ମେଡିକାଲ୍ କୋଠାରୁ ଖସୁଛି ପ୍ଲାଷ୍ଟର
ଏକାଧିକ ସମସ୍ୟାରେ ଗ୍ରେସିଙ୍ଗିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର
ଘୁ.ଉଦୟଗିରି (ଆପ୍ର): କନ୍ଧମାଳ ଜିଲ୍ଲା ଘୁ. ଉଦୟଗିରି ବ୍ଲକ୍ ଗ୍ରେସିଙ୍ଗିଆ ସ୍ଥିତ ପୁରାତନ ଓ ସ୍ଥାନୀୟ ବ୍ଲକ୍ ନିମନ୍ତେ ଆରମ୍ଭ ହୋଇଥିବା ପ୍ରଥମ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବେ ନାନା ସମସ୍ୟାରେ ଘେରି ରହିଛି । ଗତ ବର୍ଷାରେ ମେଡିକାଲ୍ର ସମସ୍ତ କାନ୍ଥ ଓଦା ହୋଇ ସନ୍ତସନ୍ତ ହୋଇଥିବା ବେଳେ ଛାତରୁ ପାଣି ଗଳୁଥିବା ଦେଖିବାକୁ ମିଳିଥିଲା । ଏମିତି କୌଣସି କୋଠରୀ ନାହିଁ ଯେଉଁଠାରୁ ପାଣି ଗଳୁନି । ଛାତରୁ ଖଣ୍ଡ ଖଣ୍ଡ ଅତଡ଼ା ଖସୁଥିବାରୁ ରୋଗୀ ତଥା ସମ୍ପର୍କୀୟମାନେ ଭୟଭୀତ ହୋଇଛନ୍ତି । କେତେବେଳେ କେଉଁ କାନ୍ଥ ଭୁଶୁଡ଼ିବ ତାହା କହିବା ମୁସ୍କିଲ୍ ।
ଖାଲି ଏତିକି ନୁହେଁ ସ୍ୱାସ୍ଥ୍ୟକେନ୍ଦ୍ର ମଧ୍ୟରେ ରୋଗୀଙ୍କ ପାଇଁ ଭଲ ଶୌଚାଳୟ ଟିଏ ନାହିଁ । ଏମିତିକି ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ମଧ୍ୟ ନାହିଁ । ଏଣୁ କୋଠା ମରାମତି କିମ୍ବା ନୂତନ କୋଠା ନିର୍ମାଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି । ମେଡିକାଲ୍ ପରିସରରେ ସରକାରୀ କ୍ୱାର୍ଟର୍ସ ନଥିବାରୁ ୩ କିମି ଦୂର ଘୁ.ଉଦୟଗିରିରେ ବହୁ ସ୍ୱାସ୍ଥ୍ୟକର୍ମୀ ରହୁଥିବା ଜଣାପଡ଼ିଛି । ସେହିପରି ବିଶେଷଜ୍ଞ ଡାକ୍ତର ନଥିବା ବେଳେ ୪ ଷ୍ଟାଫ୍ ନର୍ସଙ୍କ ମଧ୍ୟରୁ ୨ ଜଣ ରେଗୁଲାର ପୋଷ୍ଟିଂ ଏବଂ ଅନ୍ୟ ୨ ଜଣ ଡେପୁଟେସନ୍ରେ ଆସି କାର୍ଯ୍ୟ କରୁଥିବା ଜଣାପଡ଼ିଛି । ସେହିପରି ମହିଳା ଆଟେଣ୍ଡାଣ୍ଟ୍ ପଦ ମଧ୍ୟ ଫାଙ୍କା ପଡ଼ିଛି ।
ମେଡିକାଲ୍କୁ ସଂଯୋଗୀକରଣ ରାସ୍ତାର ଦୂରାବସ୍ଥା ନେଇ ଜିଲ୍ଲା ପରିଷଦ ସଭ୍ୟା ଲିଲିମା ପ୍ରଧାନ ଓ ଗ୍ରାମବାସୀ ଫିରୋଜ ନାୟକ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରିଥିଲେ । ଏନ୍ଏଚ୍ଏମ୍ କନିଷ୍ଠ ଯନ୍ତ୍ରୀ ମେଡିକାଲ ଯାଇ ସମସ୍ତ ସମସ୍ୟା ଦେଖିବା ସହ ଅବଗତ ରହିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହି ସମସ୍ୟାର ସମାଧାନ ହୋଇପାରୁ ନାହିଁ । ମୁଖ୍ୟତଃ ଗର୍ଭବତୀଙ୍କ ଚିକିତ୍ସା ପାଇଁ ଏଠାରେ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞଙ୍କୁ ନିଯୁକ୍ତି ସମେତ ଉପରୋକ୍ତ ସମସ୍ତ ସମସ୍ୟାର ସମାଧାନ କରିବାକୁ ବ୍ଲକ ଅଧ୍ୟକ୍ଷା ଓ ଗୋଷ୍ଠୀ ଅଧିକାରୀଙ୍କ ସହ ଜିଲ୍ଲା ଓ ରାଜ୍ୟ ପ୍ରଶାସନିକ ଉଚ୍ଚ ଅଧିକାରୀଙ୍କୁ ଗ୍ରାମବାସୀଙ୍କ ପକ୍ଷରୁ ଅନୁରୋଧ କରାଯାଇଛି । ନଚେତ ଆନେ୍ଦାଳନାତ୍ମକ ପନ୍ଥା କରାଯିବ ବୋଲି ଚେତେଇ ଦିଆଯାଇଛି ।