ବିଲ୍ ହାତେଇ ଠିକାଦାର ଛୁ
ନଦୀବନ୍ଧ କାମ ଅଧପନ୍ତରିଆ
ଯାଜପୁର ସଦର (ଆପ୍ର): ଗ୍ରାମାଞ୍ଚଳ ହେଉ କି ସହରାଞ୍ଚଳ ହେଉ ଲୋକଙ୍କ ସୁବିଧା ନିମନ୍ତେ କେନ୍ଦ୍ର ଓ ରାଜ୍ୟ ସରକାର କୋଟି କୋଟି ଟଙ୍କା ବିନିଯୋଗ କରି ଦୁର୍ବଳ ନଦୀ ବନ୍ଧ ମରାମତି କରୁଛନ୍ତି । ହେଲେ ସରକାରଙ୍କ ଏହି ଯୋଜନାକୁ କେତେକ ଅସାଧୁ ଠିକାଦାର ଯନ୍ତ୍ରୀ ଓ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀଙ୍କ ମଧୁଚନ୍ଦ୍ରିକା ଯୋଗୁ ନଦୀବନ୍ଧ ମରାମତି ଅଧାପନ୍ତରିଆ ହୋଇ ପଡ଼ିରହିଛି ।
ଚଳିତ ବର୍ଷ ବନ୍ୟା ପାଣି ବନ୍ଧକଡ଼କୁ ନ ଲାଗିବା ସତ୍ୱେ ବି ଯାଜପୁର ବ୍ଲକ୍ ଉପର ବରୁଅାଁ ପଞ୍ଚାୟତ ଖରସ୍ରୋତା ସେତୁ ନିକଟସ୍ଥ ରାଜଘାଟ ଛକ ଠାରୁ ଶ୍ୟାମଦାସପୁର ପଞ୍ଚାୟତର ମାଧପୁର ଓ ତନ୍ତୀଘାଇକୁ ସଂଯୋଗ କରୁଥିବା ନଦୀବନ୍ଧଟି ସେଥିରୁ ବାଦ ପଡ଼ି ନାହିଁ । ଏହି ବନ୍ଧଟିକୁ ମରମତି କରାଯିବା ପାଇଁ ଏଠାରେ କିଛି ବାଲିବସ୍ତା ରଖି ଥିବା ଦେଖିବାକୁ ମିଳିଥିଲା । ଖାଲି ବାଲିବସ୍ତା ପଡିରହିଥିବା ହେତୁ ଅନେକ ସ୍ଥାନରେ ଯାତାୟତ ବାଧାପ୍ରାପ୍ତ ହେଉଥିବାର ଦେଖି ବାକୁ ମିଳିଛି । ଏହି ନଦୀ ବନ୍ଧ ଦେଇ ମାଧପୁର, କଳସପୁର, ଭୂବନପୁର, ହାସିନପୁର, ରୀଷିପୁର, ଦେବିଲ ଆଦି ତିନୋଟି ପଞ୍ଚାୟତର ଲୋକେ ଯାତାୟତ କରିଥାନ୍ତି । ନଦୀବନ୍ଧର ଅନେକ ସ୍ଥାନରେ ଖାଲ ଖମା ହୋଇଥିବା ବେଳେ ନଦୀବନ୍ଧ ମରାମତି କାର୍ଯ୍ୟ ନ କରି ବିଲ୍ ହାତେଇ ଥିବା କଥା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ସବୁଠାରୁ ବିଡ଼ମ୍ବନାର କଥା ଏହିକି ଚଳିତ ବର୍ଷ ବଡ଼ ବନ୍ୟା ହୋଇ ନ ଥିବା ବେଳେ ଏତେ ସବୁ ବ୍ୟବସ୍ଥା କରାଯାଇ କେବଳ ସରକାରୀ ଅର୍ଥ ହରିଲୁଟ କରି ଠିକାଦାର ବିଲ୍ ହାତେଇଥିବା ଅଭିଯୋଗ ହୋଇଛି । ଠିକାଦାର, ଯନ୍ତ୍ରୀ ଓ ବିଭାଗୀୟ ଅଧିକାରୀଙ୍କ ସଲାସୁତୁରା ଯୋଗୁ ନଦୀବନ୍ଧ କାମ ଅଧପନ୍ତରିଆ ହୋଇପଡ଼ିଛି । ଯାହା ଦ୍ୱାରା ସାଧାରଣ ଲୋକେ ଆଗାମୀ ବନ୍ୟାକୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବେ । ଏହା ଉପରେ ଯାଜପୁର ଜିଲ୍ଲାପାଳ ଓ ବିଭାଗୀୟ ସଚିବ ଦୃଷ୍ଟି ଦେବାପାଇଁ ସାଧାରଣରେ ଦାବି ହୋଇଛି ।