ବରିଷ୍ଠ ଚୟନ କମିଟି ବହିଷ୍କୃତ

ଆକ୍ସନ୍ ମୋଡ୍ରେ ବିସିସିଆଇ
ମୁମ୍ବାଇ, ୧୮ା୧୧ (ଏଜେନ୍ସି): ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ଶୁକ୍ରବାର ଅଷ୍ଟ୍ରେଲିଆରେ ଆୟୋଜିତ ଟି-୨୦ ବିଶ୍ୱକପ୍ରେ ଟିମ୍ ଇଣ୍ଡିଆର ନୈରାଶ୍ୟଜନକ ପ୍ରଦର୍ଶନ ଯୋଗୁଁ ଚାରିଜଣିଆ ବରିଷ୍ଠ ଚୟନ କମିଟିକୁ ବହିଷ୍କୃତ କରିଛି । ମୁଖ୍ୟ ଚୟନକାରୀ ପୂର୍ବତନ ପେସର୍ ଚେତନ ଶର୍ମାଙ୍କ ସମେତ ସମସ୍ତ ଚୟନକାରୀଙ୍କୁ ହଟାଇ ଦିଆଯାଇଛି ।
ଟି-୨୦ ବିଶ୍ୱକପ୍ ୨୦୨୨ରେ ଭାରତୀୟ ଟିମ୍ ସେମିଫାଇନାଲ୍ରେ ଇଂଲଣ୍ଡ ଠାରୁ ୧୦ ୱିକେଟ୍ରେ ପରାଜିତ ହୋଇ ବିଦାୟ ନେଇଥିଲା । ଏହାପରେ ଟିମ୍ ଚୟନକୁ ନେଇ ପ୍ରଶ୍ନ ଉଠିଥିଲା । ଏବେ ବୋର୍ଡ ପ୍ରଥମ ବଡ଼ ପଦକ୍ଷେପ ନେଇଛି । କୁହାଯାଉଛି ଯେ ଶୁକ୍ରବାର ବୋର୍ଡର ଏଜିଏମ୍ରେ ଚୟନ କମିଟିକୁ ବହିଷ୍କାର କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା ।
ଚେତନଙ୍କ କାର୍ଯ୍ୟକାଳରେ ଭାରତୀୟ ଟିମ୍ ଟି-୨୦ ବିଶ୍ୱକପ୍ ୨୦୨୧ରେ ନକ୍ଆଉଟ୍ରେ ପହଞ୍ଚିପାରି ନ ଥିବା ବେଳେ ବିଶ୍ୱ ଟେଷ୍ଟ ଚାମ୍ପିଅନ୍ସିପ୍ସର ଫାଇନାଲ୍ରେ ପରାଜିତ ହୋଇଥିଲା । ଚଳିତ ବର୍ଷ ଏସିଆ କପ୍ରେ ବି ଟିମ୍ ଇଣ୍ଡିଆ ବିଫଳ ହୋଇଥିଲା । ଫାଇନାଲ୍ ପୂର୍ବ ରାଉଣ୍ଡରେ ପ୍ରଥମେ ପାକିସ୍ତାନ ଓ ଏହାପରେ ଶ୍ରୀଲଙ୍କା ଠାରୁ ପରାଜିତ ହୋଇ ମୁକୁଟ ପର୍ଯ୍ୟାୟରେ ଅବତୀର୍ଣ୍ଣ ହୋଇପାରି ନ ଥିଲା । ବହୁପାକ୍ଷିକ ଟୁର୍ଣ୍ଣାମେଣ୍ଟରେ କ୍ରମାଗତ ବିଫଳତା ଯୋଗୁଁ ଚେତନଙ୍କ ପ୍ୟାନେଲ୍କୁ କଢ଼ାଯାଇପାରେ ବୋଲି ଚର୍ଚ୍ଚା ହେଉଥିଲା ।
ଚେତନ ଉତ୍ତରାଞ୍ଚଳ, ହରବିନ୍ଦର ସିଂହ କେନ୍ଦ୍ରାଞ୍ଚଳ, ସୁନୀଲ ଜୋଶୀ ଦକ୍ଷିଣାଞ୍ଚଳ ଓ ଦେବାଶିଷ ମହାନ୍ତି ପୂର୍ବାଞ୍ଚଳରୁ ଚୟନ କମିଟିର ସଦସ୍ୟ ଥିଲେ । ସେମାନଙ୍କ ମଧ୍ୟରୁ କେତେକ ୨୦୨୦ ଓ କେତେକ ୨୦୨୧ରେ ନିଯୁକ୍ତ ହୋଇଥିଲେ । ଆବେ କୁରୁଭିଲ୍ଲାଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ପଶ୍ଚିମାଞ୍ଚଳରୁ କୌଣସି ଚୟନକାରୀ ନ ଥିଲେ ।
