ନାସାର ମୁନ୍ ମିଶନ୍
ଫ୍ଲୋରିଡା, ୧୬ା୧୧: ଆମେରିକୀୟ ମହାକାଶ ଏଜେନ୍ସି ନାସାର ବହୁ ପ୍ରତୀକ୍ଷିତ ମୁନ୍ ମିଶନ୍ ‘ଆର୍ଟିମିସ୍-୧’ ବୁଧବାର ଲଞ୍ଚ୍ ହୋଇଛି । ଏହି ରକେଟ୍ ଫ୍ଲୋରିଡାର କେନେଡେି ସ୍ପେସ୍ ସେଣ୍ଟରରୁ ଭାରତୀୟ ସମୟ ଅପରାହ୍ନ ୧୨.୧୭ରେ ଉଡାଣ ଭରିଛି । ପୂର୍ବରୁ ୨ଥର ଅଗଷ୍ଟ ୨୯ ଓ ସେପ୍ଟେମ୍ବର ୩ରେ ଆର୍ଟିମିସ୍-୧ ଉତ୍କ୍ଷେପଣ ଉଦ୍ୟମ ହୋଇଥିଲା । କିନ୍ତୁ ଯାନ୍ତ୍ରିକ ବିଭ୍ରାଟ ଓ ଖରାପ ପାଗ ଯୋଗୁଁ ତାହାକୁ ଟାଳି ଦିଆଯାଇଥିଲା ।
ନାସା ସୂତ୍ର ଅନୁଯାୟୀ, ଉତ୍କ୍ଷେପଣର କିଛି ସମୟ ପରେ ହିଁ ରକେଟ୍ ଓରିଅନ୍ ସ୍ପେସ୍ କ୍ରାପ୍ଟକୁ ଚନ୍ଦ୍ର ଅଭିମୁଖେ ଛାଡିଥିଲା । ଆସନ୍ତା ସୋମବାର ଓରିଅନ୍ ଚନ୍ଦ୍ରଠାରୁ ୯୬.୫ କିଲୋମିଟର ଦୂରତା ଦେଇ ଗତି କରିବ । ଏହା ଚନ୍ଦ୍ର କକ୍ଷକୁ ଏକାଧିକ ସାଟେଲାଇଟ୍ ମଧ୍ୟ ଛାଡିବ । ଓରିଅନ୍ କିଛି ସପ୍ତାହ ମହାକାଶରେ ବିତାଇ ଡିସେମ୍ବର ୧୧ ତାରିଖ ଦିନ ପୃଥିବୀ ବାୟୁମଣ୍ଡଳକୁ ଫେରି ଆସି ଅବଶେଷରେ ପ୍ରଶାନ୍ତ ମହାସାଗରରେ ପଡିବ ।
ନାସା ୧୯୭୨ରେ ଚନ୍ଦ୍ର ଅଭିମୁଖେ ପଠାଇଥିଲା ଆପୋଲୋ ଯାନ । ୫୦ ବର୍ଷ ପରେ ଏହି ଯେଉଁ ମୁନ୍ ମିଶନ୍ ଲଞ୍ଚ୍ ହେଲା ସେଥିରେ ପଠାଯାଇଥିବା ମହାକାଶ ଯାନ ଓରିଅନ୍କୁ ମହାକାଶକୁ ନେଇ ଯିବା ପାଇଁ ନାସା ପୃଥିବୀର ସବୁଠାରୁ ଶକ୍ତିଶାଳୀ ରକେଟ୍ ଏସ୍ଏଲ୍ଏସ୍ ନିର୍ମାଣ କରିଛି । ଆର୍ଟିମିସ୍ ୨ ଓ ଆର୍ଟିମିସ୍ ୩ ଯଥାକ୍ରମେ ୨୦୨୪ ଓ ୨୦୨୫/୨୬ରେ ଲଞ୍ଚ୍ କରାଯିବ । ଏଥର ଓରିଅନ୍ରେ ସ୍ପେସ୍ କ୍ୟାପସୁଲ୍ରେ ପରୀକ୍ଷାମୂଳକ ଭାବେ ମନୁଷ୍ୟ ପରିବର୍ତ୍ତେ ଡମି ପଠାଯାଇଛି । ପରବର୍ତ୍ତୀ ମିଶନରେ ପ୍ରଥମ ଥର ପାଇଁ ଅଶ୍ୱେତ ମହିଳାଙ୍କୁ ମୁନ୍ ମିଶନରେ ସାମିଲ୍ କରାଯିବ ।
ସେମାନେ ଚନ୍ଦ୍ରର ଦକ୍ଷିଣ ମେରୁରେ ଥିବା ପାଣି ଓ ବରଫ ଉପରେ ଗବେଷଣା କରିବେ । ଆର୍ଟିମିସ୍ ମିଶନ ପାଇଁ ମୋଟ୍ ୭୪୩୪ ଶହ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଏପର୍ଯ୍ୟନ୍ତ ଏହି ପ୍ରକଳ୍ପ ବାବଦରେ ୨୯୪୯ ଶହ କୋଟି ଟଙ୍କା ଖର୍ଚ୍ଚ କରାଗଲାଣି ।