ଜଳଖିଆ ଦୋକାନୀଙ୍କ ଝିଅ ହେବେ ଜଜ୍
ବାରିପଦା (ଲକି ଜେନା): ଜଳଖିଆ ଦୋକାନୀଙ୍କ ଝିଅ ହେବେ ବିଚାରପତି । ପୂର୍ବରୁ ସରକାରୀ ଓକିଲ ହୋଇ ବିଚାରପତିଙ୍କ ଆଗରେ ବଳିଷ୍ଠ ଯୁକ୍ତି ଉପସ୍ଥାପନ କରୁଥିଲେ । ଏବେ ବିଚାରପତି ଆସନରେ ବସି ସାଧାରଣ ଲୋକଙ୍କୁ ନ୍ୟାୟ ଦେବେ । ବାରିପଦାର ଅନୁଶ୍ରୀ ଜେନା ଚଳିତ ଓଜେଏସ୍ ପରୀକ୍ଷାରେ ୧୪ତମ ସ୍ଥାନ ଅଧିକାର କରି ଜିଲ୍ଲା ତଥା ରାଜ୍ୟ ପାଇଁ ଏହି ଗୌରବ ଆଣିଛନ୍ତି ।
ଅନୁଶ୍ରୀଙ୍କ ଘର ବାରିପଦା ଟାଉନ୍ ଅଧୀନ ମଧୁବନରେ ହୋଇଥିବା ବେଳେ ତାଙ୍କ ବାପା ନଗେନ୍ଦ୍ର ପେଷାରେ ଜଣେ ଫୁଟ୍ପାଥ୍ ଜଳଖିଆ ଦୋକାନୀ । ପରିବାର କହିଲେ ପତ୍ନୀ ଓ ୬ ଝିଅ । ସେମାନଙ୍କ ଭିତରୁ ଅନୁଶ୍ରୀ ଦ୍ୱିତୀୟ ହୋଇଥିବା ବେଳେ ସେ ମଧୁବନ ସରକାରୀ ସ୍କୁଲରୁ ପ୍ରାଥମିକ ଶିକ୍ଷା, ଏମ୍ପିକେ ବାଳିକା ବିଦ୍ୟାଳୟରୁ ମାଟ୍ରିକ୍, ଏମ୍ପିସି ଜୁନିୟର କଲେଜରୁ ଯୁକ୍ତ ଦୁଇ, ଏମ୍ପିସି ସ୍ୱୟଂଶାସିତ ମହାବିଦ୍ୟାଳୟରୁ ରସାୟନ ବିଜ୍ଞାନରେ ଗ୍ରାଜୁଏସନ୍ କରିଛନ୍ତି । ପରେ ବାରିପଦା ଲ’ କଲେଜରେ ନାମ ଲେଖାଇ ୨୦୧୬ରେ କଲେଜ ଟପ୍ପର ହୋଇଥିଲେ ଏବଂ ପରେ ଓଜେଏସ୍ ପରୀକ୍ଷା ପାଇଁ ସାଙ୍ଗସାଥୀ ଓ ଗୁରୁଜନଙ୍କ ପରାମର୍ଶ ନେଇଥିଲେ । ଅଭାବ ସତ୍ତ୍ୱେ ଗୋଟିଏ ବର୍ଷ କଟକରେ କୋଚିଂ ନେଇ ପରେ ଘରକୁ ଫେରିଆସି ଥିବା ବେଳେ ସେଠାରେ ଓକିଲାତି କରିଥିଲେ ।
ଗତ ୫ ବର୍ଷ ହେଲା ସେ ବାରିପଦା ଏସ୍ଡିଜେଏମ୍ କୋର୍ଟରେ ସରକାରୀ ଓକିଲ ଭାବେ କାର୍ଯ୍ୟ କରୁଛନ୍ତି । ସରକାରୀ ଓକିଲ ଭାବେ କାର୍ଯ୍ୟ କରୁଥିବା ଅନୁଶ୍ରୀ ୨୦୨୧ରେ ଓଜେଏସ୍ ପରୀକ୍ଷା ଦେଇଥିବା ବେଳେ ଶୁକ୍ରବାର ପ୍ରକାଶିତ ଫଳରେ ସେ ୧୪ ନମ୍ବର ସ୍ଥାନ ଅଧିକାର କରିଛନ୍ତି । ଆର୍ଥିକ ଅନଟନ ଭିତରେ ଅନୁଶ୍ରୀଙ୍କୁ ବାଟ ଦେଖାଇଥିବା ବାପା ନଗେନ୍ଦ୍ର ଗତ ୬ ମାସ ହେଲା ଅସୁସ୍ଥ ହୋଇଥିବା ବେଳେ ୪ ମାସ ତଳେ ଅନୁଶ୍ରୀଙ୍କ ବାହାଘର ହୋଇଛି । ଓଜେଏସ୍ରେ କୃତିତ୍ୱ ଲାଭ କରିବା ପରେ ଅନୁଶ୍ରୀ କହିଛନ୍ତି, ନ୍ୟାୟ ସମସ୍ତଙ୍କୁ ମିଳୁ । ଗତ ୫ ବର୍ଷ ହେଲା ସରକାରୀ ଓକିଲ ଭାବେ କାମ କରୁଥିବା ବେଳେ ଦେଖିଛି, ନ୍ୟାୟ ପାଇବା ବହୁ କଷ୍ଟ ହୋଇଥାଏ । ନ୍ୟାୟ ଦେବା ତା’ଠାରୁ ଆହୁରି ଅଧିକ କଷ୍ଟ ହୋଇଥାଏ । ଏଣୁ ମୁଁ ନିରପେକ୍ଷ ଭାବେ ଲୋକଙ୍କୁ ନ୍ୟାୟ ଦେବାକୁ ସମର୍ଥ ହେବି ବୋଲି କହିଛନ୍ତି ।