ରାଷ୍ଟ୍ର ନିର୍ମାଣରେ ଗଣମାଧ୍ୟମର ପ୍ରମୁଖ ଭୂମିକା ରହିଛି
କଟକ (ବୁ୍ୟରୋ)ରାଷ୍ଟ୍ର ନିର୍ମାଣରେ ଗଣମାଧ୍ୟମର ପ୍ରମୁଖ ଭୂମିକା ରହିଛି । ଏହିପରିପ୍ରେକ୍ଷୀରେ ଗଠନମୂଳକ ସମ୍ବାଦ ସଂସ୍କାରଜନିତ ପରିବର୍ତ୍ତନକୁ ଗ୍ରହଣୀୟ କରାଇଥାଏ । ସମ୍ବାଦ ପରିବେଷଣର ଗୁରୁତ୍ୱକୁ ଉପଲବ୍ଧି କରି ଆନୁଷଙ୍ଗିକ ଦିଗପ୍ରତି ଧ୍ୟାନ ଦେଇ ସୂଚନାର ଆଧାରକୁ ପରଖିବା ଆବଶ୍ୟକ । ଯାହାଫଳରେ ଗଣତନ୍ତ୍ର ସୁଦୃଢ଼ ହେବା ସହ ଏକ ବିକାଶମୁଖୀ ରାଷ୍ଟ୍ରଗଠନ ଦିଗରେ ସହାୟକ ହୋଇଥାଏ । ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ପ୍ରେସ ଦିବସ ସମାରୋହରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ସିଏମସି ମେୟର ସୁବାସ ସିଂ ପ୍ରକାଶ କରିଛନ୍ତି । ସେ କହିଛନ୍ତି, ଗଣମାଧ୍ୟମ ଗଣତନ୍ତ୍ରର ଚତୁର୍ଥସ୍ତମ୍ଭ ଭାବେ ପରିଚିତ । ସାମାଜିକ ବିକାଶରେ ଗଣମାଧ୍ୟମର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଜାତି, ବର୍ଣ୍ଣ, ଧର୍ମ ନିର୍ବିଶେଷରେ ସାମ୍ବିଧାନିକ ବ୍ୟବସ୍ଥା ମଧ୍ୟରେ ସମସ୍ତଙ୍କୁ ସମାନ ଅଧିକାର ପ୍ରାପ୍ତ କରାଇବାରେ ଗଣମାଧ୍ୟମ ଏକ ବଳିଷ୍ଠ ମାଧ୍ୟମ ବୋଲି ସର୍ବସାଧାରଣରେ ବିବେଚନା କରାଯାଏ । ଏକ ସ୍ୱାଧୀନ ନିରପେକ୍ଷ ନିର୍ବିବାଦୀୟ ସମ୍ବାଦ ପରିବେଷଣ କରୁଥିବା ଗଣମାଧ୍ୟମ ସଂସ୍ଥାଗୁଡ଼ିକ ଜନସାଧାରଣଙ୍କ ଆସ୍ଥାଭାଜନ ହୋଇଥାନ୍ତି । ସ୍ୱାଧୀନ ଭାବେ କାହାଦ୍ୱାରା ପ୍ରଲୋଭିତ ନହୋଇ ସ୍ପଷ୍ଟ ଓ ଦୃଢ଼ ସୂଚନାକୁ ଆଧାର କରି ସମ୍ବାଦ ପରିବେଷଣ କଲେ ତାହା ରାଷ୍ଟ୍ରନିର୍ମାଣ ବା ଦେଶ ଗଠନ ପ୍ରକ୍ରିୟାରେ ସୁଧାର ଓ ସମୃଦ୍ଧି ଆଣିଥାଏ ବୋଲି ଶ୍ରୀ ମେୟର କହିଛନ୍ତି ।
ସେହିପରି ଜିଲ୍ଲା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲଲାଟେନ୍ଦୁ ମହାପାତ୍ର ସ୍ୱାଗତ ଭାଷଣ ପ୍ରଦାନ ପୂର୍ବକ କହିଲେ ଯେ ରାଜ୍ୟ ସରକାର ସାମ୍ବାଦିକମାନଙ୍କର ବିବିଧ ସମସ୍ୟାର ସମାଧାନ ନିମନ୍ତେ ଅନେକ କଲ୍ୟାଣମୂଳକ ପଦକ୍ଷେପ ଗ୍ରହଣ କରିବା ସହ କାର୍ଯ୍ୟରତ ସାମ୍ବାଦିକମାନଙ୍କ ନିମନ୍ତେ ଗୋପବନ୍ଧୁ ସ୍ୱାସ୍ଥ୍ୟବୀମା ଯୋଜନା, ସାମ୍ବାଦିକ କଲ୍ୟାଣ ପାଣ୍ଠି, ଆକସ୍ମିକ ମୃତୁ୍ୟ କ୍ଷେତ୍ରରେ ଆର୍ଥିକ ସହାୟତା, ସେମାନଙ୍କ ପିଲାମାନଙ୍କୁ ପଢ଼ିବା ପାଇଁ ସହାୟତା ଭଳି ଅନେକ ସାମାଜିକ ସୁରକ୍ଷା ଯୋଜନା କାର୍ଯ୍ୟକାରୀ କରିଆସୁଛି ବୋଲି ଶ୍ରୀ ମହାପାତ୍ର ମତବ୍ୟକ୍ତ କରିଥିଲେ । ସେହିପରି ବରିଷ୍ଠ ସାମ୍ବାଦିକ ତଥା ନିୟୁଜ ୭ର ସ୍ଥାନୀୟ ପ୍ରତିନିଧି ଦେବୀ ପ୍ରସାଦ ମହାନ୍ତି କହିଲେ ଯେ ସ୍ରୋତର ପ୍ରତିକୂଳରେ ପହଁରିବାର ଅଭ୍ୟାସ ସାମ୍ବାଦିକଙ୍କର ରହିଛି । ଏକଦା ସୋମାଲିଆର ବୁଭୁକ୍ଷୁ ଶିଶୁମାନଙ୍କର ଏକ ଫଟୋଚିତ୍ର ଏବଂ ଆଫଗାନିସ୍ଥାନ ଯୁଦ୍ଧ ବିଭୀଷିକାର ଏକ ଆଲୋକଚିତ୍ର ସମଗ୍ର ବିଶ୍ୱକୁ ଆନେ୍ଦାଳିତ କରିଥିଲା । ବ୍ୟବସ୍ଥା ଭିତରେ ରହି ନିରପେକ୍ଷଭାବେ କର୍ତ୍ତବ୍ୟ ସମ୍ପାଦନ କରିବା ଆମର ନୈତିକ ଦାୟିତ୍ୱ ଯାହାକି ରାଷ୍ଟ୍ର ନିର୍ମାଣ ଦିଗରେ ପ୍ରେରିତ । କୌଣସି ପ୍ରଲୋଭନର ଶିକାର ନହୋଇ ନୀତିନିଷ୍ଠ ଭାବରେ କାର୍ଯ୍ୟ ନିର୍ବାହ କଲେ ତାହାହିଁ ଶ୍ରେଷ୍ଠ ସାମ୍ବାଦିକତାର ପରିଚୟ ହେବ ବୋଲି ସେ ମତବ୍ୟକ୍ତ କରିଥିଲେ । ପରିଶେଷରେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଭାରତୀୟ ପ୍ରେସ ପରିଷଦଙ୍କ ନିର୍ଦେଶାବଳୀ ଅନୁଯାୟୀ ଚଳିତବର୍ଷ ରାଷ୍ଟ୍ର ନିର୍ମାଣରେ ଗଣମାଧ୍ୟମର ଭୂମିକା ଶୀର୍ଷକ ବିଷୟବସ୍ତୁକୁ ଆଧାର କରି ପ୍ରେସ ଦିବସରେ ପର୍ଯ୍ୟାଲୋଚନା କରିବା ନିମନ୍ତେ ପରାମର୍ଶ ଦିଆଯାଇଛି ।