ପଦ୍ମପୁର ହେବ ଜିଲ୍ଲା
ନବୀନଙ୍କ ପ୍ରତିଶ୍ରୁତି
ଭୁବନେଶ୍ୱର, ୧୬ା୧୧ (ବୁ୍ୟରୋ): ୨୦୨୩ ଡିସେମ୍ବର ୩୧ ସୁଦ୍ଧା ପଦ୍ମପୁରକୁ ମିଳିବ ଜିଲ୍ଲା ମାନ୍ୟତା । ଓଡ଼ିଶାର ୩୧ ନଂ ଜିଲ୍ଲା ଭାବେ ସ୍ଥାନ ପାଇବ ପଦ୍ମପୁର । ଉପନିର୍ବାଚନ ଲାଗି ବିଜେଡି ଇସ୍ତାହାରରେ ବି ଏହା ସ୍ଥାନ ପାଇବ । ବୁଧବାର ପଦ୍ମପୁର କ୍ରିୟାନୁଷ୍ଠାନ କମିଟି ସଦସ୍ୟଙ୍କୁ ଏପରି ପ୍ରତିଶ୍ରୁତି ଦେଇଛନ୍ତି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପଦ୍ମପୁର ଉପନିର୍ବାଚନ ନିମନ୍ତେ ଆଚରଣ ସଂହିତା ଲାଗୁ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ହିସାବରେ ନୁହେଁ, ବିଜେଡି ସଭାପତି ହିସାବରେ ଅଞ୍ଚଳବାସୀଙ୍କୁ ଏହି ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ । ଏନେଇ କ୍ରିୟାନୁଷ୍ଠାନ କମିଟି ସଦସ୍ୟ ନବୀନୀ ନିବାସ ବାହାରେ ଗଣ ମାଧ୍ୟମ ନିକଟରେ ପ୍ରକାଶ କରିଛନ୍ତି ।
ଏହି ଖବର ପ୍ରଚାରିତ ହେବା ପରେ ପଦ୍ମପୁରବାସୀ ଉତ୍ସାହିତ ହୋଇ ପଡ଼ିଥିବାବେଳେ ସେମାନଙ୍କ ଦୀର୍ଘ ଦିନର ଦାବି ପୂରଣ ହେବ ବୋଲି କହିଛନ୍ତି । ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବି ନେଇ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ କମିଟି ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ । ନବୀନ ନିବାସରୁ ବାହାରି କମିଟିର ସଦସ୍ୟମାନେ ଆଲୋଚନା ସଫଳ ହୋଇଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇଥିଲେ । ହେଲେ ଏ ସମ୍ପର୍କରେ ଇସ୍ତାହାରରେ ଉଲ୍ଲେଖ ହେବା ପରେ ହିଁ ପଦ୍ମପୁରରେ ବିଭିନ୍ନ ସଙ୍ଗଠନ ପକ୍ଷରୁ ଚାଲିଥିବା ଆନେ୍ଦାଳନ ପ୍ରତ୍ୟାହାର କରାଯିବ ବୋଲି କମିଟି ପକ୍ଷରୁ କୁହାଯାଇଛି । ଉପନିର୍ବାଚନ ପରେ ମୁଖ୍ୟମନ୍ତ୍ରୀ ନିଜ ନିଷ୍ପତ୍ତିରୁ ଓହରିଗଲେ, ୨୦୨୪ ସାଧାରଣ ନିର୍ବାଚନରେ ଏହି ପ୍ରସଙ୍ଗକୁ ଜୋରଦାର କରାଯିବ ଓ ତାର ଜବାବ ଦିଆଯିବ ବୋଲି ସେମାନେ ଚେତାବନୀ ବି ଦେଇଛନ୍ତି ।
ସୂଚନାଯୋଗ୍ୟ, ପଦ୍ମପୁରକୁ ଜିଲ୍ଲା, ପାଇକମାଳକୁ ଏନଏସି, ପାଇକମାଳ ସ୍ୱାସ୍ଥ୍ୟକେନ୍ଦ୍ରକୁ ଉପଖଣ୍ଡସ୍ତରୀୟ ହସ୍ପିଟାଲ ଘୋଷଣା କରିବାକୁ ଦାବି ହୋଇଛି । ଏହି ପରିପ୍ରେକ୍ଷୀରେ ବୁଧବାରଠାରୁ ବିଭିନ୍ନ ସଙ୍ଗଠନ ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନେ୍ଦାଳନ ଚାଲିବ ବୋଲି ବି ଚେତାବନୀ ଦିଆଯାଇଛି । ଉପନିର୍ବାଚନ ବିଗୁଲ ବାଜି ସାରିଥିବାବେଳେ ଏବେଠୁ ଚଳଚଞ୍ଚଳ ହେଲେଣି ବିଭିନ୍ନ ରାଜନୈତିକ ଦଳ । ଦୀର୍ଘ ଦିନ ହେବ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦାବି ହୋଇ ଆସୁଥିବାବେଳେ ଏବେ କିନ୍ତୁ ଏହାକୁ ନେଇ ତେଜିଲାଣି ରାଜନୀତି । କେହି ପଦ୍ମପୁରବାସୀଙ୍କୁ ଅସନ୍ତୁଷ୍ଟ କରିବାକୁ ଚାହୁଁ ନ ଥିବା ବେଳେ ସମସ୍ତେ ତାଙ୍କ ଦାବି ସହ ରହିଥିବା ଦର୍ଶାଉଛନ୍ତି । ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି କ୍ରିୟାନୁଷ୍ଠାନ କମିଟି ନିଜ ଦାବି ଜଣାଇଥିବାବେଳେ ପଦ୍ମପୁରର ବିଭିନ୍ନ ସ୍ଥାନରେ ଜାରି ରହିଛି ଆନେ୍ଦାଳନ ।
ଆନେ୍ଦାଳନକାରୀଙ୍କ କହିବା ମୁତାବକ ୧୯୬୫ ମସିହାରୁ ଦାସ କମିଶନ ରିପୋର୍ଟରେ ୧୩ ଜିଲ୍ଲା ସମ୍ପର୍କରେ ଉଲ୍ଲେଖ ଥିଲା । ଏହାପରେ ୧୪ତମ ଜିଲ୍ଲା ପଦ୍ମପୁର ହେବ ବୋଲି କୁହାଯାଇଥିଲା । କିନ୍ତୁ ୧୯୯୩ ମସିହାରେ ସମଗ୍ର ରାଜ୍ୟକୁ ୩୦ ଜିଲ୍ଲାରେ ବିଭକ୍ତ କରାଯାଇଥିବାବେଳେ ପଦ୍ମପୁର ନାଁ କିନ୍ତୁ ନ ଥିଲା । ପଦ୍ମପୁର ଅଞ୍ଚଳରେ ୩ ବ୍ଲକ ମରୁଡ଼ି ଅଞ୍ଚଳ, ୫ ଥାନା ଅଛି । ଜିଲ୍ଲା ହେବା ପାଇଁ ଆବଶ୍ୟକ ସବୁ ନିୟମକୁ ଏହା ପାଳନ କରୁଛି । ତେଣୁ ଆମେ ଜିଲ୍ଲା ମାନ୍ୟତା ଦାବି କରୁଛୁ ବୋଲି ଏହି ଅବସରରେ ପ୍ରକାଶ ପାଇଛି ।