ତାଇୱାନ ପ୍ରସଙ୍ଗରେ ବାଇଡନଙ୍କୁ ଜିନ୍ପିଙ୍ଗ୍ଙ୍କ ଧମକ

ବେଜିଂ (ଏଜେନ୍ସି): ଇଣ୍ଡୋନେସିଆର ବାଲିରେ ଚାଲିଥିବା ଜି-୨୦ ଶିଖର ସମ୍ମିଳନୀରେ ବଡ଼ ଘଟଣା ଘଟିଛି । ବିଭିନ୍ନ ପ୍ରସଙ୍ଗରେ ମୁହାଁମୁହିଁ ହେଉଥିବା ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ଚାଇନା ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ ପରସ୍ପର ସହ ଆଲୋଚନା କରିଛନ୍ତି ।
ପ୍ରାୟ ୩ ଘଣ୍ଟା ଧରି ଦୁଇ ନେତା କରିଥିବା ଆଲୋଚନାବେଳେ ତାଇୱାନ ପ୍ରସଙ୍ଗ ଉଠିଥିଲା । ଏହି ପ୍ରସଙ୍ଗରେ ଜିନ୍ପିଙ୍ଗ୍ ସିଧାସଳଖ ବାଇଡେନଙ୍କୁ ଧମକ ଦେଇଛନ୍ତି । ତାଇୱାନ ପ୍ରସଙ୍ଗରେ ଆମେରିକାକୁ ସୀମା ଅତିକ୍ରମ ବା ରେଡ୍ ଲାଇନ୍ କ୍ରସ୍ ନ କରିବାକୁ ଜିନ୍ପିଙ୍ଗ୍ ଖୋଲା ଚେତାବନୀ ଦେଇଛନ୍ତି । ସେହିପରି ତାଇୱାନ ପ୍ରସଙ୍ଗରେ ଚାଇନାର ଆକ୍ରମଣାତ୍ମକ ଆଭିମୁଖ୍ୟ ଶାନ୍ତି ଉପରେ ବିପଦ ସୃଷ୍ଟି କରିଛି ବୋଲି ବାଇଡେନ ବୈଠକ ବେଳେ ଜିନପିଙ୍ଗଙ୍କୁ କହିଛନ୍ତି ।
ବୈଠକ ପରେ ଚୀନ୍ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଗୋଟିଏ ବିବୃତ୍ତି ଜାରି କରାଯାଇଛି । ଏଥିରେ କୁହାଯାଇଛି ଯେ ବର୍ତ୍ତମାନ ପରିସ୍ଥିତିରେ ଚୀନ୍ ଓ ଆମେରିକା ସାଧାରଣ ଭାବେ ସମାନ କଥା ଚିନ୍ତା କରୁଛନ୍ତି । ପରସ୍ପର ବିକାଶ ଉପରେ ଦୁଇ ଦେଶ ଗୁରୁତ୍ୱ ଦେଉଛନ୍ତି ।
ବେଜିଂ କେବେହେଲେ ଆମେରିକାକୁ ଚ୍ୟାଲେଞ୍ଜ କରିବାକୁ ଚାହୁଁନି କିମ୍ବା ପ୍ରଚଳିତ ଅନ୍ତର୍ଜାତୀୟ ଆଇନକୁ ଉଲ୍ଲଙ୍ଘନ କରିବାକୁ ମଧ୍ୟ ଚାହୁଁନି । ଦୁଇ ଦେଶ ପରସ୍ପରକୁ ସମ୍ମାନ ଦେବା ଦରକାର ବୋଲି ଜିନ୍ପିଙ୍ଗ୍ ବୈଠକ ବେଳେ ବାଇଡେନ୍ଙ୍କୁ କହିଛନ୍ତି । ଏଥିସହ ବୈଠକ ବେଳେ ତାଇୱାନ ପ୍ରସଙ୍ଗରେ ଆମେରିକାକୁ ସୀମା ଅତିକ୍ରମ ନ କରିବାକୁ ମଧ୍ୟ ଜିନ୍ପିଙ୍ଗ୍ ଧମକ ଦେଇଥିବା ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତ୍ତିରେ ସୂଚିତ କରାଯାଇଛି ।
ତାଇୱାନରେ ନିଜସ୍ୱ ଶାସନ ଚାଲିଥିବା ବେଳେ ଚୀନ କିନ୍ତୁ ଏହାକୁ ନିଜର ବୋଲି ଦାବି କରୁଛି । ଏହାକୁ ନେଇ ତାଇୱାନ ଓ ଚୀନ୍ ମଧ୍ୟରେ ତିକ୍ତତା ଲାଗି ରହିଛି । ଆମେରିକା ତାଇୱାନ ସପକ୍ଷରେ ବାହାରୁ ଥିବାରୁ ବେଜିଂ ଏହାକୁ ତୀବ୍ର ବିରୋଧ କରୁଛି । ବୈଠକ ବେଳେ ଜିନ୍ପିଙ୍ଗ୍ ରାଷ୍ଟ୍ରପତି ବାଇଡେନଙ୍କ ସହ ୟୁକ୍ରେନ୍ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ୟୁକ୍ରେନ୍ରେ ସୃଷ୍ଟି ହୋଇଥିବା ସ୍ଥିତିକୁ ନେଇ ଜିନ୍ପିଙ୍ଗ୍ ଚିନ୍ତାରେ ରହିଛନ୍ତି । ଚୀନ୍ ସବୁବେଳେ ଶାନ୍ତି ଆଲୋଚନା ସପକ୍ଷରେ ରହିଛି ଓ ଏଥିପାଇଁ ସବୁ ପ୍ରକାରର ଉଦ୍ୟମ କରାଯାଉଥିବା ଜିନ୍ପିଙ୍ଗ୍ ବୈଠକ ବେଳେ ବାଇଡେନ୍ଙ୍କୁ କହିଛନ୍ତି ।
ଅନ୍ୟପକ୍ଷରେ ବାଇଡେନ ଚୀନ୍ ରାଷ୍ଟ୍ରପତି ଜିନ୍ପିଙ୍ଗ୍ଙ୍କୁ କହିଛନ୍ତି, ଜଳବାୟୁ ପରିବର୍ତ୍ତନ, ଅର୍ଥନୈତିକ ସ୍ଥିରତା, ସ୍ୱାସ୍ଥ୍ୟ ଓ ଖାଦ୍ୟ ନିରାପତ୍ତା ଉପରେ ଦୁଇ ଦେଶ ମିଳିତ ଭାବେ କାର୍ଯ୍ୟ କରିବା ଉଚିତ । ଏଥିସହ ଚୀନ୍ର ବିଭିନ୍ନ ସ୍ଥାନରେ ହେଉଥିବା ମାନବାଧିକାର ଉଲ୍ଲଙ୍ଘନ ପ୍ରସଙ୍ଗ ମଧ୍ୟ ବାଇଡେନ ଉଠାଇଛନ୍ତି । ଚୀନ୍ରେ ବନ୍ଦୀ ଥିବା ଆମେରିକୀୟ ନାଗରିକଙ୍କୁ ମୁକ୍ତ କରିବା ଉପରେ ଦୁଇ ଦେଶର ନେତା ଆଲୋଚନା କରିଥିବା ଜଣାପଡ଼ିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *