ଶିକ୍ଷକଙ୍କୁ ହତ୍ୟା, ଭଡ଼ା ଘରୁ ମିଳିଲା ରକ୍ତାକ୍ତ ଶବ

ହାଟଡିହ (ଆପ୍ର): ହାଟଡିହି ବ୍ଲକ ଢେଙ୍କା ହାଇସ୍କୁଲର ଶିକ୍ଷକ ଅନିରୁଦ୍ଧ ସ୍ୱାଇଁଙ୍କ ରକ୍ତାକ୍ତ ଶବ ମରୈଗାଁ ସ୍ଥିତ ଭଡାଘରୁ ଉଦ୍ଧାର କରାଯାଇଛି । ସାଇଣ୍ଟିଫିକ୍ ଟିମ୍ ତଦନ୍ତ କରିବା ପରେ ଶବ ବ୍ୟବଛେଦ ପାଇଁ ପଠାଯିବ ବୋଲି ପୋଲିସ କହିଛି । କେଉଁ କାରଣରୁ ଓ କିଏ ତାଙ୍କୁ ହତ୍ୟା କରିଛି ସେ ନେଇ କୌଣସି ସୂଚନା ମିଳିପାରି ନାହିଁ ।
ଇଞ୍ଚୋଳ ଗ୍ରାମର ଅନିରୁଦ୍ଧ ସ୍ୱାଇଁ ଢେଙ୍କା ହାଇସ୍କୁଲରେ ଶିକ୍ଷକତା କରୁଥିଲେ । ସେ ଢେଙ୍କା ଓ ସଢା ଦୁଇଟି ଗ୍ରାମରେ ଟିଉସନ୍ ମଧ୍ୟ କରୁଥିଲେ । ମରୈଗାଁ ଛକରେ ଘରଭଡା ନେଇ ରହୁଥିବା ବେଳେ ତାଙ୍କ ସ୍ତ୍ରୀ ଓ ଝିଅ ଶ୍ୱଶୁର ଘରେ ରହୁଥିଲେ । ଶିଶୁ ଦିବସ ପାଇଁ ସ୍କୁଲକୁ ମିଠା ନେଇ ଯିବାର ଥିଲା । ଶିକ୍ଷକମାନେ ବାରମ୍ବାର ଫୋନ୍ କରିଥିଲେ ମଧ୍ୟ ସେ ଫୋନ୍ ଉଠାଇ ନଥିଲେ । ଏପରିକି ତାଙ୍କ ଘରକୁ ଆସି ଦେଖିବା ପରେ ତାଙ୍କ ଘର ବାହାରେ ତାଲା ପଡିଥିବା ଦେଖି ଶ୍ରୀ ସ୍ୱାଇଁ କେଉଁଆଡେ ପାଇଥିବେ ବୋଲି ଭାବିଥିଲେ । କିଛି ଲୋକଙ୍କ ସନେ୍ଦହ ହେବାରୁ ସ୍କାଏଲାଇଟ୍ ପଟେ ଦେଖିବାରୁ ତାଙ୍କ ମୃତଦେହ ଉଲଗ୍ନ ଅବସ୍ଥାରେ ପଡିଥିବା ଦେଖିବାକୁ ମିଳିଥିଲା ।
ପୋଲିସକୁ ଖବର ଦେବାରୁ ଆନନ୍ଦପୁର ଏସ୍ଡିପିଓ ପ୍ରଶାନ୍ତ ବେହେରା ଏବଂ ମାଜିଷ୍ଟ୍ରେଟ୍ ରଶ୍ମିରଂଜନ ସ୍ୱାଇଁଙ୍କ ଉପସ୍ଥିତିରେ ଘରର ତାଲା ଭଙ୍ଗା ଯାଇଥିଲା । ଘର ଭିତରେ ଖଟ ଉପରେ ରକ୍ତାକ୍ତ ଅବସ୍ଥାରେ ଶବ ପଡିଥିବା ଦେଖିବାକୁ ମିଳିଥିଲା । ଘରର ଆସବାବପତ୍ର ସବୁ ଏଣେ ତେଣେ ହୋଇ ପଡିଥିଲା । ମୁଣ୍ଡକୁ ଏକ ଧାରୁଆ ଅସ୍ତ୍ରରେ ହଣାଯାଇଥିବା ଅନୁମାନ କରାଯାଉଛି । ଅନ୍ୟ ପକ୍ଷରେ ପ୍ରତ୍ୟକ୍ଷଦର୍ଶୀ କହିବା କଥା ଗତକାଲି ରାତି ୨ଟା ବେଳେ ଘରୁ ମରିଗଲି ମରିଗଲି ବୋଲି ଶବ୍ଦ ଶୁଭୁଥିଲା । ସେ ଦୌଡି ଯାଇ ପଚାରିବାରୁ ନା କିଛି ହୋଇନି ସାପ ଘରକୁ ପଶି ଆସିଛି ବୋଲି କେହି ଜଣେ ଘର ଭିତରୁ କହିଥିଲେ । ଆଉ କିଛି ସମୟ ପରେ ଜଣେ ଯୁବକ ହେଲମେଟ୍ ଲଗାଇ ଘର ବାହାରୁ ତାଲା ପକାଇ ସ୍କୁଟିରେ ପଳାଇଥିଲା । ପ୍ରେମ ବ୍ୟାପାରକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *