ମଦ-ମାଂସଠୁ ଦୂରେଇ ରୁହ

ପଦ୍ମପୁର ଉପନିର୍ବାଚନ: ନାମାଙ୍କନ ଭରିଲେ ୧୧ ପ୍ରାର୍ଥୀ
ବରଗଡ଼/ଭୁବନେଶ୍ୱର, ୧୭ା୧୧ (ବୁ୍ୟରୋ): ପଦ୍ମପୁର ଉପନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ଶେଷ ହୋଇଛି । ଉପନିର୍ବାଚନ ପାଇଁ ପ୍ରମୁଖ ୩ ଦଳ ସମେତ ୧୧ ଜଣ ପ୍ରାର୍ଥୀ ସେମାନଙ୍କର ନାମାଙ୍କନ ଦାଖଲ କରିଛନ୍ତି । ବିଜୁ ଜନତା ଦଳ (ବିଜେଡି) ପ୍ରାର୍ଥୀ ବର୍ଷାରାଣୀ ସିଂହ ବରିହା, ଭାରତୀୟ ଜନତା ପାର୍ଟି (ବିଜେପି) ପ୍ରାର୍ଥୀ ବିଧାୟକ ପ୍ରଦୀପ ପୁରୋହିତ, କଂଗ୍ରେସର ପ୍ରାର୍ଥୀ ସତ୍ୟଭୂଷଣ ସାହୁ ଓ ଓଡ଼ିଶା ଜନତା ପାର୍ଟି (ଓଜେପି) ତରଫରୁ ମୁକ୍ତେଶ୍ୱର ଦାସ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏହାବାଦ ଉପନିର୍ବାଚନ ପାଇଁ ଜୟନ୍ତ ଥପା, ଶେଷଦେବ ସାହୁ, ବୃନ୍ଦାବନ ପୁରୋହିତ, ରେବତୀ ଗିରି, ଉଦିତ ବଣ୍ଡିଆ, ଦେବାର୍ଚ୍ଚନ ନାଏକ ଓ ବିଦ୍ୟାଧର ପାଣ୍ଡେ ମଧ୍ୟ ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହୋଇଛନ୍ତି ।
ଏକଥା ସମସ୍ତଙ୍କୁ ଜଣା ଯେ ପଦ୍ମପୁର ଉପନିର୍ବାଚନରେ ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀଙ୍କ ମଧ୍ୟରେ ଅସଲ ଲଢ଼େଇ ହେବ । ସ୍ୱର୍ଗତ ବିଧାୟକ ବିଜୟ ରଂଜନ ସିଂ ବରିହା ଜଣେ ଲୋକପ୍ରିୟ ନେତା ହୋଇଥିବାରୁ ତାଙ୍କ ଝିଅ ବର୍ଷାଙ୍କୁ ମତଦାତା ଭୋଟ ଦେଇପାରନ୍ତି । ଅନ୍ୟପଟରେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ଗତ ବିଧାନସଭା ନିର୍ବାଚନରେ ଦ୍ୱିତୀୟ ସ୍ଥାନରେ ଥିଲେ ଏବଂ ସେ ୨୦୧୪ ନିର୍ବାଚନରେ ବିଜୟୀ ହୋଇଥିଲେ । ଚାଷୀଙ୍କ ପାଇଁ ସବୁବେଳେ ଲଢ଼େଇ କରୁଥିବାରୁ ପ୍ରଦୀପ ପୁରୋହିତଙ୍କ ଉପରେ ମଧ୍ୟ ମତଦାତା ଭରସା ରଖିପାରନ୍ତି । ସେହିପରି କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁ ପୂର୍ବରୁ ପଦ୍ମପୁର ନିର୍ବାଚନ ମଣ୍ଡଳୀରୁ ୩ ଥର ବିଧାୟକ ହୋଇସାରିଥିବାରୁ ତାଙ୍କୁ ମଧ୍ୟ ଭଲ ଭୋଟ ମିଳିପାରେ ବୋଲି ରାଜନୈତିକ ସମୀକ୍ଷକମାନେ ମତ ପ୍ରକାଶ କରିଛନ୍ତି ।
ସୂଚନାଯୋଗ୍ୟ, ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀ ଓ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ଧାରଣା ଦେଇଥିବାବେଳେ ପ୍ରଥମେ ସ୍ୱାଧୀନ ପ୍ରାର୍ଥୀ ଜୟନ୍ତ ଥାପା ନିଜ ନାମାଙ୍କନ ଭରିଥିଲେ । ପରେ ବିଜେଡି ପ୍ରାର୍ଥୀ ବର୍ଷାରାଣୀ ସିଂ ବରିହା ନିରାଡମ୍ବର ଭାବେ ଦଳୀୟ ନେତା-ମନ୍ତ୍ରୀ ଓ ନିଜ ସମର୍ଥକଙ୍କ ସହ ଆସି ନାମାଙ୍କନ ପତ୍ର ଭରିଥିଲେ । ଏହି ସମୟରେ ତାଙ୍କ ସହ ବିଜେଡି ନେତ୍ରୀ ସ୍ନେହାଙ୍ଗୀନୀ ଛୁରିଆ, ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ଓ ଶତାଧିକ ସମର୍ଥକ ଉପସ୍ଥିତ ଥିଲେ । ନାମାଙ୍କନ ପୂର୍ବରୁ ବୁଢ଼ା ରାଜାଙ୍କ ଆର୍ଶୀବାଦ ନେଇଥିଲେ ବର୍ଷା । ସମର୍ଥକଙ୍କ ସହ ନାମାଙ୍କନ ଦାଖଲ ପାଇଁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯିବା ପୂର୍ବରୁ ଚାଷୀଙ୍କୁ ଭେଟିଥିଲେ ବର୍ଷା । ଚାଷୀ ନେତାଙ୍କୁ ମୁଣ୍ଡିଆ ମାରିବା ସହ ଆଶୀର୍ବାଦ ଭିକ୍ଷା କରିଥିଲେ । ଏହି ସମୟରେ ଚାଷୀ ନେତା ତାଙ୍କୁ ପରାମର୍ଶ ଦେଇ କହିଥିଲେ, ରାଜନୀତିରେ ଏକ ନୂଆ ସଂସ୍କୃତି ଆରମ୍ଭ କରନ୍ତୁ । ଆଚରଣ ବିଧି ମାନନ୍ତୁ ଓ ମଦ ମାଂସଠୁ ଦୁରେଇ ରୁହନ୍ତୁ । ଚାଷୀମାନେ ନିଜ ନେତା ନିଜେ ବାଛିବେ । ପ୍ରାର୍ଥୀ ଦେଖି ସେମାନେ ଭୋଟ୍ ଦେବେ ବୋଲି କହିଥିଲେ ।
ସେପଟେ ବର୍ଷାଙ୍କ ପରେ ବିରାଟ ଶୋଭାଯାତ୍ରାରେ ନାମାଙ୍କନ ଭରିବାକୁ ଯାଇଥିଲେ କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁ । ତାଙ୍କ ସାଥିରେ ପିସିସି ସଭାପତି ଶରତ ପଟ୍ଟନାୟକ ଓ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ସମେତ ଶତାଧିକ ସମର୍ଥକ ଉପସ୍ଥିତ ଥିଲେ । କଂଗ୍ରେସ ଉପରେ ପଦ୍ମପୁରବାସୀଙ୍କ ଭରସା ରହିଛି ବୋଲି ସତ୍ୟଭୂଷଣ ଏହି ଅବସରରେ କହିଥିଲେ । ସେପଟେ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ପ୍ରସଙ୍ଗରେ ନିର୍ବାଚନ କମିଶନଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବାବେଳେ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଏହାର ଉଲ୍ଲଙ୍ଘନ କରିଥିବା ନରସିଂହ ଅଭିଯୋଗ କରିଛନ୍ତି । ପଦ୍ମପୁରକୁ ଜିଲ୍ଲା ଘୋଷଣା କରିବା ହେଉ ବା ସବସିଡି ଇନପୁଟ ଏସବୁ ଘୋଷଣା କରିବା ଆଦର୍ଶ ଆଚରଣ ବିଧିର ଉଲ୍ଲଙ୍ଘନ ବୋଲି ସେ କହିଛନ୍ତି ।
ଦିନରେ ମୋଟ ୧୧ ଜଣ ନାମାଙ୍କନ ଦାଖଲ କରିଥିବାବେଳେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ଶେଷରେ ନିଜ ନାମାଙ୍କନ ଦାଖଲ କରିଥିଲେ । ଏହି ସମୟରେ ଦଳର ରାଜ୍ୟ ସଭାପତି ସମୀର ମହାନ୍ତି, ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର, ବରଗଡ଼ ସାଂସଦ ସୁରେଶ ପୂଜାରୀ, ବରିଷ୍ଠ ନେତା କନକବର୍ଦ୍ଧନ ସିଂଦେଓ ଓ ଗୋଲକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ପ୍ରଦୀପ ପୁରୋହିତ ପ୍ରାର୍ଥୀପତ୍ର ଦାଖଲ କରିବା ପୂର୍ବରୁ ଗୁରୁଜନ ଓ ଆନେ୍ଦାଳନରତ ଚାଷୀଙ୍କ ଆଶୀର୍ବାଦ ନେଇଥିଲେ ଓ ପଦ୍ମପୁରର ବିଭିନ୍ନ ଦାବି ରାଜ୍ୟ ସରକାରଙ୍କ ନିକଯରେ ଉପସ୍ଥାପନ କରିବେ ବୋଲି କହିଥିଲେ ।
ସେପଟେ ଗୁରୁବାର ବିଜେପି ଓ ବିଜେଡି ଉଭୟ ମିଶ୍ରଣ ପର୍ବ ପାଳନ କରିଛନ୍ତି । ଗୋଟିଏ ପଟେ ବିଜେଡିରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି ପୂର୍ବତନ ପ୍ରଶାସକ ମହେନ୍ଦ୍ର ବଢ଼େଇ । ସେପଟେ ବିଜେପିରେ ସାମିଲ ହୋଇଛନ୍ତି ପଦ୍ମପୁରର ଶତାଧିକ ଚାଷୀ । ନବୀନ ନିବାସରେ ଆୟୋଜିତ ମିଶ୍ରଣ କାର୍ଯ୍ୟକ୍ରମରେ ଶତାଧିକ ସମର୍ଥକଙ୍କ ଗହଣରେ ମହେନ୍ଦ୍ର ବିଜେଡିରେ ସାମିଲ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହେନ୍ଦ୍ରଙ୍କୁ ଦଳକୁ ସ୍ୱାଗତ କରିଛନ୍ତି । ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇ ମହେନ୍ଦ୍ର ପ୍ରଶାସକରୁ ରାଜନେତା ହୋଇଛନ୍ତି । ସେହିପରି ପଦ୍ମପୁର ନିର୍ବାଚନ ମଣ୍ଡଳୀର ଲଖମରା ପଞ୍ଚାୟତର କଂଗ୍ରେସର ପୂର୍ବତନ କେନ୍ଦ୍ରମନ୍ତ୍ରୀ କୃପାସିନ୍ଧୁ ଭୋଇଙ୍କ ପୁତୁରା ଶିଶିର କୁମାର ଭୋଇ ଓ ଖଲିଆପାଲି ପଞ୍ଚାୟତର ବାଦିମାଲା ଗ୍ରାମର ଭଜନ କୁମ୍ଭାର, ଶତ୍ରୁଘ୍ନ କୁମ୍ଭାର, ଚକ୍ର କୁମ୍ଭାର, ସୁବଲ କୁମ୍ଭାର ପ୍ରମୁଖ କଂଗ୍ରେସ ଦଳ ପରିତ୍ୟାଗ କରି ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି ।
ସୂଚନାଯୋଗ୍ୟ, ପଦ୍ମପୁର ବିଧାନସଭାର ଉପନିର୍ବାଚନ ପାଇଁ ମନୋନୟନ ଦାଖଲ ପ୍ରକ୍ରିୟା ଶେଷ ହୋଇଛି । ୧୮ ତାରିଖରେ ମନୋନୟନ ପତ୍ର ଯାଞ୍ଚ, ୨୧ ଅପରାହ୍ନ ୩ ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ସମୟ ରହିଛି ବୋଲି ରିଟର୍ଣ୍ଣିଂ ଅଫିସର କହିଛନ୍ତି । ସେହିପରି ଆସନ୍ତା ୫ ତାରିଖରେ ସକାଳ ୭ ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଭୋଟଦାନ କରାଯିବ । ଡିସେମ୍ବର ୧୦ ତାରିଖରେ ମତଗଣନା ସହ ଫଳାଫଳ ପ୍ରକାଶ ପାଇବ ବୋଲି ପ୍ରକାଶ ପାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *