ମିସାଇଲ୍ ମିସ୍ଫାୟର୍
ମସ୍କୋ/ କିବ୍ (ଏଜେନ୍ସି): ପୋଲାଣ୍ଡ ଉପରେ ହୋଇଥିବା ମିସାଇଲ୍ ମାଡ଼ ୟୁକ୍ରେନ୍ ସେନା ପକ୍ଷରୁ ଭୁଲ୍ ବଶତଃ ହୋଇଥିବା ସ୍ୱୀକାର କରିଛି ନାଟୋ । ଏଥିସହ ରୁଷ୍କୁ ନେଇ ଉଠୁଥିବା ସନେ୍ଦହ ଉପରେ ଜବନିକା ପଡ଼ିଛି ।
ପ୍ରକାଶ, ୟୁକ୍ରେନ୍ ଉପରେ ରୁଷ୍ର ଘନଘନ ଆକ୍ରମଣ ମଧ୍ୟରେ ପଡୋଶୀ ରାଷ୍ଟ୍ର ପୋଲାଣ୍ଡ ଉପରେ କ୍ଷେପଣାସ୍ତ୍ର ମାଡ଼ ହୋଇଛି । ଏଥିରେ ପୋଲାଣ୍ଡର ୨ ସାଧାରଣ ନାଗରିକ ମୃତୁ୍ୟବରଣ କରିଥିବା ବେଳେ କିଛି ଲୋକ ଗୁରୁତର ଆହତ ହୋଇଥିବା ପୋଲାଣ୍ଡ ସରକାରଙ୍କ ପକ୍ଷରୁ ଦର୍ଶାଯାଇଥିଲା । ତେବେ ପୋଲାଣ୍ଡ ଉପରେ କିଏ ଆକ୍ରମଣ କରିଛି ନା ଏହା ଭୁଲ୍ ବଶତଃ ପୋଲାଣ୍ଡକୁ ହିଟ୍ କରିଛି ପ୍ରଥମରୁ ସେସମ୍ପର୍କରେ ସ୍ପଷ୍ଟ ଚିତ୍ର ମିଳିପାରିନଥିଲା । ଫଳରେ ଏହି ଘଟଣାକୁ ନେଇ ତୃତୀୟ ବିଶ୍ୱଯୁଦ୍ଧ ଆଶଙ୍କା ସମ୍ପର୍କୀତ ଆଲାରାମ୍ ବିଶ୍ୱସ୍ତରରେ ବାଜି ଉଠିଥିଲା । କିନ୍ତୁ ଏବେ ନାଟୋର ଉପରୋକ୍ତ ସୂଚନା ଆସିବା ପରେ ସବୁକିଛି ସ୍ପଷ୍ଟ ହୋଇଯାଇଛି ।
ସବୁଠୁ ବଡ଼ କଥା ହେଉଛି ପୋଲାଣ୍ଡ ଉପରେ ଯେଉଁ କ୍ଷେପଣାସ୍ତ୍ର ମାଡ଼ ହୋଇଛି ତାହା ରୁଷ୍ ନିର୍ମିତ ଥିଲା । ରୁଷ୍ ମଧ୍ୟ ପୋଲାଣ୍ଡ ଉପରେ ଆକ୍ରମଣ ଅଭିଯୋଗକୁ ଖଣ୍ଡନ କରିଥିଲା । ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍ କହିଥିଲେ, ରୁଷ୍ ବିରୋଧରେ ତୃତୀୟ ବିଶ୍ୱଯୁଦ୍ଧକୁ ଉସୁକାଇବା ପାଇଁ ଏପ୍ରକାର ଖେଳ ଖେଳାଯାଉଛି । ପୋଲାଣ୍ଡରେ ମିସାଇଲ୍ ଆକ୍ରମଣ ପଛରେ ରୁଷ୍ର ହାତ ନଥିବା ସେ ସ୍ପଷ୍ଟ କରିଥିଲେ । ଅପରପକ୍ଷେ ଜି-୨ଠ ଶିଖର ସମ୍ମିଳନୀରେ ମଧ୍ୟ ଆମେରିକା ରାଷ୍ଟ୍ରପତି ଜୋ ବାଇଡନ୍, ପୋଲାଣ୍ଡରେ କ୍ଷେପଣାସ୍ତ୍ର ମାଡ଼ ପଛରେ ରୁଷ୍ର ହାତ ନାହିଁ ବୋଲି ସେ ହୃଦ୍ବୋଧ କରୁଥିବା କହିଥିଲେ । ଏସବୁ ସତ୍ତ୍ୱେ ତାଙ୍କ କଥାକୁ ନେଇ କେହି ଆଶ୍ୱସ୍ତ ହୋଇପାରୁନଥିଲେ କିମ୍ବା ରୁଷ୍କୁ ବିଶ୍ୱାସ କରୁନଥିଲେ । ସୂଚନାଯୋଗ୍ୟ, ପ୍ରଥମ ଥର ପାଇଁ ରୁଷ୍କୁ ସମର୍ଥନ କରିବା ଭଳି କିଛି କହିଛନ୍ତି ବାଇଡନ୍ । ଆଜି ପର୍ଯ୍ୟନ୍ତ ରୁଷ୍କୁ ସବୁ କଥାରେ ଦୋଷାରୋପ୍ କରିଆସୁଥିବା ଆମେରିକା କିନ୍ତୁ ଏହି ଘଟଣାରେ ରୁଷ୍ ସପକ୍ଷରେ ମତ ଦେଇଛି । ଏହାକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି ।
