୧ଠ୮କୁ ଶତାଧିକ ଫେକ୍ କଲ୍
ଭୁବନେଶ୍ୱର (ବୁ୍ୟରୋ): ୧୦୮ ଅ ।ମ୍ବୁଲାନ୍ସ ସେବାକୁ ଆସୁଛି ଫେକ୍କଲ । କେତେବେଳେ ଶୁଭୁଛି ମୋର ମ୍ୟାଡାମଙ୍କ ସହ କଥା ଅଛି ତ କେତେବେଳେ ଶୁଭୁଛି ଯେଉଁ ମ୍ୟାଡମ ଫାଙ୍କା ଅଛନ୍ତି, ତାଙ୍କ ସହ କଥା ହେବି । ଆଉ ପୁଣି କେବେ କହୁଛନ୍ତି ମୋର ଦେହ ଖରାପ ଅଛି ଆପଣଙ୍କ ସହ କଥା ହେଲେ ଭଲ ହୋଇଯିବ । ପ୍ରତିଦିନ ଜରୁରୀସେବା ପାଇଁ ଜାରୀ ହୋଇଥିବା ୧୦୮ନମ୍ବରକୁ ଆସୁଛି ଏପରି ଶହ ଶହ କଲ୍ । ଏହାଦ୍ୱାରା ଯୁବତୀ ଟେଲି କଲର ମାନସିକ ଭାବେ ଭାଙ୍ଗି ପଡ଼ୁଥିବାବେଳେ ପୁଲିସ୍ କିନ୍ତୁ କୌଣସି ଆଖିଦୃଶିଆ ପଦକ୍ଷେପ ନେଉନଥିବା ଅଭିଯୋଗ ହୋଇଛି । ସବୁଠୁ ଆଶ୍ଚର୍ଯ୍ୟଜନକ ଘଟଣା ହେଉଛି, ପ୍ରତିଦିନ ୧୦୮ନମ୍ବରକୁ ମୋଟ ୧୦ ହଜାରରୁ ଅଧିକ କଲ୍ ଆସୁଥିବାବେଳେ ସେଥିରୁ କେବଳ ୭ ଶହ ଫେକ୍ କଲ୍ ଆସୁଥିବା ନଜରକୁ ଆସିଛି ।
ଜରୁରୀସେବା ପାଇଁ ଜାରି ହୋଇଥିବା ୧୦୮ ଟେଲି ନମ୍ବର ସେବା ଯୋଗାଇ ଦେବାକୁ କର୍ମଚାରୀମାନେ ୨୪ ଘଣ୍ଟା କାମ କରୁଛନ୍ତି । ହେଲେ କିଛି ବଦମାସ୍ ପ୍ରକୃତିର ଲୋକେ ଏହାକୁ ନିଜର ଖୁସି ପାଇଁ ଅପବ୍ୟବହାର କରୁଛନ୍ତି । ଫୋନ୍ କରି ଅଶ୍ଲୀଳ ଭାଷାରେ ଗାଲି ଗୁଲଜ୍ କରି ମଜା ନେଉଛନ୍ତି । ଗୋଟିଏ କି ଦୁଇଟି ନୁହେଁ ପ୍ରତିଦିନ ଥରକୁ ଥର ଏପରି ଘଟଣା ଘଟୁଛି । ଏପରି ଦ୍ୱାରା ମୁଖ୍ୟତଃ ଲାଇନ୍ ବ୍ୟସ୍ତ ରହୁଥିବାବେଳେ ଯେଉଁମାନେ ସେବା ପାଇବାକୁ ହକଦାର ସେମାନେ ଏଥିରୁ ବଞ୍ଚିତ ରହୁଛନ୍ତି ।
ପ୍ରତିଦିନ ଫେକ୍ କଲ୍ କରୁଥିବା ବ୍ୟକ୍ତି ମୁଖ୍ୟତଃ ଯୁବତୀ ଟେଲି କଲରଙ୍କ ସହ କଥା ହେବାକୁ କହୁଛନ୍ତି । ଏପରିକି ବହୁ ସମୟରେ ଛୋଟ ଛୋଟ ପିଲା ବି ଅଯଥାରେ ଫୋନ୍ କରି ଲାଇନ୍ ବ୍ୟସ୍ତ ରଖୁଛନ୍ତି । ଏପରିକି ବହୁ ସମୟରେ ଆମ୍ବୁଲାନ୍ସ ଯାଇ ଫେରିକି ଆସୁଛି । ଏନେଇ ବାରମ୍ବାର ଏନେଇ ପୁଲିସ୍ରେ ଅଭିଯୋଗ କରିବା ପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନି ।
ଏନେଇ ୧୦୮ କଲ୍ ସେଣ୍ଟର୍, ପ୍ରୋଜେକ୍ଟ ହେଡ୍ ସବ୍ୟସାଚୀ ବିଶ୍ୱାଳ କହିଛନ୍ତି, ଗତ ନଭେମ୍ବର ୧୦ରେ ଆମେ ୯ ବର୍ଷ ପୂରଣ କଲୁ । ଏହି ୯ ବର୍ଷ ଭିତରେ ଆମେ ଲକ୍ଷାଧିକ ଲୋକଙ୍କୁ ସେବା ଯୋଗାଇଛୁ । ୧୧୨୪ ଆମ୍ବୁଲାନ୍ସ, ଟି ବୋଟ ଆମ୍ବୁଲାନ୍ସକୁ କଣ୍ଟ୍ରୋଲ କରିବାକୁ ୫୦୦ରୁ ଅଧିକ କର୍ମଚାରୀ ଦିନରାତି ୨୪ ଘଣ୍ଟା କାମ କରନ୍ତି । ହେଲେ ଏଠାରେ ବହୁ ଅସାମାଜିକ ଲୋକ ଫୋନ୍ କରି ଏହି ନମ୍ବରକୁ ବ୍ୟସ୍ତ ରଖୁଛନ୍ତି । ବହୁ ସ୍ଥାନରେ ସେମାନଙ୍କ ଫୋନ୍ କଲ୍ ପାଇ ଆମେ ପହଞ୍ଚିବା ବେଳକୁ କେହି ରୋଗୀ ନାହାନ୍ତି । ଏହାଦ୍ୱାରା ପ୍ରକୃତ ରୋଗୀ ସେବା ପାଇପାରିବେନି । ତେଣୁ ଦୟା କରି ଜରୁରୀକାଳୀନ ସେବା ପାଇଁ ଉଦ୍ଦିଷ୍ଟ ଏହି ନମ୍ବରକୁ ଅଯଥାରେ ବ୍ୟସ୍ତ ରଖନ୍ତୁ ନାହିଁ ବୋଲି ସେ ଅନୁରୋଧ କରିଛନ୍ତି ।