ନେତାଙ୍କୁ କଣ୍ଟା ଚାଷୀ ଓ କ୍ରିୟାନୁଷ୍ଠାନ କମିଟି
ରୋଚକ ସ୍ଥିତିରେ ଉପନିର୍ବାଚନ
ଭୁବନେଶ୍ୱର, ୧୪ା୧୧(ବୁ୍ୟରୋ): ଭୋଟ୍ବେଳେ ଧାରଣା ଟେନସନ୍ । ଗୋଟେପଟେ ଚାଷୀ ତ ଅନ୍ୟପଟେ କ୍ରିୟାନୁଷ୍ଠାନ କମିଟି । ·ଷୀଙ୍କ ଦାବି ପଦ୍ମପୁରକୁ ସ୍ୱତନ୍ତ୍ର ପ୍ୟାକେଜ୍ । ବୁଦ୍ଧିଜୀବୀଙ୍କ ଡିମାଣ୍ଡ ଉପଖଣ୍ଡକୁ ଜିଲ୍ଲା ମାନ୍ୟତା । ଉପନିର୍ବାଚନର ଘଡ଼ିସନ୍ଧି ମୁହୂର୍ତ୍ତରେ ରାଜନୈତିକ ଦଳଙ୍କ ତଣ୍ଟିରେ କଣ୍ଟା ସାଜିଛି ଚାଷୀ ଆନେ୍ଦାଳନ ଓ ଜିଲ୍ଲା ମାନ୍ୟତା ଦାବି । ଦୁଇଟି ଯାକ ନ୍ୟାର୍ଯ୍ୟ ଦାବିକୁ ନେଇ ଛାନିଆ ରାଜନୈତିକ ଦଳ । ଆଶଙ୍କା-ଆନେ୍ଦାଳନ ପ୍ରଶମିତ ନ ହେଲେ ଓଲଟ ପାଲଟ ହୋଇଯିବ କି ଫଳାଫଳ? ଅନ୍ୟ ଦଳ ଆଡ଼କୁ ଆଉଜି ଯିବନି ତ ଜନମତ? ଏଇ ଭୟରେ ଏବେ ସେମାନଙ୍କୁ ହାତରେ ରଖିବା ପାଇଁ ବିଜେପି ଓ ବିଜେଡିଲ ଭିତରେ ଚାଲିଛି ପ୍ରତିଯୋଗିତା । ପ୍ରଥମେ ଚାଷୀଙ୍କୁ ପ୍ରଦୀପ ପୁରୋହିତ ଭେଟିଲେ, ତାପରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରି ଓ ବିଜେଡି ବିଧାୟକ ସୁଶାନ୍ତ ସିଂ । ଉଭୟ ଆନେ୍ଦାଳନରତ ଚାଷୀ ଓ କ୍ରିୟାନୁଷ୍ଠାନ କମିଟିକୁ ଭେଟିଥିଲେ । ଆଉ ସେହି ସମୟରେ ଜିଲ୍ଲା ଗଠନ ଦାବି ପ୍ରତି ମୁଖ୍ୟମନ୍ତ୍ରୀଙ୍କ ସକରାତ୍ମକ ଆଲୋଚନା ହୋଇଥିବା ନେଇ ବିଜେଡି ପ୍ରେସ ରିଲିଜ୍କୁ ନେଇ ଯୁକ୍ତିତର୍କ ହୋଇଥିଲା । କିନ୍ତୁ ସୁଯୋଗ ହାତଛଡ଼ା କରିନଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ତାଙ୍କ ଟିମ୍ । ନାମାଙ୍କନ ଶୋଭାଯାତ୍ରାରେ ଆସି ଉପ-ଜିଲ୍ଲାପାଳଙ୍କ ଅଫିସ୍ ପାଖରେ ପହଞ୍ଚିବା ପରେ ଉଭୟ ଚାଷୀ ସଙ୍ଗଠନ ଓ କ୍ରିୟାନୁଷ୍ଠାନ କମିଟିକୁ ପୃଥକ୍ ପୃଥକ୍ ଭାବେ ଭେଟି ସେମାନଙ୍କ ଦାବି ନେଇ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି ।