ପୋଲାଣ୍ଡର ପ୍ରେଜେୱଡୋର ଅଞ୍ଚଳରେ ଏହି କ୍ଷେପଣାସ୍ତ୍ରଟି ମାଡ଼ ହୋଇଛି । ଏଥିରେ ୨ ଜଣ ନିହତ ହୋଇଛନ୍ତି ଏବଂ ଆଉ କିଛି ଲୋକ ଆହତ ହୋଇଛନ୍ତି । ଏହାକୁ ନେଇ ନାଟୋ ସଂଗଠନ ପକ୍ଷରୁ ମଧ୍ୟ ଆଶ୍ଚର୍ଯ୍ୟ ବ୍ୟକ୍ତ କରାଯାଇଥିଲା । ମିସାଇଲ ମାଡ଼ ଘଟଣାକୁ ଗମ୍ଭୀରତାର ସହ ନେଇ ଜରୁରୀକାଳୀନ ବୈଠକ ଡାକିଛନ୍ତି ନାଟୋ ସଦସ୍ୟ ଦେଶ । ସେପଟେ ପୋଲାଣ୍ଡ ରାଷ୍ଟ୍ରପତି ଆଣ୍ଡ୍ରଜେଜ୍ ଡୁଡୋଡୋ ମଧ୍ୟ ପ୍ରତିରକ୍ଷା ବିଭାଗ ସହ ବୈଠକ କରିଥିଲେ । କୌଣସି ପରିସ୍ଥିତିରେ ମୁକାବିଲା ପାଇଁ ସତର୍କ ରହିବାକୁ ସେ ନିଜ ସେନାବାହିନୀକୁ ନିଦେ୍ର୍ଦଶ ଦେଇଛନ୍ତି । ରୁଷୀୟ ଅଧିକାରୀଙ୍କୁ ଏହି ଘଟଣାରେ ପୋଲାଣ୍ଡ ସରକାରଙ୍କ ପକ୍ଷରୁ ଜବାବ ତଲବ କରାଯାଇଛି । ନାଟୋ ମୁଖ୍ୟ ଜେନ୍ସ ଷ୍ଟାଲଟେନବର୍ଗ ଏହି ଜୀବନ ନେବା ବିସ୍ଫୋରଣର ତଦନ୍ତ ଜରୁରୀ ବୋଲି କହିଥିଲେ । ଏପରିକି ପୋଲାଣ୍ଡ ପରେ କ୍ଷେପଣାସ୍ତ୍ର ମାଡ଼କୁ ୟୁରୋପୀୟ ଦେଶମାନେ ତୀବ୍ର ନିନ୍ଦା କରିଛନ୍ତି ।
ତେବେ ରିପୋର୍ଟ ଲେଖାହେବା ବେଳକୁ ପୋଲାଣ୍ଡ ଉପରେ ହୋଇଥିବା ମିସାଇଲ୍ ଆକ୍ରମଣ ପଛରେ ରୁଷ୍ ନୁହେଁ ବରଂ ୟୁକ୍ରେନ୍ ସେନା ରହିଥିବା ନାଟୋ ସମେତ ଆମେରିକାର ପ୍ରତିରକ୍ଷା ବିଭାଗ ପେଣ୍ଟାଗନ୍ ମଧ୍ୟ ସ୍ପଷ୍ଟ କରିଛି । ରୁଷ୍ ଉପରେ ଆକ୍ରମଣ ଉଦେ୍ଦଶ୍ୟରେ ୟୁକ୍ରେନ୍ ସେନା ନିକ୍ଷେପ କରିଥିବା ମିସାଇଲ୍ଟି ଭୁଲ୍ବଶତଃ ପୋଲାଣ୍ଡ ମାଟିରେ ମାଡ଼ ହୋଇଛି ବୋଲି ପେଣ୍ଟାଗନ୍ ଦର୍ଶାଇଛି । ପ୍ରକାଶ, ରୁଷ୍ ସେନା ଏବେ ୟୁକ୍ରେନ୍ ଛାଡୁଥିବା ବେଳେ ନିଜ ସହ ନେଇଥିବା ବିଭିନ୍ନ ସାମରିକ ଉପକରଣ ଆଦି ମଧ୍ୟ ଛାଡିଦେଇଆସୁଛନ୍ତି । ସୁତରାଂ ଏସବୁକୁ ୟୁକ୍ରେନ୍ ସେନା ଏବେ ରୁଷ୍ ବିରୋଧରେ ବ୍ୟବହାର କରୁଥିବା ଅନୁମାନ କରାଯାଉଛି ।