ଭୋଟିଂ ସମୟ ଘଣ୍ଟେ କମିଲା
ପଦ୍ମପୁର: ସର୍ବଦଳୀୟ ବୈଠକ ଡାକିଲେ ସିଇଓ
ଭୁବନେଶ୍ୱର (ବୁ୍ୟରୋ): ପଦମ୍ପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଗତ ଜାନୁଆରୀ ୧ ତାରିଖ ସୁଦ୍ଧା ମୋଟ ୨,୫୭,୪୭୪ ଜଣ ଭୋଟର ଅଛନ୍ତି । ସେଥି ମଧ୍ୟରୁ ୧,୨୯,୪୯୭ ଜଣ ପୁରୁଷ ଓ ୧,୨୩,୯୬୫ ଜଣ ମହିଳା ଭୋଟର ଥିବାବେଳେ ୧୨ ଜଣ ତୃତୀୟଲିଙ୍ଗ ଭୋଟର ଅଛନ୍ତି । ସେହିପରି ସର୍ବମୋଟ ୨୨୩୩ ଜଣ ଦିବ୍ୟାଙ୍ଗ ଭୋଟର ଥିବାବେଳେ ୮୦ ବର୍ଷରୁ ଊଦ୍ଧ୍ୱର୍ ୪୩୯୩ ଜଣ ଭୋଟର ଓ ୧୯୯ ଜଣ ସର୍ଭିସ ଭୋଟର ରହିଛନ୍ତି । ନିର୍ବାଚନ ମଣ୍ଡଳୀରେ ୨୭୯ ଗୋଟି ବୁଥ୍ରେ ଭୋଟଗ୍ରହଣ କରାଯିବ ଓ ବୁଥ୍ରେ ସର୍ବାଧିକ ୧୫୦୦ ମତଦାତା ମତଦାନ କରିପାରିବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ସୁଶୀଲ ଲୋହାନୀ ବୈଠକରେ ଜଣାଇଛନ୍ତି ।
ଉପନିର୍ବାଚନ ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଧ୍ୟକ୍ଷତାରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ନିର୍ବାଚନ ଅଧିକାରୀ ସମସ୍ତ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳଙ୍କୁ ନେଇ ଅନୁଷ୍ଠିତ ହୋଇଥିବା ସର୍ବଦଳୀୟ ବୈଠକରେ ଉପସ୍ଥିତ ଥିବା ରାଜନୈତିକ ଦଳର କର୍ମକର୍ତ୍ତାଙ୍କୁ ଉପନିର୍ବାଚନ ସମ୍ପର୍କରେ ସବିଶେଷ ବିବରଣୀ ପ୍ରଦାନ କରିଥିଲେ । ଏଥର ପଦ୍ମପୁର ଉପନିର୍ବାଚନ ନିମନ୍ତେ ପୂର୍ବ ସାଧାରଣ ନିର୍ବାଚନ-୨୦୧୯ ପରି ସକାଳ ୭ ଘଟିକାଠାରୁ ଅପରାହ ୪ ଘଟିକା ପର୍ଯ୍ୟନ୍ତ ଭୋଟଗ୍ରହଣ କରାଯିବା ପାଇଁ ନିର୍ବାଚନ ଆୟୋଗ ସମୟ ଧାର୍ଯ୍ୟ କରିଛନ୍ତି ।
ନିର୍ବାଚନ ତାରିଖ ଘୋଷଣା ପରଠାରୁ ପଦ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ସହ ସମଗ୍ର ବରଗଡ଼ ଜିଲ୍ଲାରେ ଆଦର୍ଶ ଆଚରଣ ବିଧି ବଳବତ୍ତର ରହିଛି । ଏହାକୁ ସବୁ ରାଜନୈତିକ ଦଳର କର୍ମକର୍ତ୍ତା ଓ ପ୍ରାର୍ଥୀଙ୍କ ସହ ନିର୍ବାଚନ କାର୍ଯ୍ୟାଳୟ ନିୟୋଜିତ ଥିବା ସମସ୍ତ କର୍ମଚାରୀମାନେ ଅନୁପାଳନ କରିବା ପାଇଁ ନିର୍ବାଚନ ଆୟୋଗଙ୍କ ଦ୍ୱାରା ଜାରି କରାଯାଇଥିବା ନିଦେ୍ର୍ଦଶନାମାରେ ଉଲ୍ଲେଖ କରାଯାଇଛି ଓ ଏହାର ତିଳେମାତ୍ର ଉଲ୍ଲଂଘନ ହେଲେ ଲୋକପ୍ରତିନିଧି ଆଇନ ଅନୁସାରେ ସମ୍ପୃକ୍ତ ଉଲ୍ଲଂଘନକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରକାଶ କରିଛନ୍ତି ।
ଏଥର ଉପନିର୍ବାଚନରେ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳମାନେ ସର୍ବମୋଟ ୪୦ ଜଣ ତାରକା ପ୍ରଚାରକଙ୍କୁ ପ୍ରଚାର କାର୍ଯ୍ୟରେ ନିୟୋଜିତ କରିପାରିବେ ଓ ଅଣସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳମାନେ ୨୦ ଜଣ ତାରକା ପ୍ରଚାରକଙ୍କୁ ନିର୍ବାଚନ ପ୍ରଚାର କାର୍ଯ୍ୟରେ ନିୟୋଜିତ କରିପାରିବେ ଓ ଏସବୁର ତାଲିକା ବିଜ୍ଞପ୍ତି ପ୍ରକାଶ ପାଇବାର ୭ ଦିନ ମଧ୍ୟରେ ମୁଖ୍ୟ ନିର୍ବାଚନ କାର୍ଯ୍ୟାଳୟରେ ଦାଖଲ କରିବାକୁ ପଡ଼ିବ । ଜଣେ ବିଧାୟକ ପ୍ରାର୍ଥୀ ସର୍ବାଧିକ ୪୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନିର୍ବାଚନୀ ଖର୍ଚ୍ଚ କରିପାରିବେ । ପ୍ରାର୍ଥୀମାନେ ନିର୍ବାଚନ ପ୍ରଚାର ନିମନ୍ତେ କରୁଥିବା ଖର୍ଚ୍ଚର ହିସାବ ରଖିବା ନିମନ୍ତେ ଏକ ଅଲଗା ରେଜିଷ୍ଟରରେ ସମସ୍ତ ଖର୍ଚ୍ଚର ହିସାବ ରଖିବେ ଓ ଫଳାଫଳ ଘୋଷଣାର ୩୦ ଦିନ ମଧ୍ୟରେ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ନିକଟରେ ଏହାକୁ ଦାଖଲ କରିବେ । ଅପରାଧିକ ପୃଷ୍ଠଭୂମି ଥିବା ପ୍ରାର୍ଥୀମାନେ ସେମାନଙ୍କ ସମ୍ପର୍କରେ ଜନସାଧାରଣଙ୍କ ଅବଗତି ନିମନ୍ତେ ଅତିକମ୍ରେ ତିନିଥର ଗଣମାଧ୍ୟମରେ ପ୍ରଚାର କରାଇବେ ।