ବନ୍ଧାହେଲେ ୫, ବିଦାହେଲେ ୧୨
ବ୍ରହ୍ମପୁର, ୧୭ା୧୧(ବୁ୍ୟରୋ): ଆଲୋଡନ ସୃଷ୍ଟି କରିଥିବା ସ୍ଥାନୀୟ ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟ ରାଗିଂ ଘଟଣାରେ କର୍ତ୍ତୃପକ୍ଷ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ରାଗିଂରେ ଜଡ଼ିତ ୧୨ ଛାତ୍ରଛାତ୍ରୀଙ୍କୁ ଟିସି ଦେଇ ବିଦା କରିିଛନ୍ତି କଲେଜ କର୍ତ୍ତୃପକ୍ଷ । ବିଦା ହୋଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୫ ଜଣଙ୍କୁ ପୁଲିସ୍ ଗିରଫ କରି କୋର୍ଟଚାଲାଣ କରିଛି । ବିଚାରପତି ୩ ଜଣଙ୍କୁ ଜେଲ ହାଜତକୁ ଓ ୨ ନାବାଳକଙ୍କୁ ବାଳ ସୁଧାର ଗୃହକୁ ପଠାଇ ଦେଇଛନ୍ତି । ଆଗାମୀ ଦିନରେ ଯେପରି ଏହି କଦର୍ଯ୍ୟ ଘଟଣାର ପୁନରାବୃତ୍ତି ନ ଘଟେ ସେଥିପାଇଁ କଲେଜ୍ରେ ଥିବା ଆଣ୍ଟି ରାଗିଂ କମିଟିକୁ ସୁଦୃଢ଼ କରିବାକୁ ନିଷ୍ପତ୍ତି ନିଆଯାଇଛି । ଭୟଭିତ ନ ହେବା ଲାଗି ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦିଆଯାଇଛି । ଏତଦ୍ଭିନ୍ନ ବ୍ରହ୍ମପୁରର ଜଣେ ସଚେତନ ନାଗରିକ ବିନୋଦ ସାବତ ଏ ନେଇ ଜାତୀୟ ମାନବାଧିକାର କମିଶନ୍ଙ୍କ ନିକଟରେ ମାମଲା ରୁଜୁ କରିଛନ୍ତି । ମାମଲାରେ କଲେଜ୍ କର୍ତ୍ତୃପକ୍ଷ ଓ ଅଭିଯୁକ୍ତମାନଙ୍କୁ ପକ୍ଷଭୁକ୍ତ କରାଯାଇଛି ।
ବ୍ରହ୍ମପୁର ସହରରେ ଏଭଳି ରାଗିଂ ପ୍ରଥମ ଓ ଏହି ଘଟଣାରେ ସହରବାସୀ ଚକିତ ହେବାସହ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ । ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରୁ ବ୍ରହ୍ମପୁର ଏସ୍ପିଙ୍କ ଅନୁରୋଧକ୍ରମେ ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ସ୍ୱ ପୃଷ୍ଠା: ୫
ବନ୍ଧାହେଲେ ୫…
ରାଗିଂରେ ସଂପୃକ୍ତ ଛାତ୍ରଛାତ୍ରୀଙ୍କୁ ବିଦା କରିଥିବାରୁ ଗଞ୍ଜାମ ଓକିଲ ସଂଘ ସମେତ ସହରର ବିଭିନ୍ନ ସଙ୍ଗଠନ ଏସ୍ପି ଓ କଲେଜ କର୍ତ୍ତୃପକ୍ଷଙ୍କୁ କୃତଜ୍ଞତା ଜଣାଇଛନ୍ତି । କୋର୍ଟଚାଲାଣ ହୋଇଥିବା ୫ ଅଭିଯୁକ୍ତଙ୍କ ପାଇଁ ଗଞ୍ଜାମ ଓକିଲ ସଂଘର କୌଣସି ଆଇନ୍ଜୀବୀ ଓକାଲତାନାମା ମଧ୍ୟ ଦାଖଲ କରି ନ ଥିବା ସଂଘର ସମ୍ପାଦକ ସୁଶୀଲ କୁମାର ତ୍ରିପାଠୀ ସୂଚନା ଦେଇଛନ୍ତି ।
