଼ା ଅନ୍ୟ କିଛି ନୁହେଁ ବୋଲି ସେ କହିଛନ୍ତି । ରାଜ୍ୟ ସରକାର ସଦାସର୍ବଦା ଚାଷୀଙ୍କ ପାଇଁ କାମ କରୁଛନ୍ତି । ନିକଟରେ ମୁଖ୍ୟମନ୍ତ୍ରୀ ଫସଲବୀମା ପ୍ରଦାନ କରିବାକୁ କେନ୍ଦ୍ର କୃଷିମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ । ହେଲେ କେନ୍ଦ୍ର ସରକାର ଚାଷୀଙ୍କ ସହ ଖେଳୁଛି ଓ ରାଜ୍ୟ ସରକାରଙ୍କ ଉପରେ ମିଥ୍ୟା ଆରୋପ ଲଗାଉଥିବା ବିଧାୟକ ଶ୍ରୀ ବେହେରା କହିଛନ୍ତି ।