ରାଷ୍ଟ୍ରପତିଙ୍କୁ କ୍ଷମା ମାଗିଲେ ମମତା
କୋଲକାତା, ୧୪ା୧୧: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ମନ୍ତ୍ରୀ ଅଖିଳ ଗିରି ପରିହାସ କରିଥିବା ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କ୍ଷମା ପ୍ରାର୍ଥନା କରିଛନ୍ତି । ତା’ ସହିତ ସେ ମନ୍ତ୍ରୀ ଗିରିଙ୍କୁ ମଧ୍ୟ ଚେତାବନୀ ଦେଇ କହିଛନ୍ତି, ଯଦି ଏହାର ପୁନରାବୃତ୍ତି ହୁଏ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ଉଲ୍ଲେଖଯୋଗ୍ୟ, ମମତାଙ୍କ ମନ୍ତ୍ରୀ ଅଖିଳ ଗିରି ରାଷ୍ଟ୍ରପତିଙ୍କ ରୂପ ସମ୍ପର୍କରେ ଆପତ୍ତିଜନକ ଟିପ୍ପଣୀ ଦେଇଥିଲେ । ନନ୍ଦୀଗ୍ରାମ ଠାରେ ଏକ ସମାବେଶରେ ସେ ରାଷ୍ଟ୍ରପତିଙ୍କ ସମ୍ପର୍କରେ ଦେଇଥିବା ଅଶାଳୀନ ଟିପ୍ପଣୀର ଭିଡିଓ ସୋସାଲ ମିଡିଆରେ ଭାଇରାଲ ହୋଇଥିଲା । ଗିରିଙ୍କ ବୟାନ ପରେ କ୍ରମାଗତ ତିନିଦିନ ହେଲା ବିଜେପିର ପଶ୍ଚିମବଙ୍ଗ ଶାଖା ପକ୍ଷରୁ ରାଜ୍ୟର ଭିନ୍ନ ଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି ।
ସେମାନେ ଅଖିଳ ଗିରିଙ୍କୁ ମନ୍ତ୍ରୀ ପଦରୁ ବରଖାସ୍ତ କରିବା ଦାବିରେ ଅଡ଼ି ବସିଛନ୍ତି ।
ସୋମବାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି, ଅଖିଳ ଗିରି ଯାହା କହିଛନ୍ତି ମୁଁ ତା’ର ନିନ୍ଦା କରୁଛି । ବ୍ୟକ୍ତିଗତ ଭାବେ ମୁଁ ରାଷ୍ଟ୍ରପତି ମୁର୍ମୁଙ୍କର ବଡ଼ ପ୍ରଶଂସକ । ମୋ ହୃଦୟରେ ତାଙ୍କ ପାଇଁ ବହୁତ ସମ୍ମାନ ଅଛି । ମୁଁ କ୍ଷମା ପ୍ରାର୍ଥନା କରୁଛି । ମୁଁ ନିଜ ଦଳ ତରଫରୁ ରାଷ୍ଟ୍ରପତିଙ୍କୁ କ୍ଷମା ମାଗୁଛି । ମୁଁ ସ୍ପଷ୍ଟ କରିବାକୁ ଚାହେଁ ଯେ ମହିଳା ସଶକ୍ତୀକରଣ ଯୁଗରେ ଅଖିଳଙ୍କ ଏଭଳି ଦୁର୍ଭାଗ୍ୟଜନକ ଟିପ୍ପଣୀ ଆଦୌ ଗ୍ରହଣୀୟ ନୁହେଁ ।
ସାମ୍ବାଦିକ ସମ୍ମିଳନୀରେ କ୍ଷମତା ପ୍ରାର୍ଥନା ସହ ମମତା ଏକଥା ମଧ୍ୟ କହିଥିଲେ ଯେ ଅନେକ ଥର ସେ କିମ୍ଭୁତ କିମାକାର ଶବ୍ଦ ପ୍ରୟୋଗ କରିଥାନ୍ତି । ତେବେ ବେଳେବେଳେ ଭୁଲ୍ ଶବ୍ଦ ପାଟିରୁ ବାହାରିଯାଏ । ଅବିଳମ୍ବେ ତାହାକୁ ସେ ପ୍ରତ୍ୟାହାର କରି ଭୁଲ୍ ସ୍ୱୀକାର କରିଥାନ୍ତି ।
ଅନ୍ୟଏକ ରିପୋର୍ଟ ଅନୁଯାୟୀ ଅଖିଳ ଗିରିଙ୍କ ବିରୋଧରେ କଲିକତା ହାଇକୋର୍ଟରେ ସୋମବାର ଏକ ଜନସ୍ୱାର୍ଥ ମାମଲା ଦାୟର କରାଯାଇଛି । ସେଥିରେ ଦର୍ଶାଯାଇଛି ଯେ ଅଖିଳ ଗିରି ଦେଶର ସର୍ବୋଚ୍ଚ ପଦ ପ୍ରତି ଅବମାନନା କରିଥିବାରୁ ତାଙ୍କୁ ଦଣ୍ଡ ଦିଆଯିବା ଦରକାର । ହାଇକୋର୍ଟର ମୁଖ୍ୟ ବିଚାରପତି ପ୍ରକାଶ ଶ୍ରୀବାସ୍ତଙ୍କ ବେଞ୍ଚରେ ମାମଲା ଦାୟର କରାଯାଇଛି । ମଙ୍ଗଳବାର ଏହାର ଶୁଣାଣି ହୋଇପାରେ ।