ଗତ ବୁଧବାର ରାଗିଂ ସଂକ୍ରାନ୍ତ ୨ ଭିଡିଓରେ ରହିଥିବା ସମସ୍ତ ଛାତ୍ରଛାତ୍ରୀଙ୍କ ନାମ ଓ ଠିକଣା କଲେଜ କର୍ତ୍ତୃପକ୍ଷଙ୍କଠାରୁ ପାଇବା ପରେ ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରିବା ପାଇଁ ପୁଲିସ୍ କାର୍ଯ୍ୟ ଆରମ୍ଭ କରିଥିବା କହିଛି । ଶିକ୍ଷାନୁଷ୍ଠାନର ସମ୍ମାନହାନୀ ହେବା ସହ ଏହାର କୁପ୍ରଭାବ ମଧ୍ୟ ସମାଜ ଉପରେ ପଡୁଛି ବୋଲି ଛାତ୍ରଛାତ୍ରୀ ଓ ଅଭିଭାବକମାନେ କହିଛନ୍ତି ।
ସୂଚନାଯୋଗ୍ୟ, ଘଟଣାର ମୁଖ୍ୟ ବୋଲି କୁହାଯାଉଥିବା ଯୁକ୍ତ ତିନି ଛାତ୍ର ଅଭିଷେକ ନାହାକ ଓରଫ୍ ବଣ୍ଟି (୨୨)କୁ ଏଭଳି ଅସଦାଚରଣ ମାମଲାରେ ଗତ ମାର୍ଚ୍ଚ ମାସରେ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା । ଦୁଇ ଦୁଇଥର କଲେଜ କର୍ତ୍ତୃପକ୍ଷ ଅଭିଷେକର ମା’ଙ୍କୁ ଡାକି କଲେଜରେ ବିଶୃଙ୍ଖଳା ସୃଷ୍ଟିରୁ ନିବୃତ୍ତ ରହିବାକୁ ତାଗିଦ୍ କରିଥିଲେ । ତଥାପି ଅଭିଷେକ ଛାତ୍ରଛାତ୍ରୀଙ୍କୁ ଅନେକ ସମୟରେ ରାଗିଂକରି ଆସୁଥିଲା । ସେହି ମର୍ମରେ ଭାଇରାଲ ହୋଇଥିବା ଭିଡିଓରେ ୧୦ଜଣ ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ଜୋର୍କରି ଜଣେ ଛାତ୍ର ସହପାଠିନୀଙ୍କୁ ପ୍ରେମ ନିବେଦନ କରିବା ଓ ଚୁମ୍ବନ ଦେବା ସହିତ ଅଶ୍ଳୀଳ ଭାଷାରେ ଗାଳିଗୁଳଜ କରୁଥିବା ଦେଖାଯାଇଥିଲା । ଏହି ଘଟଣାରେ ପୁଲିସ୍ ଅଭିଷେକ ଓ ଚୁମ୍ବନ ଦେଉଥିବା ଛାତ୍ରଙ୍କୁ ଥାନାକୁ ଆଣି ପଚରା ଉଚୁରା କରିଥିଲା । ଥାନା କେଶ୍ ନମ୍ବର ୩୦୮/୨୨ରେ ମାମଲା ରୁଜୁକରି ପୁଲିସ୍ ଅଭିଷେକ ସହ ଶ୍ରୀଧର ନାହାକ (୧୯), ଆଦିତ୍ୟ କୁମାର ସାହୁ (୨୦), ୨ ଜଣ ନାବାଳକଙ୍କୁ ଗିରଫକରି ଗୁରୁବାର ସନ୍ଧ୍ୟାରେ କୋର୍ଟଚାଲାଣ କରିଥିଲା । ବୁଧବାର ରାତିରେ ଭିଡିଓରେ ଥିବା ସମସ୍ତ ଛାତ୍ରଛାତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ କଲେଜରୁ ବିଦା କରିବା ପାଇଁ ପୁଲିସ୍ ପକ୍ଷରୁ କଲେଜ କର୍ତ୍ତୃପକ୍ଷଙ୍କୁ ଚିଠି ମାଧ୍ୟମରେ କୁହାଯାଇଥିଲା । ଗୁରୁବାର ସକାଳେ ଅଧ୍ୟକ୍ଷା ଡ.ପ୍ରମିଳା ଖାଡଙ୍ଗା ଆଣ୍ଟି ରାଗିଂ ସ୍କାଡ୍ର ସଂଯୋଜକ କୃଷ୍ଣଚନ୍ଦ୍ର ବେହେରାଙ୍କ ସମେତ ଅନ୍ୟମାନଙ୍କୁ ନେଇ ବୈଠକ କରିବାପରେ ସମ୍ପୃକ୍ତ ୧୨ଜଣଙ୍କୁ ବହିଷ୍କାର କରିବାକୁ ନିଷ୍ପତ୍ତି ହୋଇଥିଲା । ଏସ୍ପି ଡ. ଶ୍ରବଣା ବିବେକ ଏମ୍ କଲେଜକୁ ଯାଇ ଅଧ୍ୟକ୍ଷାଙ୍କ ସଙ୍ଗେ ଆଲୋଚନା କରିବା ସହ ଆଗକୁ ଯେପରି ଏଭଳି ଘଟଣାର ପୁନରାବୃତ୍ତି ନଘଟେ ସେଥିପ୍ରତି ସଜାଗ ରହିବାକୁ ପରାମର୍ଶ ଦେଇଛନ୍ତି ।