ଟିମ୍ ଇଣ୍ଡିଆକୁ ଫେରିବେ ଧୋନି!
ଶିଖାଇବେ ଫିୟର୍ଲେସ୍ ସ୍କିଲ୍
ମୁମ୍ବାଇ, ୧୫ା୧୧ (ଏଜେନ୍ସି): ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ବିଶ୍ୱକପ୍ ମୁକୁଟ ବିନା ସ୍ୱଦେଶ ଫେରିଥିବା ଟି-୨୦ ଟିମ୍କୁ ବଦଳାଇବା ପାଇଁ ଯୋଜନା କରୁଛି । ବୋର୍ଡର ଯୋଜନାରେ ୨୦୦୭ ସଂସ୍କରଣରେ ମୁକୁଟ ଜିତାଇଥିବା ମହେନ୍ଦ୍ର ସିଂ ଧୋନିଙ୍କର ମଧ୍ୟ ଭୂମିକା ରହିଛି । ବୋର୍ଡ ଟି-୨୦ ଟିମ୍କୁ ଆକ୍ରମଣାତ୍ମକ କରିବା ପାଇଁ ଧୋନିଙ୍କୁ ପୁଣି ଥରେ ଟିମ୍ ସହ ଯୋଡ଼ିପାରେ । ପୂର୍ବ ଟି-୨୦ ବିଶ୍ୱକପ୍ରେ ଧୋନିଙ୍କୁ ମେଣ୍ଟର ଭାବେ ଟିମ୍ ସହ ପଠାଯାଇଥିଲା ।
ଧୋନିଙ୍କୁ ମିଳିପାରେ ବଡ଼ ଦାୟିତ୍ୱ
ଦ ଟେଲିଗ୍ରାଫ୍ ରିପୋର୍ଟରେ ଏହି ଦାବି କରାଯାଇଛି । ରିପୋର୍ଟ ଅନୁଯାୟୀ ବିସିସିଆଇ ଇଂଲଣ୍ଡ ଭଳି ଫିୟର୍ଲେସ୍ କ୍ରିକେଟ୍ ଖେଳୁଥିବା ଟିମ୍ ଗଢ଼ିବାକୁ ଚାହେଁ । ଏଥିରେ ବୋର୍ଡ ଧୋନିଙ୍କ ଏକ୍ସପର୍ଟ ସ୍କିଲ୍ସର ସହାୟତା ନେବା ଉପରେ ବିଚାର କରୁଛି । ଏଥିନେଇ ଶୀଘ୍ର ନିଷ୍ପତ୍ତି ନିଆଯିବ ।
ଧୋନିଙ୍କୁ ବିସିସିଆଇ ବଡ଼ ଦାୟିତ୍ୱ ଦେଇପାରେ । ତାଙ୍କୁ ସୀମିତ ଓଭର୍ ଅର୍ଥାତ୍ ଦିନିକିଆ ଓ ଟି-୨୦ ଆନ୍ତର୍ଜାତିକ ଅଥବା କେବଳ ଟି-୨୦ ପାଇଁ କୋଚ୍ ଅଥବା ଡାଇରେକ୍ଟର କରାଯାଇପାରେ ।
ଟିମ୍ ଇଣ୍ଡିଆ ୧୯୮୩ରେ କପିଳ ଦେବଙ୍କ ଅଧିନାୟକତ୍ୱରେ ପ୍ରଥମ ଥର ଦିନିକିଆ ବିଶ୍ୱକପ୍ ଜିତିଥିଲା । ଏହାପରେ ଧୋନିଙ୍କ ଅଧିନାୟକତ୍ୱରେ ୨୦୧୧ରେ ଦ୍ୱିତୀୟ ଥର ବିଶ୍ୱକପ୍ ମୁକୁଟ ହାସଲ କରିଥିଲା । ଏହାଛଡ଼ା ପ୍ରଥମ ଟି-୨୦ ବିଶ୍ୱକପ୍ ମଧ୍ୟ ଭାରତ ଧୋନିଙ୍କ ନେତୃତ୍ୱରେ ଜିତିଥିଲା । ଧୋନି ୨୦୨୦ ଅଗଷ୍ଟ ୧୫ରେ ଦିନିକିଆ ଓ ଟି-୨୦ ଆନ୍ତର୍ଜାତିକରୁ ଅବସର ନେଇଥିଲେ । ଏହା ପୂର୍ବରୁ ୨୦୧୪ ଡିସେମ୍ବର ୩୦ରେ ଅଷ୍ଟ୍ରେଲିଆରେ ଶେଷ ଟେଷ୍ଟ ଖେଳି କ୍ରିକେଟ୍ର ସବୁଠାରୁ ଲମ୍ବା ଫର୍ମାଟ୍ରୁ ଅବସର ନେଇଥିଲେ ।
ଟି-୨୦ ଓ ଦିନିକିଆ ଟିମ୍ ଅଲଗା ଅଲଗା ହେବ!
ବିସିସିଆଇ ଇଂଲଣ୍ଡ ଭଳି ସୀମିତ ଓଭର୍ ଓ ଟେଷ୍ଟ ପାଇଁ ଅଲଗା ଅଲଗା ଟିମ୍ ଗଠନ କରିବାକୁ ବିଚାର କରୁଛି । ଖାଲି ସେତିକି ନୁହେଁ, ଅଲଗା ଅଲଗା କୋଚିଂ ଷ୍ଟାଫ୍ ମଧ୍ୟ ନିଯୁକ୍ତି ଦିଆଯାଇପାରେ । ଚଳିତ ମାସରେ ହେବାକୁ ଥିବା ଆପେକ୍ସ କାଉନ୍ସିଲ୍ ବୈଠକରେ ଅଲଗା କୋଚ୍ ନିଯୁକ୍ତି ନେଇ ନିଷ୍ପତ୍ତି ନିଆଯାଇପାରେ ।
ହାର୍ଦ୍ଦିକ ହେବେ ଟି-୨୦ର ନିୟମିତ ଅଧିନାୟକ
ବିସିସିଆଇର ସୂତ୍ର ପୂର୍ବରୁହିଁ କହିସାରିଛନ୍ତି ଯେ ଦୁଇ ବର୍ଷ ପରେ ୨୦୨୪ ଜୁନ୍ରେ ହେବାକୁ ଥିବା ଟି-୨୦ ବିଶ୍ୱକପ୍କୁ ଦୃଷ୍ଟିରୁ ରଖି ଟିମ୍ରେ ପରିବର୍ତ୍ତନ ହୋଇପାରେ । ହାର୍ଦ୍ଦିକ ପାଣ୍ଡ୍ୟା ବୋର୍ଡର ପସନ୍ଦ । ତାଙ୍କୁ ନୂଆ ଟିମ୍ ସହିତ ଦୀର୍ଘ ଦିନ ଯାଏଁ ଅଧିନାୟକତ୍ୱ ଦେବା ନେଇ ବିଚାର କରାଯାଇପାରେ ।
ଇଂଲଣ୍ଡ ପଥରେ ଯାଇପାରେ ବିସିସିଆଇ
ଟି-୨୦ ବିଶ୍ୱକପ୍ ଜିତିଥିବା ଇଂଲଣ୍ଡ ନିଜ କ୍ରିକେଟ୍ରେ ଅନେକ ପରିବର୍ତ୍ତନ କରିଛି । ଇଂଲଣ୍ଡ ଟିମ୍ ସାତ ବର୍ଷ ପୂର୍ବେ ଦିନିକିଆ ବିଶ୍ୱକପ୍ରେ ବାଂଲାଦେଶ ଠାରୁ ହାରି ଯାଇଥିଲା । ଟିମ୍ କ୍ୱାର୍ଟର-ଫାଇନାଲ୍ରେ ବି ପହଞ୍ଚି ପାରି ନ ଥିଲା । ଏହାପରେ ଇଂଲଣ୍ଡ କ୍ରିକେଟ୍ ବୋର୍ଡ କଡ଼ା ନିଷ୍ପତ୍ତି ନେଇଥିଲା ଏବଂ ପରିବର୍ତ୍ତନ ଆରମ୍ଭ କରିଥିଲା ।
ଆଣ୍ଡ୍ରୁ୍ୟ ଷ୍ଟ୍ରସ୍ ବୋର୍ଡର ବସ୍ ହୋଇଥିଲେ । ସେ ଇଅନ୍ ମୋର୍ଗାନ୍ ଓ କୋଚ୍ ଟ୍ରେଭର୍ ବେଲିସ୍ଙ୍କୁ ଟିମ୍କୁ ପୁନର୍ବାର ଗଢ଼ିବାର ଦାୟିତ୍ୱ ଦେଇଥିଲେ । ଇଂଲଣ୍ଡ ଟି-୨୦, ଦିନିକିଆ ଓ ଟେଷ୍ଟ ପାଇଁ ଅଲଗା ଅଲଗା ଅଧିନାୟକ ଓ କୋଚ୍ ନିଯୁକ୍ତ କରିଥିଲା ।
ଜୋସ୍ ବଟ୍ଲର୍ ଟି-୨୦ ଓ ଦିନିକିଆ ଅଧିନାୟକ ଥିବା ବେଳେ ମାଥୁ୍ୟ ମୋଟ୍ କୋଚ୍ ରହିଛନ୍ତି । ବେନ୍ ଷ୍ଟୋକ୍ସ ଟେଷ୍ଟ ଟିମ୍ର ଅଧିନାୟକ ଅଛନ୍ତି ଏବଂ କୋଚ୍ ରହିଛନ୍ତି ବ୍ରାଣ୍ଡନ୍ ମ୍ୟାକ୍କୁଲମ୍ ।
୨୦୧୯ରେ ଦିନିକିଆ ବିଶ୍ୱକପ୍ ଜିତାଇଥିବା ଇଅନ୍ ମୋର୍ଗାନ୍ଙ୍କୁ ଟିମ୍କୁ ପୁନର୍ବାର ଛିଡ଼ା କରିବାର ଶ୍ରେୟ ଦିଆଯାଏ । ସେହିପରି ବଟ୍ଲର୍ ଓ ମୋଟ୍ଙ୍କ ଯୋଡ଼ି ଆକ୍ରମଣାତ୍ମକ ଟିମ୍ ଗଢ଼ିବାର ଶ୍ରେୟ ପାଏ । ସଫଳତା ପାଇଁ ବିସିସିଆଇ ମଧ୍ୟ ଇଂଲଣ୍ଡ ପଥରେ ଯାଇପାରେ ।
୨୦୨୩ରେ ଦିନିକିଆ ବିଶ୍ୱକପ୍ ଭାରତରେ ଖେଳାଯିବ । ଏହାପରେ ୨୦୨୪ରେ ଟି-୨୦ ବିଶ୍ୱକପ୍ ଆମେରିକା ଓ ୱେଷ୍ଟଇଣ୍ଡିଜ୍ରେ ହେବ । ଏପରିସ୍ଥଳେ ଦିନିକିଆ ପାଇଁ ପ୍ରାୟ ଏକ ବର୍ଷ ଓ ଟି-୨୦ ବିଶ୍ୱକପ୍ ପାଇଁ ପ୍ରାୟ ଦୁଇ ବର୍ଷ ବାକି ଅଛି । ଟିମ୍ ମ୍ୟାନେଜ୍ମେଣ୍ଟ ଚାହୁଁଛି ଯେ ଉଭୟ ବିଶ୍ୱକପ୍ ପାଇଁ ନୂତନଭାବେ ଟିମ୍ ପ୍ରସ୍ତୁତ କରାଯାଉ ।
ଟି-୨୦ ବିଶ୍ୱକପ୍ରୁ ବିଦାୟ ନେବା ପରେ ଭାରତର ଟି-୨୦ ଟିମ୍ରେ ପରିବର୍ତ୍ତନ ହେବା ନେଇ ବିସିସିଆଇ ସୂତ୍ରରୁ କୁହାଯାଇଛି । ବରିଷ୍ଠ ଖେଳାଳି ଟି-୨୦ ଟିମ୍ରୁ ବାଦ୍ ପଡ଼ିପାରନ୍ତି । ରୋହିତ ଶର୍ମା, ବିରାଟ କୋହଲି, ଦିନେଶ କାର୍ତ୍ତିକ ଓ ରବିଚନ୍ଦ୍ରନ୍ ଅଶ୍ୱିନ ଭଳି ଖେଳାଳି ଧୀରେ ଧୀରେ ଟି-୨୦ ଟିମ୍ରୁ ବାହାରିଯିବେ ।