ବିଦୁ୍ୟତ୍ କାର୍ଯ୍ୟାଳୟରେ ବେଆଇନ ହିଟର୍
ରାଜନଗର (ଆପ୍ର): ବିଦୁ୍ୟତ୍ ବିଭାଗର ସଂସ୍କାର ପାଇଁ କମ୍ପାନୀ ପରେ କମ୍ପାନୀ ବଦଳୁଛି । ସାଧାରଣ ଲୋକଟିଏ କେଉଁଠି ହୁକ ପକାଇଲେ କିମ୍ବା ସାମାନ୍ୟ କେଉଁଠି ବ୍ୟତିକ୍ରମ ଦେଖିଲେ, ବିଦୁ୍ୟତ୍ ବିଭାଗ ପକ୍ଷରୁ କଡାକଡି ଯାଞ୍ଚ କରାଯିବା ସହ ମୋଟା ଅଙ୍କର ଯୋରିମାନା ଆଦାୟ କରାଯାଉଛି । ମାତ୍ର ଟାଟା ପାୱାରର କର୍ମଚାରୀ ଯଦି ବିଦୁ୍ୟତ୍ ଚୋରି କରିବେ, ତାଙ୍କ ବିରୁଦ୍ଧରେ କିଏ କାର୍ଯ୍ୟାନୁଷ୍ଠାନ ନେବ? ସେ ନେଇ ଏବେ ସବୁ ମହଲରେ ପ୍ରଶ୍ନ ।
ଏପରିକି ରାଜନଗର ସବ୍ଡିଭିଜନର ସହକାରୀ ନିର୍ବାହୀଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ବେଆଇନ ହୁକ ପକାଇ ହିଟର ମାଧ୍ୟମରେ ରୋଷେଇ ହେବା ଖବର ପଦାକୁ ଆସିବା ପରେ ସାଧାରଣ ଉପଭୋକ୍ତାଙ୍କ ଉପରେ ତୀବ୍ର ପତିକ୍ରିୟା ପ୍ରକାଶ ପାଇଛି । ନାଲି ଆଖି ଦେଖାଇ ଲୋକଙ୍କୁ ଶୋଷଣ କରୁଥିବା ଏହି ବିଦୁ୍ୟତ୍ ବିଭାଗର ବାବୁ ମାନେ ନିଜେ ବିଦୁ୍ୟତ୍ ଚୋରି କରି ଧରା ପଡିବା ପରେ କାହିଁକି ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବନି, ତାହାକୁ ନେଇ ପ୍ରଶ୍ନ ଉଠିଛି । ସାଧାରଣ ଉପଭୋକ୍ତାଙ୍କ କହିବା କଥା ହେଲା ଯଦି ବିଦୁ୍ୟତ୍ ଚୋରି କରିଥିବା ଅଧିକାରୀ ଓ କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆନଯାଏ ତେବେ ଆଉ ବିଦୁ୍ୟତ୍ କର୍ମଚାରୀଙ୍କୁ ଗାଁକୁ ପୁରାଇ ଦେବୁନାହିଁ ବୋଲି ଚେତାବନୀ ଦେଇଛନ୍ତି । ବିଦୁ୍ୟତ୍ ବିଭାଗ ନିଜେ ବିଦୁ୍ୟତ୍ ଚୋରି କରି ହିଟର ଜାଳୁଥିବା କ୍ୟାମେରା ଆଗରେ ଧରା ପଡିଯିବା ପରେ କର୍ମଚାରୀମାନେ ଏପରିକି ସହକାରୀ ଯନ୍ତ୍ରୀ ଚିଇଁକି ଉଠିଥିଲେ । ଆମ ବିନା ଅନୁମତିରେ କାହିଁକି କାର୍ଯ୍ୟାଳୟ ମଧ୍ୟକୁ ପଶିଲ ବୋଲି କହିବା ସହ ଆମେ ମିଟର ବସାଇ ହିଟର ଚଳାଉଛୁ ବୋଲି ନାଲି ଆଖି ଦେଖାଇଥିଲେ । ମାତ୍ର ତାର କେଉଁଠୁ ସଂଯୋଗ ଆସିଛି, ଦେଖାଇବାକୁ କହିବାରୁ କୌଣସି କଥା ଶୁଣି ନ ଥିଲେ ।
ବିଦୁ୍ୟତ୍ ବିଭାଗ ନିଜେ ବିଦୁ୍ୟତ୍ ଚୋରି କରୁଥିବା ଧରା ପଡିବା ପରେ ଏବେ ସାଧାରଣରେ କାର୍ଯ୍ୟାନୁଷ୍ଠାନ ଦାବି ଯୋରଧରିଛି । ବେଆଇନ ବିଦୁ୍ୟତ୍ ସଂଯୋଗ କରି ହିଟର ଜାଳୁଥିବା ସହକାରୀ ଯନ୍ତ୍ରୀ ଓ ତାଙ୍କ କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ରାଜନଗରବାସୀ ବିଦୁ୍ୟତ୍ ଉପଭୋକ୍ତା ଓ ସାଧାରଣରେ ଦାବି ହୋଇଛି । ଯଦି ବିଦୁ୍ୟତ୍ ବିଭାଗର ଅଧିକାରୀ ଓ କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆ ନ ଯାଏ ତେବେ ବିଦୁ୍ୟତ୍ ବିଭାଗ କର୍ମଚାରୀଙ୍କୁ ଗାଁକୁ ପୁରାଇ ଦେବୁନି ବୋଲି ଉପଭୋକ୍ତାମାନେ ଚେତାବନୀ ଦେଇଛନ୍ତି ।