ଭାରତ ଜି-୨ଠ ଅଧ୍ୟକ୍ଷ

ବାଲୀ ଘୋଷଣାପତ୍ରରେ ମୋଦିଙ୍କ ଜୟ-ଜୟ
ବାଲୀ, ୧୬ା୧୧: ଜି୨୦ ଶିଖର ସମ୍ମିଳନୀର ଉଦ୍ୟାପନୀ ସମାରୋହରେ ଇଣ୍ଡୋନେସିଆ ରାଷ୍ଟ୍ରପତି ଜୋକୋ ବିଡୋଡୋ ବୁଧବାର ଭାରତକୁ ଜି୨୦ର ଅଧ୍ୟକ୍ଷତା ଅର୍ପଣ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଏହା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ । ଆମେ ଦେଶର ଭିନ୍ନ ଭିନ୍ନ ରାଜ୍ୟ ଓ ସହରରେ ସମ୍ମିଳନୀ ଆୟୋଜନ କରିବୁ । ଅତିଥିମାନଙ୍କୁ ଆମେ ଭାରତର ବିବିଧତା, ସାଂସ୍କୃତିକ ସମୃଦ୍ଧି ଓ ବୈଚିତ୍ର୍ୟର ସମାବେଶ ଦେଖାଇବୁ ।
ଭାରତ ଡିସେମ୍ବର ୧ରୁ ଆନୁଷ୍ଠାନିକ ଭାବେ ଜି୨୦ର ଅଧ୍ୟକ୍ଷତା ଗ୍ରହଣ କରିବ । ଡିସେମ୍ବର ୧ରେ ନୂଆଦିଲ୍ଲୀରେ ଜି୨୦ ରାଷ୍ଟ୍ର ଗୋଷ୍ଠୀ ନେତାମାନଙ୍କ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବ । ଡିସେମ୍ବରରେ ଏହାର ଉଦ୍ଘାଟନୀ ଉତ୍ସବ ଜୟପୁରରେ ହେବ । ରାଜସ୍ଥାନର ଅନ୍ୟ ଦୁଇ ସହର ଉଦୟପୁର ଓ ଯୋଧପୁରରେ ମଧ୍ୟ ସମ୍ମିଳନୀ ଅନୁଷ୍ଠିତ ହେବ ।
ବାଲୀରେ ଆୟୋଜିତ ଶିଖର ସମ୍ମିଳନୀର ଦ୍ୱିତୀୟ ତଥା ଉଦ୍ୟାପନୀ ଦିବସରେ ପ୍ରଧାନମନ୍ତ୍ରୀ କହିଛନ୍ତି ମହିଳମାନଙ୍କ ଭାଗିଦାରୀ ବିନା ପୃଥିବୀର ବିକାଶ ସମ୍ଭବ ନୁହେଁ । ଆମ ଜି୨୦ ଏଜେଣ୍ଡାରେ ମହିଳାମାନଙ୍କ ନେତୃତ୍ୱକୁ ପ୍ରାଧାନ୍ୟ ଦେବାକୁ ହେବ । ଭାରତର ଅଧ୍ୟକ୍ଷତା ହେବ ନିର୍ଣ୍ଣାୟକ, ଉଚ୍ଚାକାଂକ୍ଷି ଓ କ୍ରିୟାଶୀଳ । ନୂଆ ବିଚାରଧାରା ପରିକଳ୍ପନା ଓ ଗ୍ରୁପ୍ ଆକ୍ସନକୁ ଗତିଶୀଳ କରାଇବା ପାଇଁ ଆମେ ତତ୍ପର ହେବୁ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେପ୍ଟେମ୍ବରରେ ଉଜ୍ବେକିସ୍ତାନରେ ରୁଷ୍ ରାଷ୍ଟ୍ରପତି ବ୍ଲାଦିମିର ପୁତିନ୍ଙ୍କ ସହ ଆଲୋଚନାବେଳେ ତାଙ୍କୁ ଯେଉଁ ବାର୍ତ୍ତା ଦେଇଥିଲେ ତାହା ଜି୨୦ ଶିଖର ସମ୍ମିଳନୀର ଘୋଷଣାପତ୍ରରେ ସ୍ଥାନ ପାଇଛି । ୧୧୮୬ ପୃଷ୍ଠା ସମ୍ବଳିତ ବାଲୀ ଘୋଷଣାପତ୍ରର ପ୍ରଥମ ପୃଷ୍ଠାରେ ମୋଦିଙ୍କ ବାର୍ତ୍ତା ରହିଛି । ଜି୨୦ ରାଷ୍ଟ୍ରମୁଖ୍ୟମାନେ ଏହି ଘୋଷଣାପତ୍ର ମାଧ୍ୟମରେ ୟୁକ୍ରେନ୍ ଯୁଦ୍ଧ ତକ୍ରାଳବନ୍ଦ କରିବା ପାଇଁ ଆହ୍ୱାନ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ମୋଦିଙ୍କ ବାର୍ତ୍ତା ‘ଆଜିର ଯୁଗ ଯୁଦ୍ଧର ଯୁଗ ନୁହେଁ’କୁ ବିଶେଷ ପ୍ରାଧାନ୍ୟ ଦିଆଯାଇଛି । ତା’ସହିତ ଶାନ୍ତି ଓ ସ୍ଥିରତା ରକ୍ଷା କରି ଆସୁଥିବା ଆନ୍ତର୍ଜାତିକ ଆଇନ ଓ ବହୁପକ୍ଷୀୟ ବ୍ୟବସ୍ଥାକୁ କାୟମ୍ ରଖିବା ଜରୁରୀ ବୋଲି ରାଷ୍ଟ୍ର ମୁଖ୍ୟମାନେ ସହମତ ହୋଇଛନ୍ତି ।
ବାଲୀ ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ବ୍ରିଟେନ୍ ପ୍ରଧାନମନ୍ତ୍ରୀ ରୁଷି ସୁନକ ଓ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମେକ୍ରନ୍ଙ୍କ ସହ ଆଲୋଚନା କରିଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ ଜି୨୦ ରାଷ୍ଟ୍ର ଗୋଷ୍ଠୀରେ ଅଛନ୍ତି ୨୦ଟି ଦେଶ । ସେଗୁଡିକ ହେଲା ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, ବ୍ରାଜିଲ୍, କାନାଡା, ଚୀନ୍, ଫ୍ରାନ୍ସ, ଜର୍ମାନୀ, ଭାରତ, ଇଣ୍ଡୋନେସିଆ, ଇଟାଲୀ, ଜାପାନ, ଦକ୍ଷିଣକୋରିଆ, ମେକ୍ସିକୋ, ରୁଷ୍, ସାଉଦି ଆରବ, ଦକ୍ଷିଣ ଆଫ୍ରିକା, ତୁର୍କୀ, ବ୍ରିଟେନ୍, ଆମେରିକା ଓ ୟୁରୋପୀୟ ସଂଘ । ଆନ୍ତର୍ଜାତିକ ଆର୍ଥିକ ସହଯୋଗ କ୍ଷେତ୍ରରେ ଏହି ରାଷ୍ଟ୍ରଗୋଷ୍ଠୀ ମୁଖ୍ୟ ଫୋରମ୍-କାରଣ ଏମାନଙ୍କ ପାଖରେ ସାରା ପୃଥିବୀ ଜିଡିପିର ୮୫ ପ୍ରତିଶତ ଅଛି । ତା’ଛଡା ଏହି ୨୦ ଦେଶର ଜନସଂଖ୍ୟା ପୃଥିବୀ ଜନସଂଖ୍ୟାର ୨ ତୃତୀୟାଂଶ । ୭୫ ପ୍ରତିଶତ ଆନ୍ତର୍ଜାତିକ ବାଣିଜ୍ୟ ମଧ୍ୟ ଜି୨୦ ରାଷ୍ଟ୍ରଗୋଷ୍ଠୀଦ୍ୱାରା ନିୟନ୍ତ୍ରିତ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *