କ’ଣ ଗୋଡ଼ ଧରି ଭିକ ମାଗିବି?

କେନ୍ଦ୍ରକୁ ଟାର୍ଗେଟ୍ କଲେ ମମତା
କୋଲକାତା (ଏଜେନ୍ସି): ଜିଏସ୍ଟି ଓ ଅନ୍ୟାନ୍ୟ ଜନ କଲ୍ୟାଣ ଯୋଜନା ବାବଦ ଅର୍ଥ ବେଙ୍ଗଲ ସରକାରକୁ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ଦେଉ ନାହାନ୍ତି । ଦୀର୍ଘଦିନ ହେଲା ରାଜ୍ୟର ଅର୍ଥକୁ କେନ୍ଦ୍ର ସରକାର ବକେୟା ରଖିଛନ୍ତି । ଏହାକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏଥିସହ ବକେୟା ଅର୍ଥ ପାଇଁ କେନ୍ଦ୍ର ସରକାରଙ୍କ ଗୋଡ଼ ତଳେ ପଡ଼ି ଭିକ ମାଗିବି କି ବୋଲି ମଧ୍ୟ ଦିଦି ପ୍ରଶ୍ନ କରିଛନ୍ତି ।
ଝରଗ୍ରାମରେ ଆୟୋଜିତ ଗୋଟିଏ ଆଦିବାସୀ ସଂପ୍ରଦାୟର କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି, ୧୦୦ ଦିନର କାମ ପାଇଁ ଅର୍ଥ ଦେବାକୁ ନିୟମ ବାଧ୍ୟତାମୂଳକ ରହିଛି । ଏଥିସହ ପ୍ରାୟ ବର୍ଷକ ତଳେ ମୁଁ ଦିଲ୍ଲୀ ଯାଇଥିଲି ଓ ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିଲି । ତଥାପି କିଛି ବି ଲାଭ ହେଲାନି । କ’ଣ ମୁଁ ଆପଣଙ୍କ ଗୋଡ଼ ତଳେ ପଡ଼ିବି ଓ ଭିକ ମାଗିବି?
ବିଜେପିକୁ ଟାର୍ଗେଟ କରି ମମତା କହିଛନ୍ତି, ଆମେ କ’ଣ ଗୋଟିଏ ଗଣତନ୍ତ୍ରରେ ରହୁଛେ? ନା ଭାରତ ଗୋଟିଏ ପାର୍ଟିର ଦେଶ ହୋଇ ଯାଇଛି? ଆମକୁ ଆମ ପାଉଣା ଦିଆଯାଉ । ସେସବୁ ଆମ ଟଙ୍କା । ଯଦି ଟଙ୍କା ନ ଦେଇ ପାରୁଛ, ତା’ହେଲେ ଜିଏସ୍ଟିକୁ ରଦ୍ଦ କର । ୧୦୦ ଦିନର କାମ ପାଇଁ ଆପଣଙ୍କୁ ଟଙ୍କା ଦେବାକୁ ପଡ଼ିବ । ନଚେତ ଚୌକି ଛାଡ଼ି ଦିଆ
ସେମାନେ ବେଙ୍ଗଲକୁ ପାଣ୍ଠି ଯୋଗାଣ ବନ୍ଦ କରିବାକୁ ଧମକ ଦେଉଛନ୍ତି । ଆମେ ତା’ହେଲେ ଜିଏସ୍ଟି ବନ୍ଦ କରିଦେବୁ । ଆପଣ ଏଠାରୁ ଟିକସ୍ ଆଦାୟ କରିପାରିବେ ନାହିଁ । ଆପଣ ଲୋକମାନଙ୍କ ଟିକସ ନେଉଛନ୍ତି । କିନ୍ତୁ ବେଙ୍ଗଲବାସୀଙ୍କୁ ତାଙ୍କ ହକର ଅର୍ଥ ଦେବାକୁ ମନା କରୁଛନ୍ତି ।
ବିଜେପି ନେତା ତଥା ନନ୍ଦିଗ୍ରାମ ବିଧାୟକ ଶୁଭେନ୍ଦୁ ଅଧିକାରୀ ବେଙ୍ଗଲରେ ଦୁର୍ନୀତି ହେଉଥିବାରୁ କେନ୍ଦ୍ର ସରକାର ଏକାଧିକ ଯୋଜନା ବାବଦ ପାଣ୍ଠି ବନ୍ଦ କରିଦେବେ ବୋଲି କହିଥିଲେ । ଏହି ପ୍ରସଙ୍ଗରେ ମମତା ତାଙ୍କୁ ଟାର୍ଗେଟ କରିଛନ୍ତି । ସେ ଶୁଭେନ୍ଦୁ ଅଧିକାରୀଙ୍କୁ ଟାର୍ଗେଟ କରି କହିଛନ୍ତି, ଗୋଟିଏ ଦିନ ଏଭଳି ରାଜନେତାମାନେ ଶୂନରେ ପରିଣତ ହେବେ । ସେମାନେ ବେଙ୍ଗଲକୁ ତଳୁଆ କରି ଦେଖାଉଛନ୍ତି । ଯୋଜନାକୁ ଲାଗୁ କରିବା ପ୍ରସଙ୍ଗରେ ଆମେ ରାଜ୍ୟଗୁଡ଼ିକ ମଧ୍ୟରେ ୧ନଂ ସ୍ଥାନରେ ରହିଛୁ । ୧୦୦ ଦିନର କାମ ହେଉ କିମ୍ବା ଗ୍ରାମୀଣ ସଡ଼କ ଯୋଜନା କିମ୍ବା ବେଙ୍ଗଲ ଆବାସ ଯୋଜନା, ସବୁ କିଛି ଏଠାରେ ଆମେ ଲାଗୁ କରିଛୁ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *