ବାଜି ମାରିଲା ବିଜେଡି
ସମ୍ମିଳିତ ପୁରୀ-ନିମାପଡ଼ା କେନ୍ଦ୍ର ସମବାୟ ସମିତି ସଭାପତି ନିର୍ବାଚନ
ପୁରୀ (ବୁ୍ୟରୋ): ସମ୍ମିଳିତ ପୁରୀ-ନିମାପଡ଼ା କେନ୍ଦ୍ର ସମବାୟ ସମିତି ଲିଃର ବୁଧବାର ସଭାପତି ନିର୍ବାଚନ ବୁଧବାର ଅନୁଷ୍ଠିତ ହୋଇଛି । ଏହି ନିର୍ବାଚନରେ ବିଜେଡି ବାଜିମାତ୍ ମାରିଛି । ବିଜେଡି ପ୍ରାର୍ଥୀ କିଶୋର ଛୋଟରାୟ ବ୍ୟାଙ୍କ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ବ୍ୟାଙ୍କ ଅଧ୍ୟକ୍ଷ ପଦ ପାଇଁ କିଶୋର ଛୋଟରାୟ ଓ ବନରଞ୍ଜନ ପଟ୍ଟନାୟକଙ୍କ ମଧ୍ୟରେ ନିର୍ବାଚନ ହୋଇଥିଲା । ମୋଟ ୧୫ଜଣ ନିଦେ୍ର୍ଦଶକ ପଦବୀ ରହିଥିବା ବେଳେ କିଶୋରଙ୍କୁ ୧୨ଖଣ୍ଡ ଭୋଟ ମିଳିଥିବା ବେଳେ ବନରଞ୍ଜନଙ୍କୁ ୩ଖଣ୍ଡ ଭୋଟ ମିଳିଥିଲା । ଫଳରେ କିଶୋରଙ୍କୁ ୧୨ଖଣ୍ଡ ଭୋଟ ମିଳିଥିବାରୁ ନିର୍ବାଚନ ଅଧିକାରୀ ଦିଲ୍ଲୀପ କୁମାର ମହାପାତ୍ର ବିଧିବଦ୍ଧ ଭାବେ କିଶୋରଙ୍କୁ ସଭାପତି ଭାବେ ଘୋଷଣା କରିଥିଲେ । ଏହାକୁ ନେଇ ବିଜେଡି ମହଲରେ ଖୁସିର ଲହରୀ ଖେଳିଯାଇଛି ।
ଅନ୍ୟପକ୍ଷରେ କିଶୋର ନୂତନ ଭାବେ ସଭାପତି ନିର୍ବାଚନ ହେବା ପରେ ଆଗାମୀ ଦିନରେ ବ୍ୟାଙ୍କ କିଭଳି ଉନ୍ନତୀକରଣ କରିବା ସହ ସାଧାରଣ ଲୋକଙ୍କ ଲାଗି କାର୍ଯ୍ୟ କରିବି ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏହି ସମୟରେ ବିଜେଡି ପକ୍ଷରୁ ଜିଲ୍ଲାପର୍ଯ୍ୟବେକ୍ଷକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ମନ୍ତ୍ରୀ ମହେଶ୍ୱର ମହାନ୍ତି, ପୂର୍ବତନ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା, କ୍ରୀଡ଼ାମନ୍ତ୍ରୀ ତୁଷାରିକାନ୍ତି ବେହେରା, ଯୁବ ବିଜେଡିର ରାଜ୍ୟ ଉପସଭାପତି ଶୁଭାଶିଷ ଖୁଣ୍ଟିଆଙ୍କ ସମେତ ଅନ୍ୟ ନେତୃମଣ୍ଡଳୀ ଉପସ୍ଥିତ ଥିଲେ ।
ସୂଚନାଥାଉକି, ସଭାପତି ପଦଲାଗି ଗତ ୧୦ରେ ନାମାଙ୍କନ ଦାଖଲ ହୋଇଥିବା ବେଳେ ବିଜେଡି ସମର୍ଥିତ ୯ନମ୍ବର ଜୋନ୍ରୁ ବିଜୟୀ ହୋଇଥିବା କିଶୋର କୁମାର ଛୋଟରାୟ ସଭାପତି ଲାଗି ନାମାଙ୍କନ ଦାଖଲ କରିଥିଲେ । ସେହିଭଳି ମିଳିତମଞ୍ଚ ପକ୍ଷରୁ ୪ନମ୍ବର ଜୋନ୍ରୁ ବିଜୟୀ ହୋଇଥିବା ବନରଞ୍ଜନ ପଟ୍ଟନାୟକ ସଭାପତି ପଦଲାଗି ନାମାଙ୍କନ ଦାଖଲ କରିଥିଲେ ।