ଆମ ଦଳ ଚାଷୀ ଆନେ୍ଦାଳନ ଏବଂ ପଦ୍ମପୁରକୁ ଜିଲ୍ଲା ଗଠନ ଦାବିକୁ ପୂର୍ଣ୍ଣ ସମର୍ଥନ କରୁଛି ବୋଲି ସୋମବାର ପଦ୍ମପୁର ଉପନିର୍ବାଚନ ପାଇଁ ଦଳୀୟ ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ସମର୍ଥନରେ ପ୍ରଚାର କରିବା ସହ ଧାରଣାସ୍ଥଳକୁ ଯାଇ ଆନେ୍ଦାଳନରତ “ଚାଷୀ ସଙ୍ଗଠନ’ ଓ “ପଦ୍ମପୁର ଜିଲ୍ଲା କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି’କୁ ଭେଟିବା ପରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତେବେ ଫସଲ ବୀମା ଯୋଜନାରୁ ଚାଷୀ ବଞ୍ଚିତ ହେବା, ଇନପୁଟ୍ ସବସିଡି ନମିଳିବା ଓ ମଣ୍ଡିର ସୁବ୍ୟବସ୍ଥା ପାଇଁ ଚାଷୀ ଆନେ୍ଦାଳନ ଜାରି ରହିଛି । ଏ ଦାବି ସମାଧାନ ନ ହେଲେ ନିର୍ବାଚନ ପ୍ରକ୍ରିୟାରେ ସାମିଲ୍ ନ ହେବାକୁ ରୋକଠୋକ୍ କହୁଛନ୍ତି ଚାଷୀ ।
ସେପଟେ କ୍ରିୟାନୁଷ୍ଠାନ କମିଟି ପଦ୍ମପୁର ଉପଖଣ୍ଡକୁ ଜିଲ୍ଲାମାନ୍ୟତା ଦାବିରେ ଅଡି ବସିଛନ୍ତି । ତେବେ ଆନେ୍ଦାଳନରତ ଚାଷୀ ସଙ୍ଗଠନ ଓ କ୍ରିୟାନୁଷ୍ଠାନ କମିଟିକୁ ଭେଟିବା ନେଇ ତେଜିଛି ରାଜନୀତି । ଓଡ଼ିଶାର ଭାତହାଣ୍ଡି ଭାବେ ପରିଚିତ ବରଗଡ଼ ଜିଲ୍ଲାର ପଦ୍ମପୁରର ଚାଷୀଙ୍କୁ ସ୍ୱତନ୍ତ୍ର ପ୍ୟାକେଜ୍ ଦାବିରେ ଦୁର୍ବାର ଚାଲିଛି ଆନେ୍ଦାଳନ । ଫସଲବୀମା ଯୋଜନାରେ ·ଷୀଙ୍କୁ ଅନ୍ତର୍ଭୁକ୍ତ କରିବା, ଇନପୁଟ୍ ସବସିଡି ପ୍ରଦାନ ସହ ମଣ୍ଡି ସୁବ୍ୟବସ୍ଥା ପାଇଁ ବୋଡ଼ାସମ୍ବର ଚାଷୀ ସଙ୍ଗଠନ ସହ ବିଭିନ୍ନ କୃଷକ ସଙ୍ଗଠନ ବିଭିନ୍ନ ସମୟରେ ଆନେ୍ଦାଳନ କରିବା ସହ ଏବେ ଉପ-ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ଧାରଣାରେ ବସିଛନ୍ତି । ଦାବି ପୂରଣ ନେହେଲେ ଶାସକଦଳକୁ ଉଚିତ୍ ଶିକ୍ଷା ଦେବାକୁ ପଣ କରିଛନ୍ତି ।
ସେପଟେ ଏନେଇ ବିଜେପିକୁ ସିଧାସଳଖ ଟାର୍ଗେଟ କରିଛନ୍ତି କଂଗ୍ରେସ ବରିଷ୍ଠ ବିଧାୟକ ନରସିଂହ ମିଶ୍ର । ଲୋକେ କହନ୍ତି ବିଜେପି ଅର୍ଥ ହେଲା ଭାରତୀୟ ଯାତ୍ରା ପାର୍ଟି । ତାହା ପ୍ରମାଣିତ ହୋଇଛି । ଓଡ଼ିଶାବାସୀ ଓ ପଦମପୁରବାସୀଙ୍କୁ ବିଜେପି ଯାତ୍ରା ଦେଖାଇଛି । ଯାତ୍ରା କଲେ, ତା’ପରେ ଚାଷୀଙ୍କ ସହ ଆଲୋଚନା କଲେ । ଶୋଭାଯାତ୍ରା ପୂର୍ବରୁ ସେମାନେ କ’ଣ ଜାଣି ନଥିଲେ ଚାଷୀ କେଉଁଥି ପାଇଁ ସତ୍ୟାଗ୍ରହ କରିଥଲେ? ବଡ଼ବଡ଼ ଭାଷଣ ଦେଲେ, ଗଲେ ନାମାଙ୍କନପତ୍ର ଦାଖଲ କରିବାକୁ । ହେଲେ କହିଲେ ଚାଷୀଙ୍କ ସ୍ୱାର୍ଥ ପାଇଁ ଆମେ ନାମାଙ୍କନ ଦାଖଲ କଲୁ ନାହିଁ । କିନ୍ତୁ ଏହି ଉପନିର୍ବାଚନରେ କରିବେ ନାହିଁ ବୋଲି କହିନାହାନ୍ତି । ସେମାନେ ନାମାଙ୍କନ ନିଶ୍ଚିତ ଦାଖଲ କରିବେ । ସୋମବାର କେବଳ ଡ୍ରାମା କଲେ । ବୀମା କମ୍ପାନୀଠାରୁ କୋଟି କୋଟି ଟଙ୍କା ଖାଉଛନ୍ତି । ଏଠି ରାଜ୍ୟ ସରକାରଙ୍କୁ ଖାଲି ଦୋଷ ଦେଉଛନ୍ତି ।
ତେଣୁ ପଦମପୁରବାସୀ ଏହାକୁ ହୃଦୟଙ୍ଗମ କରିବେ, ବିଜେପିକୁ ବିଶ୍ୱାସ କରିବେ ନାହିଁ । ଏମାନେ ୪୨୦ ନୁହଁ, ୮୪୦ର ଠକ । ପ୍ରଧାନମନ୍ତ୍ରୀ ଫସଲ ବୀମା କାର୍ଯ୍ୟକାରୀ କରିବା କେନ୍ଦ୍ରର କାମ । ତାଙ୍କୁ ସବୁ ଜଣା । ହେଲେ ସେମାନେ କରୁନାହାନ୍ତି ବୋଲି ସେ କହିଛନ୍ତି ।
ଅନ୍ୟପଟେ ଧାରଣାସ୍ଥଳକୁ ଯାଇ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଏବଂ ବିଧାୟକ ସୁଶାନ୍ତ ସିଂହ ଆଲୋଚନା କରିଥିଲେ । ହେଲେ ଆଲୋଚନାରୁ କୌଣସି ସୁଫଳ ମିଳିପାରିନାହିଁ । ମନ୍ତ୍ରୀ ନିରଞ୍ଜନ ପୂଜାରୀ ମୁଖ୍ୟମନ୍ତ୍ରୀଙ୍କ ସହିତ ଜିଲ୍ଲା ଗଠନ ଦାବି ସମ୍ପର୍କରେ ଆଲୋଚନା କରିବା ପାଇଁ ଏକ ପ୍ରତିନିଧି ଗଠନ କରିବାକୁ ପ୍ରସ୍ତାବ ଦେଇଥିଲେ । ହେଲେ ଏଥିରେ କ୍ରିୟାନୁଷ୍ଠାନ କମିଟି ସହମତ ହୋଇନଥିଲା । ପ୍ରତିଶ୍ରୁତି ନୁହେଁ, ଘୋଷଣା କରିବାକୁ ଦାବି କରିଥିଲେ ଆନେ୍ଦାଳନକାରୀ । ଆଗାମୀ ଦିନରେ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି କହିଛନ୍ତି । ୨୦୧୯ ମସିହାରେ ମୁଖ୍ୟମନ୍ତ୍ରୀ ଜିଲ୍ଲା ଗଠନ ନେଇ ଆଲୋଚନା କରିଥିଲେ । ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ । ପୁରୁଣା ଘଟଣାବଳୀକୁ ନେଇ ଏବେ କାହିଁକି ପ୍ରେସ୍ ବିଜ୍ଞପ୍ତି ଜାରି ହେଲା ବୋଲି କମିଟି ପ୍ରଶ୍ନ କରିଛି ।