ମହିଳା ଓକିଲଙ୍କ ଘରେ ଯୁବକଙ୍କ ଆତଙ୍କ

ଭଞ୍ଜନଗର (ଆପ୍ର): ପଡ଼ୋଶୀଙ୍କୁ କିଛି ଯୁବକଙ୍କ କବଳରୁ ରକ୍ଷା କରିବାକୁ ଯାଇ ଜଣେ ମହିଳା ଓକିଲ ଓ ତାଙ୍କ ପରିବାର ଆକ୍ରୋଶର ଶିକାର ହୋଇଛନ୍ତି । ଆକ୍ରମଣର ଶୀକାର ହୋଇଥିବା ଦଳିତ ଯୁବକ ଓ ମହିଳା ଓକିଲ ଏଥି ନେଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ପୁଲିସ ଏସମ୍ପର୍କରେ ଥାନାରେ ୨ଟି ମାମଲା ରୁଜୁ କରି ତଦନ୍ତ ଚଳାଇଛି । ଓକିଲ ଓ ତାଙ୍କ ପରିବାର ଉପରେ ଆକ୍ରମଣକୁ ଭଞ୍ଜନଗର ଓକିଲ ସଂଘ ପକ୍ଷରୁ ନିନ୍ଦା କରାଯାଇଛି । ଗୁରୁବାର ସନ୍ଧ୍ୟାରେ ଓକିଲ ସଂଘ ସଭାପତି ସନ୍ତୋଷ କୁମାର ନାୟକଙ୍କ ନେତୃତ୍ୱରେ ଏକ ପ୍ରତିନିଧିମଣ୍ଡଳ ଥାନାରେ ପହଞ୍ଚô ତୁରନ୍ତ ସଂପୃକ୍ତ ଯୁବକମାନଙ୍କୁ ଧରିବା ସହ ମହିଳା ଓକିଲଙ୍କୁ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି । ନହେଲେ ଓକିଲ ସଂଘ ଆନେ୍ଦାଳନକୁ ଓହ୍ଲାଇବାକୁ ଚେତାବନୀ ଦିଆଯାଇଛି ।
ବୁଧବାର ରାତି ୯ଟାରେ ଭଞ୍ଜନଗର ସହରର ବେଲଗୁଣ୍ଠା ରୋଡ୍ ଅନ୍ତର୍ଗତ କଳିଙ୍ଗନଗର ୨ୟ ଗଳିରେ ରହୁଥିବା ଅଜିତ ସେଠୀ ନାମକ ଜଣେ ଯୁବକ ଏକ ହୋଟେଲକୁ ଖାଦ୍ୟ ସାମଗ୍ରୀ ଆଣିବାକୁ ଯାଉଥିବା ବେଳେ ବାଟରେ କିଛି ଯୁବକ ତାଙ୍କୁ ଅଟକାଇ ମୋବାଇଲ ଓ ଟଙ୍କା ଛଡ଼ାଇ ନେଇଥିଲେ । ପ୍ରତିବାଦ କରିବାରୁ ସମ୍ପୃକ୍ତ ଯୁବକମାନେ ତାଙ୍କୁ ମାରପିଟ୍ କରିଥିଲେ । ଜୀବନ ବଞ୍ଚାଇବାକୁ ସେ ଘଟଣାସ୍ଥଳରୁ ଦୌଡ଼ି ପଳାଇବା ବେଳେ ସେମାନେ ତାକୁ ପିଛା କରିଥିଲେ । ଅଜିତ ନିଜ ପଡ଼ିଶା ଓକିଲ ଅଭାଗିନୀ ବିଷୋୟୀଙ୍କ ଘର ପାଚେରୀ ଡେଇଁ ବାହାର ପର୍ଟିକୋ ପାଖରେ ଠିଆହୋଇ ସାହାଯ୍ୟ ପାଇଁ ଚିକ୍ରାର କରିଥିଲେ । ପାଟି ଶୁଣି ଓକିଲ ଅଭାଗିନୀ ବିଷୋୟୀ ଓ ତାଙ୍କ ପରିବାର ଲୋକେ ଗ୍ରୀଲ ଖୋଲି ପାଟି କରିବାରୁ ସେମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ଏସମ୍ପର୍କରେ ଅଜିତ ସେଠୀ ଭଞ୍ଜନଗର ଥାନାରେ ଏକ ଏତଲା ଦେଇଥିଲେ । ଏକଥା ଜାଣିବା ପରେ ୭/୮ ଯୁବକ ସଂଘବଦ୍ଧ ଭାବେ ମହିଳା ଓକିଲଙ୍କ ଘର ପାଚେରୀ ଗେଟ୍ ଭାଙ୍ଗି ପାଚେରୀ ଭିତରେ ଥିବା ୨ ବାଇକ୍ ଓ ଏକ ଫ୍ରିଜ୍କୁ ସମ୍ପୂର୍ଣ୍ଣ ଭଙ୍ଗାରୁଜା କରି ପଦାକୁ ବାହାରିଲେ ଜୀବନରୁ ଶେଷ କରିଦେବାକୁ ଧମକ ଦେଇଥିବା ନେଇ ଓକିଲ ଭଞ୍ଜନଗର ଥାନାରେ ଅଭିଯୋଗ କରିଛନ୍ତି । ଉଭୟଙ୍କ ଅଭିଯୋଗକୁ ଭିତ୍ତିକରି ଭଞ୍ଜନଗର ଥାନାରେ ୨ ମାମଲା ରୁଜୁ କରାଯାଇଛି । ଅଭିଯୁକ୍ତମାନଙ୍କୁ ଧରିବାକୁ ଥାନା ଅଧିକାରୀ ଧୀରେଶ କୁମାର ଦାସଙ୍କ ନେତୃତ୍ୱରେ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି । ବହୁ ଦିନ ପରେ ଭଞ୍ଜନଗର ସହରରେ ପୁଣି ଥରେ ଅସାମାଜିକ ତତ୍ତ୍ୱ ମୁଣ୍ଡ ଟେକିବା ଘଟଣା ସହରବାସୀଙ୍କୁ ବିଚଳିତ କରିପକାଇଛି । ବିଭିନ୍ନ ମହଲରୁ ଏହାକୁ ନିନ୍ଦା କରାଯାଇଛି । ତୁରନ୍ତ ଅଭିଯୁକ୍ତମାନଙ୍କୁ ଧରି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି କରାଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *