ଅଷ୍ଟ୍ରେଲିଆଠୁ ହାରିଲା ଡବଲ୍ ବିଶ୍ୱବିଜେତା

ଆଡିଲେଡ୍, ୧୭ା୧୧ (ଏଜେନ୍ସି): ଡବଲ୍ ବିଶ୍ୱବିଜେତା ଇଂଲଣ୍ଡକୁ ଅଷ୍ଟ୍ରେଲିଆ ତିନି ଦିନିକିଆ ବିଶିଷ୍ଟ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ରେ ୬ ୱିକେଟ୍ରେ ପରାସ୍ତ କରିଛି । ଶତକୀୟ ଇନିଂସ୍ ଖେଳିଥିବା ଇଂଲଣ୍ଡର ଡେୱିଡ୍ ମଲାନ୍ ପ୍ଲେୟାର୍ ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି ।
୨୮୮ ରନ୍ ବିଜୟଲକ୍ଷ୍ୟର ପିଛା କରିଥିବା ଅଷ୍ଟ୍ରେଲୀୟ ଟିମ୍ ୪୬.୫ ଓଭର୍ରେ ୪ ୱିକେଟ୍ ହରାଇ ୨୯୧ ରନ୍ କରି ବିଜୟୀ ହୋଇଥିଲା । ଡେଭିଡ୍ ୱାର୍ଣ୍ଣର ଓ ଟ୍ରେଭିଡ୍ ହେଡ୍ଙ୍କ ଓପନିଂ ଯୋଡ଼ି ଦମ୍ଦାର ବ୍ୟାଟିଂ କରିଥିଲେ ଏବଂ ୧୫ତମ ଓଭର୍ରେ ଇନିଂସ୍ ୧୦୦ ଛୁଇଁଥିଲା । ୱାର୍ଣ୍ଣର ୪୪ ବଲ୍ରୁ ଓ ହେଡ୍ ୪୬ ବଲ୍ରୁ ଅର୍ଦ୍ଧଶତକ ପୂରଣ କରିଥିଲେ ।
ଏହି ଯୋଡ଼ି ଭାଙ୍ଗିବା ପାଇଁ କିୱି ବୋଲର୍ଙ୍କୁ ୨୦ ଓଭର୍ ଯାଏଁ ଅପେକ୍ଷା କରିବାକୁ ପଡ଼ିଥିଲା । ଓପନିଂ ୱିକେଟ୍ ପାଇଁ ୧୧୬ ବଲ୍ରୁ ୧୪୭ ରନ୍ର ଭାଗୀଦାରୀ ହୋଇଥିଲା । ହେଡ୍ ୫୭ ବଲ୍ରୁ ୬୯ ରନ୍ କରି ଜୋର୍ଡାନ୍ଙ୍କ ବଲ୍ରେ ଆଉଟ୍ ହୋଇଥିଲେ । ଏହାପରେ ୱାର୍ଣ୍ଣର ଓ ନୂଆ ବ୍ୟାଟର୍ ଷ୍ଟିଭ୍ ସ୍ମିଥ୍ଙ୍କ ମଧ୍ୟରେ ଏକ ଭଲ ଭାଗୀଦାରୀ ଦେଖିବାକୁ ମିଳିଥିଲା । ଉଭୟ ୫୩ ରନ୍ ଯୋଗ କରିଥିଲେ । ୱାର୍ଣ୍ଣର ୮୪ ବଲ୍ରୁ ୮୬ ରନ୍ର ଇନିଂସ୍ ଖେଳିଥିଲେ । ସେ ୧୦ ଚୌକା ଓ ୧ ଛକା ଲଗାଇଥିଲେ । ତାଙ୍କ ୱିକେଟ୍ ୱିଲୀଙ୍କ ଖାତାକୁ ଯାଇଥିଲା ।
ପରବର୍ତ୍ତୀ ବ୍ୟାଟର୍ ମାର୍କସ ଲାବୁଶନେ ମାତ୍ର ୪ ରନ୍ କରି ୱିଲୀଙ୍କ ପରବର୍ତ୍ତୀ ଶିକାର ହୋଇଥିଲେ । ସ୍ମିଥ୍ ଓ ନୂଆ ବ୍ୟାଟର୍ ଆଲେକ୍ସ କାରୀ ମିଶି ୩୮ ରନ୍ ଯୋଗ କରିଥିଲେ । କାରୀ ୨୧ ରନ୍ କରି ଡସନ୍ଙ୍କ ବଲ୍ରେ ପାଭିଲିଅନ୍ ଫେରିଥିଲେ । ସ୍ମିଥ୍ ଏହାପରେ କାମେରନ୍ ଗ୍ରୀନ୍ଙ୍କ ସହ ମିଶି ଟିମ୍କୁ ଲକ୍ଷ୍ୟସ୍ଥଳରେ ପହଞ୍ଚାଇଥିଲେ ।
