କାହାକୁ କିଛି ପ୍ରମାଣିତ କରିବାର ଆବଶ୍ୟକତା ନାହିଁ
ଭନ୍ଙ୍କୁ ପାଣ୍ଡ୍ୟାଙ୍କ ଦୃଢ଼ ଜବାବ
ୱେଲିଂଟନ୍, ୧୬ା୧୧ (ଏଜେନ୍ସି): ନୁ୍ୟଜିଲାଣ୍ଡ ବିପକ୍ଷ ଟି-୨୦ ଶୃଙ୍ଖଳା ଖେଳିବା ପାଇଁ ଟିମ୍ ଇଣ୍ଡିଆ ପୂର୍ଣ୍ଣ ପ୍ରସ୍ତୁତ ରହିଛି । ଏହି ଶୃଙ୍ଖଳାରେ ଅଲ୍ରାଉଣ୍ଡର୍ ହାର୍ଦ୍ଦିକ ପାଣ୍ଡ୍ୟା ଭାରତୀୟ ଟିମ୍ର ଅଧିନାୟକତ୍ୱ କରୁଛନ୍ତି । ଚର୍ଚ୍ଚା ହେଉଛି ଯେ ଟି-୨୦ ଫର୍ମାଟ୍ରେ ଟିମ୍ ଇଣ୍ଡିଆରେ ପରିବର୍ତ୍ତନର ସମୟ ଆରମ୍ଭ ହୋଇଯାଇଛି ଏବଂ ଏବେ ଠାରୁ ଯୁବ ଖେଳାଳିମାନଙ୍କୁ କ୍ଷୁଦ୍ରତମ ଫର୍ମାଟ୍ରେ ଅଗ୍ରାଧିକାର ଦିଆଯିବ । ଟି-୨୦ ବିଶ୍ୱକପ୍ରେ ଟିମ୍ ଇଣ୍ଡିଆର ବିଫଳତା ଯୋଗୁଁ ଏଭଲି ନିଷ୍ପତ୍ତି ନିଆଯାଉଛି ।
ଭାରତୀୟ ଟିମ୍ ଗତ ସପ୍ତାହରେ ଟି-୨୦ ବିଶ୍ୱକପ୍ ସେମିଫାଇନାଲ୍ରେ ଇଂଲଣ୍ଡ ବିପକ୍ଷରେ ଶୋଚନୀୟ ପରାଜୟ ବରଣ କରିଥିଲା । ଏହାପରେ କେତେକ ପୂର୍ବତନ କ୍ରିକେଟର୍ ଓ ପ୍ରଶଂସକ ଟିମ୍ ଇଣ୍ଡିଆର ସମାଲୋଚନା କରିଥିଲେ । ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ୍ ଭନ୍ ମଧ୍ୟ ସମାଲୋଚକଙ୍କ ମଧ୍ୟରେ ସାମିଲ୍ ଥିଲେ । ଇଂଲଣ୍ଡ ବିପକ୍ଷ ପରାଜୟ ପରେ ଭନ୍ ଭାରତୀୟ ଟିମ୍କୁ କ୍ରିକେଟ୍ ଇତିହାସର ସବୁଠାରୁ ଖରାପ ପ୍ରଦର୍ଶନ କରିଥିବା ଟିମ୍ ଭାବେ ଅଭିହିତ କରିଥିଲେ ।
ଭନ୍ କହିଥିଲେ, “ଭାରତ ନିଜ ଘରେ ୨୦୧୧ରେ ଦିନିକିଆ ବିଶ୍ୱକପ୍ ଜିତିବା ପର ଠାରୁ କିଛି ବି ହାସଲ କରି ନାହିଁ । ଟିମ୍ ଇଣ୍ଡିଆ ହ୍ୱାଇଟ୍ ବଲ୍ କ୍ରିକେଟ୍ ଇତିହାସରେ ସବୁଠାରୁ ଅଣ୍ଡର୍ପର୍ଫର୍ମଙ୍ଗ୍ ଟିମ୍ ।”
ନୁ୍ୟଜିଲାଣ୍ଡ ଗସ୍ତରେ ଭାରତୀୟ ଟି-୨୦ ଟିମ୍ର ଅଧିନାୟକ ଦାୟିତ୍ୱ ପାଇଥିବା ହାର୍ଦ୍ଦିକ ପାଣ୍ଡ୍ୟା ଏବେ ଏହା ଉପରେ ପ୍ରତିକ୍ରିୟା ଦେଇଛନ୍ତି । ସେ ଭନ୍ଙ୍କୁ କଡ଼ା ଜବାବ ଦେଇ କହିଛନ୍ତି ଯେ ସେମାନେ କାହାକୁ କିଛି ପ୍ରମାଣିତ କରିବାର ଆବଶ୍ୟକତା ନାହିଁ ।
ହାର୍ଦ୍ଦିକ କହିଛନ୍ତି, “ଯେତେବେଳେ ଆମେ ଭଲ ପ୍ରଦର୍ଶନ କରୁ ନାହୁଁ, ଲୋକମାନଙ୍କର ନିଜ ବିଚାର ବ୍ୟକ୍ତ କରିବାର ସ୍ୱାଧୀନତା ଅଛି ଏବଂ ଆମେ ଏହାର ସମ୍ମାନ କରୁ । ମୁଁ ବୁଝେ ଯେ ଭିନ୍ନ ଭିନ୍ନ ଲୋକଙ୍କର ଭିନ୍ନ ଭିନ୍ନ ବିଚାର ରହିଛି । ଆନ୍ତର୍ଜାତିକ ସ୍ତରରେ ମତେ ଲାଗୁ ନାହିଁ ଯେ ଆମକୁ କାହାରିକୁ କିଛି ପ୍ରମାଣିତ କରିବାର ଆବଶ୍ୟକତା ଅଛି । ଏହା ଖେଳ ଏବଂ ଆପଣ ସବୁବେଳେ ଏଥିରେ ଆହୁରି ଭଲ କରିବାକୁ ଚେଷ୍ଟା କରନ୍ତି । ଯେତେବେଳେ ଯାହା ଫଳାଫଳ ଆସିବାର ଅଛି, ଆସିବ । ଆମକୁ କିଛି ଦିଗରେ କାମ କରିବାର ଆବଶ୍ୟକତା ଅଛି ଏବଂ ଆମେ ଏଥିପାଇଁ ତତ୍ପର ଅଛୁ ।”
ହାର୍ଦ୍ଦିକ ଆହୁରି ମଧ୍ୟ କହିଛନ୍ତି ଯେ ୨୦୨୪ ଟି-୨୦ ବିଶ୍ୱକପ୍ ପାଇଁ ଏବେ ଠାରୁ ରୋଡ୍ମ୍ୟାପ୍ ପ୍ରସ୍ତୁତ ହୋଇସାରିଛି । ଆଗାମୀ ଦିନରେ ଅନେକ ଖେଳାଳିଙ୍କୁ ପର୍ଯ୍ୟାପ୍ତ ସୁଯୋଗ ଦିଆଯିବ, ଯଦ୍ଦ୍ୱାରା ସେମାନେ ଟିମ୍ରେ ନିଜକୁ ବଜାୟ ରଖିବାର କାରଣ କହିପାରିବେ ।
ସେ କହିଛନ୍ତି, “ଏହି ଶୃଙ୍ଖଳାରେ ବରିଷ୍ଠ ଖେଳାଳିମାନଙ୍କ ଅନୁପସ୍ଥିତିରେ ଯୁବ ଖେଳାଳିମାନଙ୍କ ପାଖରେ ନିଜକୁ ପ୍ରମାଣିତ କରିବାର ସୁଯୋଗ ରହିଛି । ୱେଷ୍ଟଇଣ୍ଡିଜ୍ ଓ ଆମେରିକା ଠାରେ ଟି-୨୦ ବିଶ୍ୱକପ୍ ୨୦୨୪ ଆୟୋଜିତ ହେବ । ଦୁଇ ବର୍ଷର ସମୟ ବାକି ଅଛି । ଏହା ଭିତରେ ଯଥେଷ୍ଟ କ୍ରିକେଟ୍ ଖେଳିବାର ଅଛି । ଏପରିସ୍ଥଳେ ଯୁବ ଖେଳାଳିଙ୍କ ପ୍ରତିଭାକୁ ପରଖିବାର ଭଲ ସୁଯୋଗ ରହିଛି ।” ନୁ୍ୟଜିଲାଣ୍ଡ ବିପକ୍ଷ ଟି-୨୦ ଶୃଙ୍ଖଳା ନଭେମ୍ବର ୧୮ରୁ ଆରମ୍ଭ ହେବ । ରୋହିତ ଶର୍ମା, ବିରାଟ କୋହଲି ଓ ଲୋକେଶ ରାହୁଲଙ୍କ ଭଳି ବରିଷ୍ଠ ଖେଳାଳି ଏହି ଶୃଙ୍ଖଳାରେ ଖେଳିବେ ନାହିଁ ।