ବର୍ଷା ବିଜେଡି ପ୍ରାର୍ଥୀ

ଭୁବନେଶ୍ୱର, ୧୪ା୧୧ (ବୁ୍ୟରୋ): ବହୁ ଚର୍ଚ୍ଚା, ଆଲୋଚନା, ବିଚାର ବିମର୍ଷ ପରେ ଶେଷରେ ବିଜେଡି ତାର ପଦ୍ମପୁର ଉପନିର୍ବାଚନ ପ୍ରାର୍ଥୀ ଘୋଷଣା କରିଛି । ବରିହା ପରିବାର ଉପରେ ବିଜେଡି ପୁନଃ ଆସ୍ଥା ପ୍ରକାଶ କରିଥିବାବେଳେ ଦିବଙ୍ଗତ ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ବଡ଼ ଝିଅ ବର୍ଷା ସିଂ ବରିହାଙ୍କୁ ଦଳ ଟିକଟ୍ ଦେଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ବର୍ଷାଙ୍କ ନାମ ଘୋଷଣା କରିଥିବା ଏକ ବିଜ୍ଞପ୍ତିରେ ଦଳ ପକ୍ଷରୁ ସୂଚନା ମିଳିଛି । ବର୍ଷା ଜଣେ ଉଚ୍ଚ ଶିକ୍ଷିତା ତଥା ଯୁବ ଚେହେରା ହୋଇଥିବାବେଳେ ତାଙ୍କୁ ଦଳୀୟ ପ୍ରାର୍ଥୀ ଭାବେ ବିଜେଡି ସାମ୍ନାକୁ ଆଣିଛି । କୁହଯାଉଛି ଧାମନଗର ଉପନିର୍ବାଚନରେ ପ୍ରାର୍ଥୀ ଚୟନ ଠିକ୍ ନ ଥିବାରୁ ବିଜେଡିକୁ ମହଙ୍ଗା ପଡିଲା । ତେଣୁ ପଦ୍ମପୁରରେ ସେ ଭୁଲ୍ ନ ଦୋହରାଇ, ଭାବିଚିନ୍ତି ବର୍ଷାଙ୍କୁ ବିଜେଡି ପ୍ରାର୍ଥୀ କରିଛି । ବାଇ-ଇଲେକ୍ସନ ତାରିଖ ଘୋଷଣା ପରେ ବିଜେଡି ପ୍ରାର୍ଥୀ ହେବା ପାଇଁ ବିଜୟ ରଞ୍ଜନଙ୍କ ପତ୍ନୀ ତିଳୋତ୍ତମା ସିଂ ବରିହା ପ୍ରଥମେ ଦାବି କରିଥିଲେ । ପରେ ପରେ ନୂଆପଡ଼ାରେ କାର୍ଯ୍ୟରତ ସହକାରୀ ଜିଲ୍ଲାପାଳ ମହେନ୍ଦ୍ର ବଢେଇଙ୍କ ନାଁକୁ ନେଇ ବି ଚର୍ଚ୍ଚା ହୋଇଥିଲା । ତେବେ ବର୍ଷା ଆସନ୍ତା ୧୬ ତାରିଖ ଦିନ ନାମାଙ୍କନ ଭରିବେ ବୋଲି ବରିଷ୍ଠ ନେତା ସୁଶାନ୍ତ ସିଂହ କହିଛନ୍ତି ।
ସୂଚନାଥାଉ କି, କାଳେ ପ୍ରାର୍ଥୀ ଚୟନ ଗଣିତ ଭୁଲଭାଲ୍ ହୋଇଯିବ ଖାସ୍ ସେଥିପାଇଁ ବିଂଝାଲ୍ ସମାଜର ବହୁ ପ୍ରତିନିଧି ରବିବାର ନବୀନ ନିବାସ ଆସି ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ, ଆଉ ବରିହା ପରିବାରକୁ ହିଁ ଟିକେଟ୍ ଦେବା ପାଇଁ ଦାବି ରଖିଲେ । ପଦ୍ମପୁରକୁ ନେଇ ସବୁ ଅଙ୍କ କଷିବା ପରେ ଶେଷରେ ବର୍ଷାଙ୍କ ନାଁ ଚୂଡ଼ାନ୍ତ କରିଛି ଦଳ । ଏଥି ସହ ଏକାଥରକେ ମହିଳା ସଶକ୍ତୀକରଣ, ଅନୁକମ୍ପା, ବିଂଝାଲ ସମାଜ ସହ ଆଦିବାସୀ କାର୍ଡ ବି ଖେଳିଛି ବିଜେଡି । ରୋଚକ କଥା ହେଉଛି, ବର୍ଷା ହେଉଛନ୍ତି ବିଜେପି ନେତା ରମାରଞ୍ଜନ ବଳିୟାରସିଂଙ୍କ ବୋହୂ । ରମାରଞ୍ଜନଙ୍କ ପୁଅ ସ୍ମୃତିସୌରଭ ବଳିଆରସିଂଙ୍କୁ ସେ ବିବାହ କରିଛନ୍ତି । ପୂର୍ବରୁ ବିଜେପି ପ୍ରଦୀପ ପୁରୋହିତଙ୍କୁ ଓ କଂଗ୍ରେସ ସତ୍ୟଭୂଷଣ ସାହୁଙ୍କୁ ପ୍ରାର୍ଥୀ ଘୋଷଣା କରିସାରିଛି । ଅର୍ଥାତ ପଦ୍ମପୁରରେ ଦେଖିବାକୁ ମିଳିବ ଅଭିଜ୍ଞ ବନାମ ନବାଗତଙ୍କ ମଧ୍ୟରେ ଟକ୍କର । ନାଁ ଘୋଷଣା ପରେ ବର୍ଷା କହିଛନ୍ତି ବାପାଙ୍କ ଭଲ କାମ ପାଇଁ ଟିକଟ ପାଇଲି । ବାପାଙ୍କଠାରୁ ଯାହା ଦେଖିଛି, ଶିଖିଛି କାମରେ ଲଗାଇବି ବୋଲି ବର୍ଷା କହିଛନ୍ତି ।
ଗୋଟିଏ ପଟେ ବର୍ଷା ବରିହାଙ୍କ ପ୍ରାର୍ଥିତ୍ୱ ଚର୍ଚ୍ଚାରେ ଥିବାବେଳେ ପ୍ରଦୀପ ପୁରୋହିତ ଆଜି ପ୍ରାର୍ଥିପତ୍ର ଦାଖଲ ନ କରିବା ବି ପଦ୍ମପୁରରେ ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଛି । କାହିଁକି ନା ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ନାମାଙ୍କନ ପତ୍ର ଦାଖଲ ପାଇଁ ଦଳ ପୁରା ତୟାରିର ସହ ମୈଦାନକୁ ଓହ୍ଲାଇଥିଲେ । ଦଳର ବରିଷ୍ଠ ନେତାଙ୍କୁ ନେଇ ପଦ୍ମପୁରରେ ଏକ ସଭା ଆୟୋଜନ କରାଯାଇଥିଲା । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରୁ ଚାଷୀ ବଞ୍ଚିତ ହେବା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, କେନ୍ଦ୍ରୀୟ ଯୋଜାନରୁ ହଡ଼ପ୍, ଜଳସେଚନ ଅଭାବ ଆଦି ପ୍ରସଙ୍ଗକୁ ନେଇ ବିଜେଡିକୁ କଡା ସମାଲୋଚନା କରିଥିଲା ବିଜେପି ।
ସଭା ପରେ ପ୍ରଦୀପ ପୁରୋହିତ ବିଶାଳ ରାଲିରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଯାଏଁ ଆସିଥିଲେ । ଯେଉଁଥିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ସୁରେଶ ପୂଜାରୀ, ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଓ ଅନେକ ବରିଷ୍ଠ ନେତା ବି ସାମିଲ ହୋଇଥିଲେ । ହେଲେ ଶେଷ ମିନିଟ୍ରେ ବଦଳି ଯାଇଥିଲା ସବୁ ଯୋଜନା । ଆନେ୍ଦାଳନରତ ଚାଷୀଙ୍କ ଚାପରେ ପ୍ରଦୀପ ନାମାଙ୍କନ ଭରି ନ ଥିଲେ । ଏହାକୁ ନେଇ ଅନେକ ଚର୍ଚ୍ଚା ଭିତରେ ଏହା ବିଜେପି-ବିଜେଡିର ଡାଇଭର୍ଟ ପିଲିଟିକ୍ସ ବୋଲି କୁହାଯାଉଛି । ଏସବୁ ଭିତରେ ବିଜେପି କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ରାଜ୍ୟ ବିଜେପିର ପୁରା ଟିମ୍ ପଦ୍ମପୁରରେ ଉପସ୍ଥିତ ରହି ନିର୍ବାଚନ ପରିଚାଳନା ଓ ଷ୍ଟ୍ରାଟେଜି ସମ୍ପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି । ତେବେ ଆସନ୍ତା ୧୭ ତାରିଖ ଦିନ ପ୍ରଦୀପ ଓ କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ନାମାଙ୍କନ ଭରିବେ ବୋଲି ଜଣାପଡ଼ିଛି ।
ସେପଟେ ପଦ୍ମପୁର ଉପ ନିର୍ବାଚନ ପୂର୍ବରୁ ରାଜନୈତିକ ଉଷ୍ମତା ବଢିବାକୁ ଲାଗିଛି । ସୋମବାର ଜାମସେଠଠାରେ ସରପଞ୍ଚ ଆର୍ତ୍ତତ୍ରାଣ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିଜେଡ଼ି ମିଶ୍ରଣ ପର୍ବରେ ଜାମସେଠ ପଞ୍ଚାୟତ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ଥିବା ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଓ ରାଜ୍ୟ ଯୁବ ଜନତା ଦଳର ସମ୍ପାଦକ ଚନ୍ଦ୍ରକାନ୍ତ ପ୍ରଧାନ ଯୋଗ ଦେଇଛନ୍ତି । କାର୍ଯ୍ୟକ୍ରମରେ ଶତାଧିକ ବିଜେପି କର୍ମୀ ମୁଖ୍ୟମନ୍ତ୍ରୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗଦାନ କରିଛନ୍ତି । ମିଶ୍ରଣ ପର୍ବରେ ନରୋତ୍ତମ ମାଝୀ, ଶରତ ତାଣ୍ଡି, ରବି ରଣା, ମଦନ ଭୋଇ, ଜିତୁନ ପଟ୍ଟନାୟକଙ୍କ ସମେତ ଦଳୀୟ କର୍ମୀ ସହଯୋଗ କରିଥିଲେ । ବିଜେଡି ଯୋଗ ଦେଇଥିବା କର୍ମୀଙ୍କୁ ବିଧାୟକ ସ୍ୱାଗତ କରିଥିଲେ । ଆଗାମୀ ଦିନରେ ଆହୁରି ବିଜେପି କର୍ମୀ ଯୋଗ ଦେବେ ବୋଲି ବିଧାୟକ କହିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *