୩ଠ ସୁଦ୍ଧା ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍, ବିମାନବନ୍ଦର
ଭୁବନେଶ୍ୱର (ବୁ୍ୟରୋ): ୨୦୨୩ରେ ରାଉରକେଲାରେ ଅନୁଷ୍ଠିତ ହେବାକୁ ଯାଉଛି ହକି ମହାକୁମ୍ଭ ପୁରୁଷ ହକି ବିଶ୍ୱକପ । ଏହା ପୂର୍ବରୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ କ୍ରୀଡ଼ା ସଚିବ ଭିନିଲ କ୍ରୀଷ୍ଣା ଗୁରୁବାର ରାଉରକେଲା ଗସ୍ତରେ ଯାଇ ଏକାଧିକ ନିର୍ମାଣଧୀନ ବିକାଶ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଏକ ସ୍ୱତନ୍ତ୍ର ବିମାନ ଯୋଗେ ସକାଳ ୧୦ଟା ୪୮ ମିନିଟ ସମୟରେ ଦୁହେଁ ରାଉରକେଲା ବିମାନ ବନ୍ଦରରେ ଅବତରଣ କରିଥିଲେ । ଦୁହେଁ ପ୍ରଥମେ ବିମାନ ବନ୍ଦରର ସମ୍ପ୍ରସାରଣ କାମ ତଦାରଖ କରିଥିଲେ । ପରେ, ବିପିୟୁଟି ପରିସରରେ ଚାଲିଥିବା ଦେଶର ବୃହତ୍ତମ ହକି ଷ୍ଟାଡିୟମ, ବୀର୍ସା ମୁଣ୍ଡା ଛକ ନିକଟରେ ନିର୍ମାଣାଧୀନ ଅଲ୍ଟ୍ରା ମଡର୍ଣ୍ଣ ସ୍ପୋର୍ଟସ କମ୍ପ୍ଲେକ୍ସ, ସହରରେ ଚାଲିଥିବା ଉନୟନ କାମର ପରିଦର୍ଶନ କରିଥିଲେ । ତାପରେ ବିମାନ ବନ୍ଦରରେ ବରିଷ୍ଠ ଅଧିକାରୀ ସହ ସମୀକ୍ଷ ବୈଠକ କରିଥିଲେ ।
ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର କହିଛନ୍ତି, ଚଳିତ ମାସ ୩୦ ତାରିଖ ସୁଦ୍ଧା ନିର୍ମାଣାଧୀନ ଷ୍ଟାଡିୟମ, ଚାଲିଥିବା ବିମାନ ବନ୍ଦରର ସମ୍ପ୍ରସାରଣ, ସହରର ସୋନ୍ଦର୍ଯ୍ୟକରଣ କାମ ସହ ପାରିପାର୍ଶ୍ୱିକ ଉନ୍ନୟନ କାମ ସରିବ । ଏଥିସହ ଡିସେମ୍ବର ମାସ ପ୍ରଥମ ସପ୍ତାହରେ ଅଭ୍ୟାସ ମ୍ୟାଚ ଆରମ୍ଭ ହେବ ବୋଲି ସେ ସୂଚନା ଦେଇଛନ୍ତି । ରାଉରକେଲାରେ ପ୍ରଥମ ଥର ପାଇଁ ହକି ବିଶ୍ୱକପ ହେବାକୁ ଯାଉଛି । ତେଣୁ ହକି ମ୍ୟାଚ ଦେଖିବା ଲାଗି ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ଦର୍ଶକ ରାଉରକେଲାକୁ ଆସିବେ । ତେଣୁ ଦର୍ଶକଙ୍କ ଗାଡ଼ିଗୁଡ଼ିକୁ ସୁବିଧାରେ ରଖିବା ପାଇଁ ଷ୍ଟାଡିୟମ ଚାରିପଟେ ଆଧୁନିକ ପାର୍କିଂ ସ୍ଥଳ କରାଯାଉଛି । ତା’ଛଡ଼ା ଷ୍ଟାଡିୟମ ଭିତରେ ପାନୀୟ ଜଳ ଏବଂ ଶୌଚାଳୟ ଆଦି ସୁବିଧା କରାଯାଉଛି । ଯେଉଁ ଦର୍ଶକମାନେ ଷ୍ଟାଡିୟମ ବାହାରେ ରହିଥିବେ ସେମାନଙ୍କ ପାଇଁ ବିଭିନ୍ନ ସ୍ଥାନରେ ଏଲଇଡି ଲଗାଇବାର ବ୍ୟବସ୍ଥା କରାଯାଉଛି । ଏହା ମାଧ୍ୟମରେ ସେମାନେ ହକି ମ୍ୟାଚ ଦେଖିପାରିବେ ବୋଲି ଶ୍ରୀ ମହାପାତ୍ର କହିଥିଲେ ।