ବହିଷ୍କୃତ ହେବା ଯୋଗୁଁ ଚୟନକାରୀ ନିଜ କାର୍ଯ୍ୟକାଳ ପୂରଣ କରିପାରି ନାହାନ୍ତି । ବରିଷ୍ଠ ଚୟନକାରୀଙ୍କ କାର୍ଯ୍ୟକାଳ ସାଧାରଣତଃ ଚାରି ବର୍ଷ ହୋଇଥାଏ ।
ଶୁକ୍ରବାର ବିସିସିଆଇ ଜାତୀୟ ବରିଷ୍ଠ ପୁରୁଷ ଚୟନକାରୀ ପଦବୀ ପାଇଁ ନୂଆ ଆବେଦନ ଆହ୍ୱାନ କରିଛି । ବୋର୍ଡର ୱେବ୍ସାଇଟ୍ ଅନୁଯାୟୀ ପାଞ୍ଚ ପଦବୀ ଖାଲି ଅଛି । ଆବେଦନ ଦାଖଲ କରିବାର ଶେଷ ତାରିଖ ନଭେମ୍ବର ୨୮ ରଖାଯାଇଛି ।
ଏବେ ବିସିସିଆଇ ବିଶ୍ୱକପ୍ ମୁକୁଟ ବିନା ସ୍ୱଦେଶ ଫେରିଥିବା ଟି-୨୦ ଟିମ୍କୁ ବଦଳାଇବା ପାଇଁ ଯୋଜନା କରୁଛି । ବୋର୍ଡର ଯୋଜନାରେ ୨୦୦୭ ସଂସ୍କରଣରେ ମୁକୁଟ ଜିତାଇଥିବା ମହେନ୍ଦ୍ର ସିଂ ଧୋନିଙ୍କର ମଧ୍ୟ ଭୂମିକା ରହିଛି । ବୋର୍ଡ ଟି-୨୦ ଟିମ୍କୁ ଆକ୍ରମଣାତ୍ମକ କରିବା ପାଇଁ ଧୋନିଙ୍କୁ ପୁଣି ଥରେ ଟିମ୍ ସହ ଯୋଡ଼ିପାରେ ।
ଏକ ରିପୋର୍ଟ ଅନୁଯାୟୀ ବିସିସିଆଇ ଇଂଲଣ୍ଡ ଭଳି ଫିୟର୍ଲେସ୍ କ୍ରିକେଟ୍ ଖେଳୁଥିବା ଟିମ୍ ଗଢ଼ିବାକୁ ଚାହେଁ । ଏଥିରେ ବୋର୍ଡ ଧୋନିଙ୍କ ଏକ୍ସପର୍ଟ ସ୍କିଲ୍ସର ସହାୟତା ନେବା ଉପରେ ବିଚାର କରୁଛି । ଧୋନିଙ୍କୁ ବିସିସିଆଇ ବଡ଼ ଦାୟିତ୍ୱ ଦେଇପାରେ । ତାଙ୍କୁ ସୀମିତ ଓଭର୍ (ଦିନିକିଆ ଓ ଟି-୨୦ ଆନ୍ତର୍ଜାତିକ) ଅଥବା କେବଳ ଟି-୨୦ ପାଇଁ କୋଚ୍ ଅଥବା ଡାଇରେକ୍ଟର କରାଯାଇପାରେ ।
ଏହାଛଡ଼ା ବୋର୍ଡ ଟି-୨୦ ଟିମ୍ର ଅଲଗା ଅଧିନାୟକ ନିଯୁକ୍ତ କରିବା ପାଇଁ ଯୋଜନା କରୁଛି । ବୋର୍ଡର ପ୍ରଥମ ପସନ୍ଦ ହେଉଛନ୍ତି ଅଲ୍ରାଉଣ୍ଡର୍ ହାର୍ଦ୍ଦିକ ପାଣ୍ଡ୍ୟା । କ୍ରିକେଟ୍ର କ୍ଷୁଦ୍ରତମ ଫର୍ମାଟ୍ରୁ ବରିଷ୍ଠ ଖେଳାଳିମାନଙ୍କୁ କାଢ଼ିବା ପାଇଁ ଯୋଜନା କରାଯାଉଥିବା ନେଇ ଚର୍ଚ୍ଚା ହେଉଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *