ନାମାଙ୍କନ ଛକାପଞ୍ଝା
ଶକ୍ତି ପ୍ରଦର୍ଶନ ସହ ୩ ଦଳ ଭରିବେ ପ୍ରାର୍ଥôପତ୍ର
ଭୁବନେଶ୍ୱର, ୧୬ା୧୧ (ବୁ୍ୟରୋ): ପାଖେଇ ଆସୁଛି ପଦ୍ମପୁର ଉପ-ନିର୍ବାଚନ । ଏହା ପୂର୍ବରୁ ନାମାଙ୍କନ ଦାଖଲକୁ ନେଇ ଜାରି ରହିଛି ଛକାପଞ୍ଝା । ତିନି ପ୍ରମୁଖ ଦଳଙ୍କ ପ୍ରାର୍ଥୀ ଏବେ ଯାଏଁ ନାମାଙ୍କନ ଦାଖଲ କରିନାହାନ୍ତି । ବିଜେପି ନୋମିନେସନ୍ ପୂର୍ବରୁ ଫେରିବା ପରେ ଏବେ ଅନ୍ୟ ଦଳ ବି ନିଜ ଋଣନୀତି ପରିବର୍ତ୍ତନ କରିଛନ୍ତି । ଆସନ୍ତାକାଲି ପଦ୍ମପୁରରେ ୩ ପ୍ରମୁଖ ଦଳର ଶକ୍ତି ପ୍ରଦର୍ଶନ ଦେଖବାକୁ ମିଳିବ । ଆସନ୍ତାକାଲି ନାମାଙ୍କନ ଭରିବାର ଶେଷ ତାରିଖ ଥିବାରୁ ୩ ପ୍ରମୁଖ ଦଳର ପ୍ରାର୍ଥୀ ନିଜ ସମର୍ଥକଙ୍କ ସହ ନାମାଙ୍କନ ଦାଖଲ କରିବେ ।
ସୋମବାର ଆନେ୍ଦାଳନରତ ଚାଷୀଙ୍କ ଅନୁରୋଧ କ୍ରମେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ଠିକ୍ ନାମାଙ୍କନ ଦାଖଲ ପୂର୍ବରୁ ଅଟକି ଯାଇଥିଲେ । ସମାନ ଧର୍ମ ସଙ୍କଟରେ ଏବେ ବିଜେଡି । କାହିଁକି ନା ପଦ୍ମପୁର ଉପଜିଲ୍ଲାପାଳଙ୍କ ଅଫିସ୍ ଆଗରେ ଆନେ୍ଦାଳନରତ ଚାଷୀ ସଙ୍ଗଠନ ନାମାଙ୍କନ ପତ୍ର ଦାଖଲ ନ କରିବା ଲାଗି ଦଳକୁ ଅନୁରୋଧ କରିଛି । ବିଜେଡି କିନ୍ତୁ ୧୬ ତାରିଖ ଅର୍ଥାତ ବୁଧବାର ନାମାଙ୍କନ ପତ୍ର ଦାଖଲ କରିବ ବୋଲି ପୂର୍ବରୁ ଘୋଷଣା କରିଥିଲା । କିନ୍ତୁ ବିଜେପିର ୱେଟ୍ ଆଣ୍ଡ ୱାଚ୍ ନୀତି ପରେ ବିଜେଡି ମଧ୍ୟ ଏହାର ଋଣନୀତି ବଦଳାଇଛି । ପଦ୍ମପୁରରେ ପ୍ରଚାରକୁ ବିଜେଡି ସରଗରମ କରିଛି । ବିଜେଡି ପ୍ରାର୍ଥୀ ବର୍ଷା ସିଂହ ବରିହା ମନ୍ତ୍ରୀ, ବିଧାୟକଙ୍କ ସହ ପାଇକାମାଳରେ ବୁଧବାର ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି । ସର୍ଗିପାଲି ସଭାରେ ଯୋଗ ଦେଇ ଭାବବିହ୍ୱଳ କଣ୍ଠରେ ସଭାମଞ୍ଚରୁ ବର୍ଷା ଭୋଟରଙ୍କ ଆଶୀର୍ବାଦ ଲୋଡିଛନ୍ତି । ପଦ୍ମପୁରବାସୀଙ୍କ ସହ ତାଙ୍କ ବାପାଙ୍କ ଥିବା ସମ୍ପର୍କକୁ ଆଗେଇ ନେବାକୁ ସଭା ମଞ୍ଚରୁ ତଳକୁ ଓହ୍ଲାଇ ଆସି ଜନସାଧାରଣଙ୍କ ଆର୍ଶୀବାଦ ଭିକ୍ଷା କରିଛନ୍ତି । ଆରମ୍ଭରୁ ଶେଷ ଯାଏଁ ବର୍ଷା ଥିଲେ ସଭାର ଆକର୍ଷଣ ।
ନାମାଙ୍କନ ପତ୍ର ଦାଖଲ ପାଇଁ ଆଉ ଗୋଟିଏ ଦିନ ବାକି ଥିବାବେଳେ ବିଜେଡି ଶକ୍ତି ବଢାଇବାରେ ଲାଗିଛି । ପଦମପୁରର ବିଭିନ୍ନ ଜୋନରେ ବିଜେଡି ବିରାଟ ସଭାକରି ଭୋଟରଙ୍କୁ ଏକଜୁଟ କରୁଛି । ୧ ନଂ ଜୋନରେ ୮ ପଞ୍ଚାୟତର ଲୋକଙ୍କୁ ନେଇ ସର୍ଗିବାହାଲରେ ରାଜନୈତିକ ସଭା ହୋଇଛି । ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ବିଷୟରେ ଭୋଟରଙ୍କୁ ନେତା ସଚେତନ କରିଛନ୍ତି । ସେହିପରି ପଦମପୁର ନିର୍ବାଚନ ମଣ୍ଡଳୀ ଅଧୀନ ପାଇକମାଳରେ ବିଜେଡିର କର୍ମୀ ସମ୍ମିଳନୀ ଆୟୋଜିତ ହୋଇଛି । ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ସମେତ ମନ୍ତ୍ରୀ ଟୁକୁନୀ ସାହୁ, ପୂର୍ବତନ ମନ୍ତ୍ରୀ ଅରୁଣ ସାହୁଙ୍କ ସମେତ ବହୁ ବରିଷ୍ଠ ବିଜେଡି ନେତା ସମ୍ମଳନୀରେ ଉପସ୍ଥିତ ଥିବା ଜଣାପଡ଼ିଛି ।
ଏନେଇ ବିଜେପି ସମର୍ଥିତ ପ୍ରାର୍ଥୀ ପ୍ରଦୀପ ପୁରୋହିତ କହିଛନ୍ତି, ପଦ୍ମୁପରବାସୀଙ୍କ ସହ ଯିଏ ଛିଡ଼ା ହେବ ସେମାନେ ତାକୁ ବିଧାୟକ ଭାବେ ଚୟନ କରିବେ । ମୋ ମତରେ ପଦ୍ମପୁରବାସୀ ନିଜ ବିଧାୟକ ବାଛିସାରିଛନ୍ତି କେବଳ ଭୋଟ୍ ଓ ଫଳଫଳ ବାକି ଅଛି ବୋଲି ସେ କହିଛନ୍ତି । ବଡ଼କଥା ହେଉଛି ଆସନ୍ତାକାଲି ବିଜେଡ଼ି-ବିଜେପି-କଂଗ୍ରେସ ୩ ପ୍ରମୁଖ ଦଳ ନିଜ ନାମାଙ୍କନ ଭରିବେ । ପଦ୍ମପୁରରେ ଏବେ ନିର୍ବାଚନ ମାହୋଲ ସରଗରମ ଥିବାବେଳେ ଚାଷୀଙ୍କୁ ନେଇ ୩ ପ୍ରମୁଖ ଦଳ ରାଜନୀତି ଏବେ ରୋଚକମୋଡ଼ରେ ପହଞ୍ଚିଥିବା ନଜରକୁ ଆସିଛି ।