ହାର୍ଦ୍ଦିକଙ୍କ ପାଇଁ କଠିନ ଟେଷ୍ଟ
ଆଜିଠୁ ନୁ୍ୟଜିଲାଣ୍ଡ ବିପକ୍ଷ ଟି-୨୦ ଶୃଙ୍ଖଳା
ୱେଲିଂଟନ୍, ୧୭ା୧୧ (ଏଜେନ୍ସି): ବିଶ୍ୱକପ୍ ବିଫଳତାକୁ ଭୁଲାଇ ଟିମ୍ ଇଣ୍ଡିଆ ‘ଯୁବ ଓ ନିର୍ଭୀକ’ ଖେଳାଳିଙ୍କ ଦମ୍ରେ ଶୁକ୍ରବାର ଠାରୁ ଆରମ୍ଭ ହେବାକୁ ଥିବା ନୁ୍ୟଜିଲାଣ୍ଡ ବିପକ୍ଷ ତିନି ମ୍ୟାଚ୍ର ଟି-୨୦ ଶୃଙ୍ଖଳାରେ ସକାରାତ୍ମକ ଅଭିଯାନ ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ । ତେବେ ଅଧିନାୟକ ଭାବେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଇଁ ଏହା ଏପର୍ଯ୍ୟନ୍ତର ସବୁଠାରୁ କଠିନ ପରୀକ୍ଷା ହେବ । ଅନ୍ୟପଟେ, ଗ୍ଲୋବାଲ୍ ଇଭେଣ୍ଟରେ ଭାରତ ଭଳି ସେମିଫାଇନାଲ୍ରେ ଅଟକିଥିବା କିୱି ଟିମ୍ ମଧ୍ୟ ତାଜା ଆରମ୍ଭ ଲକ୍ଷ୍ୟରେ ଖେଳିବ ।
ନୁ୍ୟଜିଲାଣ୍ଡ ଗସ୍ତରେ ନିୟମିତ ଅଧିନାୟକ ରୋହିତ ଶର୍ମା, ବିରାଟ କୋହଲି, ଲୋକେଶ ରାହୁଲ, ମହମ୍ମଦ ଶାମୀ, ଦିନେଶ କାର୍ତ୍ତିକ, ରବିଚନ୍ଦ୍ରନ୍ ଅଶ୍ୱିନଙ୍କ ଭଳି ବରିଷ୍ଠ ଖେଳାଳିମାନଙ୍କୁ ବାଦ୍ ଦିଆଯାଇଛି । ରୋହିତଙ୍କ ସ୍ଥାନରେ ହାର୍ଦ୍ଦିକ ଟି-୨୦ ଓ ଏହାପରେ ଶିଖର ଧାବନ୍ ଦିନିକିଆ ଟିମ୍ର ନେତୃତ୍ୱ ନେବେ । ଟିମ୍ରେ ଅନେକ ଯୁବ ଖେଳାଳିମାନଙ୍କୁ ସାମିଲ୍ କରାଯାଇଛି ।
ଟିମ୍ ଇଣ୍ଡିଆ ଟି-୨୦ ବିଶ୍ୱକପ୍ରେ ସେମିଫାଇନାଲ୍ରୁ ବିଦାୟ ନେବା ପରେ ରୋହିତଙ୍କ ସ୍ଥାନରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ସ୍ଥାୟୀ ଭାବେ କ୍ଷୁଦ୍ରତମ ଫର୍ମାଟ୍ରେ ନେତୃତ୍ୱ ଦିଆଯିବ ବୋଲି ଚର୍ଚ୍ଚା ହେଉଛି । ଆଗାମୀ ଦିନର ଟି-୨୦ ଟିମ୍ରେ ବରିଷ୍ଠ ଖେଳାଳିଙ୍କୁ କଢ଼ାଯାଇ ଯୁବ ଖେଳାଳିଙ୍କୁ ଅଗ୍ରାଧିକାର ଦିଆଯାଇପାରେ । ଏପରିକି ଟି-୨୦ ଟିମ୍ର କୋଚ୍ ବି ବଦଳିପାରନ୍ତି ।
ହାର୍ଦ୍ଦିକଙ୍କ ପାଇଁ ଏହା କଠିନ ପରୀକ୍ଷା ହେବ ବୋଲି କୁହାଯାଉଛି ଯଦିଓ ସେ ଚଳିତ ବର୍ଷ ତିନିଟି ଟି-୨୦ ଆନ୍ତର୍ଜାତିକରେ ଟିମ୍ର ସଫଳ ନେତୃତ୍ୱ ନେଇସାରିଛନ୍ତି । ସେଥିମଧ୍ୟରେ ଆୟରଲାଣ୍ଡ ବିପକ୍ଷରେ ଦୁଇଟି ମ୍ୟାଚ୍ ଓ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଗୋଟିଏ ମ୍ୟାଚ୍ ଥିଲା । ବରିଷ୍ଠ ଖେଳାଳିଙ୍କ ଅନୁପସ୍ଥିତିରେ ଏହି ତିନି ଟି-୨୦ ଆନ୍ତର୍ଜାତିକ ଯୁବ ଖେଳାଳିଙ୍କ ପାଇଁ ନିଜ ପ୍ରତିଭା ପ୍ରଦର୍ଶନର ଭଲ ସୁଯୋଗ ହେବ । କାର୍ଯ୍ୟନିର୍ବାହୀ କୋଚ୍ ଭିଭିଏସ୍ ଲକ୍ଷ୍ମଣ କହିଛନ୍ତି ଯେ ଭାରତର ଟି-୨୦ କ୍ରିକେଟ୍ର ଭବିଷ୍ୟତ ବିଶେଷଜ୍ଞ ଖେଳାଳି ଓ ଆକ୍ରମଣାତ୍ମକ ମନୋଭାବ ଉପରେ ନିର୍ଭର କରୁଛି ।
୧୫ଜଣିଆ ଟି-୨୦ ବିଶ୍ୱକପ୍ ଟିମ୍ର କେବଳ ଆଠ ଜଣ ଏହି ଶୃଙ୍ଖଳାର ଅଂଶବିଶେଷ ହୋଇଛନ୍ତି । ଈଶାନ୍ କିଶନ୍ ଓ ଶୁଭମନ ଗିଲ୍ ଭାରତର ଓପନିଂ ବିକଳ୍ପ ହୋଇପାରନ୍ତି । ତିନି ନମ୍ବର ସ୍ଥାନରେ ଶ୍ରେୟାସ ଆୟର, ସଞ୍ଜୁ ସାମ୍ସନ୍ ଓ ଦୀପକ ହୁଡ଼ାଙ୍କ ମଧ୍ୟରୁ ଜଣଙ୍କୁ ସୁଯୋଗ ମିଳିପାରେ । ସ୍ପିନର୍ ଭାବେ ଯୁଜବେନ୍ଦ୍ର ଚହଲ ଟିମ୍କୁ ଫେରିପାରନ୍ତି ।
ଅନ୍ୟପଟେ, ଘରୋଇ ସ୍ଥିତିରେ ନୁ୍ୟଜିଲାଣ୍ଡ ଫେଭରିଟ୍ ଭାବେ ଶୃଙ୍ଖଳା ଆରମ୍ଭ କରିବ । ତେବେ ଟିମ୍ର ଅଧିନାୟକ କେନ୍ ୱିଲିଅମ୍ସନ୍ ତାଙ୍କ ଟି-୨୦ ଫର୍ମ ପାଇଁ ସଂଘର୍ଷ କରୁଛନ୍ତି । ଟିମ୍ରେ ୩୬ବର୍ଷୀୟ ବ୍ୟାଟର୍ ମାର୍ଟିନ୍ ଗୁପ୍ଟିଲ୍ ଓ ଅଭିଜ୍ଞ ପେସର୍ ଟ୍ରେଣ୍ଟ ବୋଲ୍ଟଙ୍କୁ ସ୍ଥାନ ମିଳି ନାହିଁ । ଏହାସତ୍ତ୍ୱେ ନୁ୍ୟଜିଲାଣ୍ଡ ଫୁଲ୍ ଷ୍ଟ୍ରେନ୍ଥ ଟିମ୍ ସହ ମଇଦାନକୁ ଓହ୍ଲାଇବ ।
ଶେଷ ଥର ୨୦୨୦ରେ ଦୁଇ ଟିମ୍ ନୁ୍ୟଜିଲାଣ୍ଡ ଠାରେ ମୁହାଁମୁହିଁ ହୋଇଥିଲେ । ସେଥିରେ ଭାରତ ୫-୦ରେ ବିଜୟ ହାସଲ କରିଥିଲା । ତେବେ ଏହି ସ୍କୋର୍ଲାଇନ୍ର ଶୁକ୍ରବାର ଠାରୁ ଆରମ୍ଭ ହେବାକୁ ଥିବା ଶୃଙ୍ଖଳା ଉପରେ ପ୍ରଭାବ ପଡ଼ି ନ ପାରେ ।