ଆସନ୍ତା ସପ୍ତାହରେ ଖୋଲିବ ଧବଳେଶ୍ୱର

କଟକ (ବୁ୍ୟରୋ): ବାବା ଧବଳେଶ୍ୱରଙ୍କୁ ସାଧାରଣ ଲୋକେ ଆସନ୍ତା ସପ୍ତାହରୁ ଦର୍ଶନ କରିପାରିବେ । ଝୁଲାପୋଲ ବନ୍ଦ ଥିବାରୁ ଡଙ୍ଗା ଯୋଗେ ସପ୍ତାହରେ ଚାରିଦିନ ଶ୍ରଦ୍ଧାଳୁମାନେ ଦର୍ଶନ କରିପାରିବେ । ପୂଜକ ସମିତି ସହ ପ୍ରଶାସନର ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଥିବା ଆଠଗଡ଼ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଧବଳେଶ୍ୱରଙ୍କ ପୀଠ ଖୋଲା ଅଛି । ହେଲେ ଭକ୍ତ କିପରି ପୀଠକୁ ଯାଇ ଦର୍ଶନ କରିିବେ ସେଥିପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଉଛି । ବାବାଙ୍କ ପୀଠରେ ପହଞ୍ଚିବାର ଏକମାତ୍ର ବିକଳ୍ପ ଡଙ୍ଗା । ଆସନ୍ତା ସପ୍ତାହରୁ ଆବଶ୍ୟକ ଡଙ୍ଗାର ବ୍ୟବସ୍ଥା କରାଯିବ । ମଙ୍ଗଳବାର ଠାରୁ ସର୍ବସାଧାରଣଙ୍କ ନିମନ୍ତେ ଧବଳେଶ୍ୱର ପୀଠରେ ଦର୍ଶନ ବ୍ୟବସ୍ଥା ଆରମ୍ଭ ହେବ । ଗହଳି ଦିନରେ ଡଙ୍ଗାରେ ଯାଇ ଦର୍ଶନ ବ୍ୟବସ୍ଥାକୁ ବନ୍ଦ କରାଯିବ ।
କେତେ ଶ୍ରଦ୍ଧାଳୁ ଯାଉଛନ୍ତି, କେତେ ଗହଳି ଜମୁଛି, ତାହା ଅନୁଧ୍ୟାନ କରାଯାଇ ପଦକ୍ଷେପ ନିଆଯିବ । ଡଙ୍ଗାରେ ଲାଇଫ୍‌ ଜ୍ୟାକେଟ, ଯାତ୍ରୀ ସଂଖ୍ୟା ଓ ଆନୁସଙ୍ଗିକ ସୁରକ୍ଷା ବ୍ୟବସ୍ଥାକୁ ବାଧ୍ୟତାମୂଳକ କରାଯିବ ବୋଲି ଉପଜିଲ୍ଲାପାଳ କହିଛନ୍ତି । ଏହାସହ ଝୁଲାପୋଲ ମରାମତି ନ ସରିବା ପର୍ଯ୍ୟନ୍ତ ଯାତ୍ରୀ ଏହା ଉପରେ ଯିବା ସୁରକ୍ଷିତ ନୁହେଁ । ତେଣୁ ଝୁଲା ପୋଲ ଉପରେ ଯାତାୟାତକୁ ବନ୍ଦ କରାଯାଇଛି ବୋଲି ଉପଜିଲ୍ଲାପାଳ କହିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *