ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା
୫୫ ନମ୍ବର ଜାତୀୟ ରାଜପଥର ଦୁରାବସ୍ଥା
ଢେଙ୍କାନାଳ (ଆପ୍ର): ଢେଙ୍କାନାଳ ଜିଲ୍ଲା ଦେଇ ଯାଇଥିବା ୫୫ ନଂ ଜାତୀୟ ରାଜପଥ ସଂମ୍ପ୍ରସାରଣ କାର୍ଯ୍ୟରେ ଅହେତୁକ ବିଳମ୍ବକୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି । ଆସନ୍ତା ଏକ ମାସ ମଧ୍ୟରେ କାର୍ଯ୍ୟ ଶେଷ ନହେଲେ ଜନସାଧାରଣ ରାଜରାସ୍ତାକୁ ସମ୍ପୂର୍ଣ୍ଣ ଅବରୋଧ କରିବାକୁ ଚେତବାନୀ ଦିଆଯାଇଛି । କଟକ-ଅନୁଗୁଳ ୫୫ ନଂ ଜାତୀୟ ରାଜପଥକୁ ୪ଲେନ ବିଶିଷ୍ଟ ରାସ୍ତାରେ ପରିଣତ କରିବା ପାଇଁ ଗତ ୨୦୧୮ ମସିହା ଡିସେମ୍ବର ୨୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନ୍ଲାଇନ ମାଧ୍ୟରେ ରାସ୍ତା କାର୍ଯ୍ୟର ଶୁଭାରମ୍ଭ କରିଥିଲେ । ଜାତୀୟ ରାଜପଥ ପ୍ରାଧିକରଣ ମନ୍ତ୍ରଣାଳୟ ବା ଏନ୍ଏଚ୍ଏଆଇ ତରଫରୁ ଟେଣ୍ଡର କରାଯିବା ପରେ କଟକ ଜିଲ୍ଲା ମଙ୍ଗୁଳି ଠାରୁ ଅନୁଗୁଳ ପର୍ଯ୍ୟନ୍ତ ୧୧୨ କିିମି ରାସ୍ତାର ସମ୍ପ୍ରସାରଣ ନିମନ୍ତେ ଗାୟ୍ରତୀ ଠିକା ସଂସ୍ଥାକୁ ଏହି ଟେଣ୍ଡର ମିଳିଥିଲା । ଫଳରେ ଏହି କାର୍ଯ୍ୟକୁ ୧ ହଜାର ଦିନରେ ଶେଷ କରିବା ପାଇଁ କାର୍ଯ୍ୟ ଆରମ୍ଭ କରାଯାଇଥିଲା । ଗାୟତ୍ରୀ ଠିକା ସଂସ୍ଥା ମୋଟ ୧୧୨ କିମି ରାସ୍ତାରୁ ମାତ୍ର ୬୦କିଲୋମିଟର ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ କରି ଅଧାରୁ ଛାଡିଦେଇଛି । ଏହି କାର୍ଯ୍ୟକୁ ୩୦ ମାସ ମଧ୍ୟରେ ଅର୍ଥାତ ଜୁନ ମାସ ୨୦୨୧ରେ ଶେଷ କରିବାର ଥିଲା । କିନ୍ତୁ ମାତ୍ର ୬୦ କିଲୋମିଟର ରାସ୍ତା ନିର୍ମାଣ ହୋଇଥିବା ବେଳେ କେଉଁଠି ଖଣ୍ଡେ ତ କେଉଁଠି ଅଳ୍ପ ରାସ୍ତା ନିର୍ମାଣ ହୋଇଛି ।
କଟକ ଜିଲ୍ଲା କୁସୁପଙ୍ଗି,ଖୁଣ୍ଟୁଣିଠାରେ ଥିବା ଦେବୋତ୍ତର ବିଭାଗର ଜମି ,କୁସୁପଙ୍ଗି ଉଚ୍ଚ ବିଦ୍ୟାଳୟ ସହିତ ଢେଙ୍କାନାଳ ଜିଲ୍ଲାର ଶ୍ୟାମାଚରଣ ପୁର ନିକଟରେ ଥିବା ସେସୁ କାର୍ଯ୍ୟାଳୟ, ଓଡାପଡା ବ୍ଲକ ଗୁଣୁଦେଇ, ଗଇଲୋ ବସ୍ଷ୍ଟାଣ୍ଡ ନିକଟରେ ଥିବା ହାତୀ କରିଡରକୁ ନେଇ ବିବାଦ ଦେଖା ଦେଇଥିଲା । ଜାତୀୟ ରଜାପଥ ସମ୍ପୁର୍ଣ୍ଣ ବିପର୍ଯ୍ୟସ୍ତ ହୋଇ ପ୍ରତିଦିନ ଛୋଟବଡ ଦୁର୍ଘଟଣା ଘଟୁଛି ।ଚଳିତ ବର୍ଷ ଜୁନ ମାସ ସୁଦ୍ଧା ୯୦ ପ୍ରତିଶତ କାର୍ଯ୍ୟ ଶେଷ ହେବ ବୋଲି ସଂସ୍ଥା ପକ୍ଷରୁ ସଫେଇ ଦିଆଯାଇଥିବା ବେଳେ ଅଧାରୁ ରାସ୍ତା କାର୍ଯ୍ୟ ବନ୍ଦ କରି ଗାୟତ୍ରୀ ଠିକା ସଂସ୍ଥା ଚାଲିଯାଇଛି । ରାସ୍ତା ଅଧାପନ୍ତରିଆ ହୋଇଥିବା ଯୋଗୁ ପ୍ରତିଦିନ ରାସ୍ତା ଦୁର୍ଘଟଣାରେ ଜୀବନ ହାନୀ ଘଟୁଛି । କାର୍ଯ୍ୟରେ ଅହେତୁକ ବିଳମ୍ବକୁ ଶୁକ୍ରବାର ଦିନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି । ଏହି ଗଣଧାରଣାରେ ପ୍ରୀୟରଞ୍ଜନ ମାହୁନ୍ତ, ସଦାଶିବ ମହାପାତ୍ର, ସୁରେନ୍ଦ୍ର କୁମାର ମିଶ୍ର, ଲକ୍ଷ୍ମୀ ପ୍ରସାଦ ପଟ୍ଟନାୟକ, ରୁଦ୍ରାନ୍ତ କୁମାର ଦଳେଇ, ଯୋଗୀନାଥ ମହାନ୍ତିଙ୍କ ସହିତ ଅନ୍ୟମାନେ ଉପସ୍ଥିତ ରହିବା ସହିତ ଏକ ଦାବୀ ପତ୍ର ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିବାର ଜଣାପଡିଛି ।