ଏହା ପୂର୍ବରୁ ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଇଂଲଣ୍ଡ ଟିମ୍ ଧାର୍ଯ୍ୟ ୫୦ ଓଭର୍ରେ ୯ ୱିକେଟ୍ ହରାଇ ୨୮୭ ରନ୍ ସଂଗ୍ରହ କରିଥିଲା । ଅଷ୍ଟ୍ରେଲୀୟ ଅଧିନାୟକ ପାଟ୍ କମିନ୍ସଙ୍କ ଫିଲ୍ଡିଂ ନିଷ୍ପତ୍ତି ଆଦ୍ୟଭାଗରେ ଠିକ୍ ପ୍ରମାଣିତ ହୋଇଥିଲା । ଇଂଲଣ୍ଡର ତିନି ବ୍ୟାଟର୍ ୩୧ ରନ୍ ମଧ୍ୟରେ ପାଭିଲିଅନ୍ ଫେରିଥିଲେ ।
ଓପନର୍ ଫିଲ୍ ସଲ୍ଟ ୧୪ ରନ୍ କରି କମିନ୍ସଙ୍କ ବଲ୍ରେ ଆଉଟ୍ ହୋଇଥିଲେ । ଏହାର ପର ଓଭର୍ରେ ମିଚେଲ୍ ଷ୍ଟାର୍କ ଅନ୍ୟତମ ଓପନର୍ ଜାସନ୍ ରୟ (୬)ଙ୍କୁ ପାଭିଲିଅନ୍ ପଠାଇଥିଲେ । ଜେମ୍ସ ଭିନ୍ସି ମଧ୍ୟ ମାତ୍ର ୫ ରନ୍ କରି କମିନ୍ସଙ୍କ ଦ୍ୱିତୀୟ ଶିକାର ହୋଇଥିଲେ ।
ଏହାପରେ ଡେୱିଡ୍ ମଲାନ୍ ଇଂଲଣ୍ଡ ଇନିଂସ୍କୁ ଗୋଟିଏ ପଟୁ ସମ୍ଭାଳିଥିଲେ । ସେ ନୂଆ ବ୍ୟାଟର୍ ସାମ୍ ବିଲିଙ୍ଗ୍ସଙ୍କ ସହ ୩୫, ଅଧିନାୟକ ଜୋସ୍ ବଟ୍ଲର୍ଙ୍କ ସହ ୫୨ ରନ୍ କରିଥିଲେ । ବିଲିଙ୍ଗ୍ସ ୧୭ ରନ୍ କରି ମାର୍କସ ଷ୍ଟୋଇନିସ୍ ଓ ବଟ୍ଲର୍ ୨୯ ରନ୍ କରି ଆଦାମ୍ ଜାମ୍ପାଙ୍କ ବଲ୍ରେ ଆଉଟ୍ ହୋଇଥିଲେ ।
ମଲାନ୍ଙ୍କ ଦୃଢ଼ ବ୍ୟାଟିଂ ଜାରି ରହିଥିବା ବେଳେ ଲିଆମ୍ ଡସନ୍ ୧୧ ରନ୍ କରି ରନ୍ଆଉଟ୍ ହୋଇଥିଲେ ଏବଂ କ୍ରିସ୍ ଜୋର୍ଡାନ୍ ୧୪ ରନ୍ କରି ଜାମ୍ପାଙ୍କ ଆଉ ଏକ ଶିକାର ହୋଇଥିଲେ । ୧୯୯ ରନ୍ରେ ୭ ୱିକେଟ୍ ପଡ଼ିବା ପରେ ମଲାନ୍ ପରବର୍ତ୍ତୀ ବ୍ୟାଟର୍ ଡେଭିଡ୍ ୱିଲୀଙ୍କ ସହ ମିଶି ଅଷ୍ଟମ ୱିକେଟ୍ରେ ୬୦ ରନ୍ର ଭାଗୀଦାରୀ କରିଥିଲେ ।
୧୦୭ ରନ୍ର ଶତକ ପୂରଣ କରିଥିବା ମଲାନ୍ଙ୍କ ଇନିଂସ୍ର ଅନ୍ତ ଘଟାଇଥିଲେ ଜାମ୍ପା । ମଲାନ୍ ୧୨୮ ବଲ୍ରୁ ୧୩୪ ରନ୍ କରିଥିଲେ । ତାଙ୍କ ଇନିଂସ୍ରେ ୧୨ ଚୌକା ଓ ୪ ଛକା ରହିଥିଲା । ଏହାପରେ କ୍ରିଜ୍କୁ ଆସିଥିବା ଲୁ୍ୟକ୍ ଉଡ୍ ୧୦ ରନ୍ କରିଥିଲେ । ତାଙ୍କ ୱିକେଟ୍ କମିନ୍ସଙ୍କ ଖାତାକୁ ଯାଇଥିଲା । ୱିଲୀ ୩୪ ଓ ଓଲି ଷ୍ଟୋନ୍ କୌଣସି ସ୍କୋର୍ ନ କରି ଅପରାଜିତ ଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *