ପ୍ରେମିକାକୁ ୩୫ ଖଣ୍ଡ କଲା ଜହ୍ଲାଦ ପ୍ରେମିକ

ନୂଆଦିଲ୍ଲୀ ୧୪ା୧୧: ଦିଲ୍ଲୀ ପୁଲିସ୍ ସୋମବାର ଏକ ଲୋମହର୍ଷକ ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି । ଲିଭ୍ ଇନ୍ ପାର୍ଟନର ଆଫତାବ୍ ଅମୀନ ତା’ର ୨୬ ବର୍ଷୀୟା ପ୍ରେମିକା ଶ୍ରଦ୍ଧାଙ୍କୁ ପ୍ରାୟ ୬ ମାସ ପୂର୍ବେ (ମେ’ ୧୮ ତାରିଖ ଦିନ) ତଣ୍ଟିଚିପି ହତ୍ୟା କରିଥିଲା । ପରେ ଶବକୁ ଆରୀରେ ୩୫ ଖଣ୍ଡ କରି କାଟି ଫ୍ରିଜ୍ରେ ରଖିଲା । ପ୍ରତିଦିନ ରାତି ୨ଟା ବେଳେ ସେଥିରୁ ଖଣ୍ଡେ ଖଣ୍ଡେ ନେଇ ଦିଲ୍ଲୀ ବାହାରେ ଜଙ୍ଗଲ ଭିତରେ ଫିଙ୍ଗି ଦେଉଥିଲା ଜହ୍ଲାଦ ପ୍ରେମିକ ।
ପୁଲିସ୍ ଶନିବାର ଆଫତାବକୁ ଗିରଫ କରିଛି । କୋର୍ଟ ଅଭିଯୁକ୍ତକୁ ୫ ଦିନ ପାଇଁ ପୁଲିସ୍ କଷ୍ଟଡିକୁ ପଠାଇ ଦେଇଛି । ପ୍ରାଥମିକ ତଦନ୍ତରୁ ଜଣାପଡିଛି ଆଫତାବ ଆମେରିକୀୟ କ୍ରାଇମ୍ ଥ୍ରିଲର ଡେକ୍ଷ୍ଟର ଓ ଅନ୍ୟାନ୍ୟ କ୍ରାଇମ୍ ମୁଭି ଦେଖି ଆସୁଥିଲା । ସେଥିରେ ପ୍ରଭାବିତ ହୋଇ ଶ୍ରଦ୍ଧାଙ୍କୁ ହତ୍ୟା କରିଥିଲା । ଖଣ୍ଡବିଖଣ୍ଡିତ ଶରୀରକୁ ସୁରକ୍ଷିତ ରଖିବା ପାଇଁ ସେ ବଡ଼ ଫ୍ରିଜ୍ କିଣିଥିଲା । ଫ୍ରିଜ୍ରୁ ବାହାରୁଥିବା ପଚା ଗନ୍ଧ ଏଡାଇବା ପାଇଁ ଅଫତାବ ସବୁବେଳେ ଘରେ ଧୂପକାଠି ଜଣାଉଥିଲା ।
ଶ୍ରଦ୍ଧା ମୁମ୍ବାଇର ମଲାର୍ଡ ଇଲାକାରେ ରହି ଏକ ବହୁରାଷ୍ଟ୍ରୀୟ କମ୍ପାନୀର କଲ୍ ସେଣ୍ଟରରେ କାମ କରୁଥିଲେ । ଆଫତାବ ଜଣେ ଫୁଡ୍ ବ୍ଲଗର୍ । ଇନ୍ଷ୍ଟାଗ୍ରାମ୍ରେ ତା’ର ଦ ହଙ୍ଗ୍ରି ଚୋକରୋ ନାମରେ ବ୍ୟକ୍ତିଗତ ଏକାଉଣ୍ଟ ଅଛି । ଶ୍ରଦ୍ଧା ଓ ଆଫତାବ ଉଭୟେ କଲ୍ ସେଣ୍ଟରରେ କାମ କରିବା ଭିତରେ ୨୦୧୯ରେ ପରିଚିତ ହୋଇଥିଲେ । କ୍ରମେ ଦୁହିଁଙ୍କ ଭିତରେ ପ୍ରେମ ସମ୍ପର୍କ ଗଢ଼ି ଉଠିଲା ଯାହାକୁ ପରିବାର ଲୋକେ ବିରୋଧ କରିଥିଲେ । ଏଭଳି ସ୍ଥିତିରେ ଦୁହେଁ ମୁମ୍ବାଇରୁ ଦିଲ୍ଲୀ ପଳାଇ ଆସି ମହରୌଲୀ ଇଲାକାର ଏକ ଫ୍ଲାଟ୍ରେ ଲିଭ୍ ଇନ୍ରେ ରହିଲେ ।
ସାଉଥ୍ ଦିଲ୍ଲୀର ଅତିରିକ୍ତ ଡିସିପି ଅଙ୍କିତ ଚୌହାନ କହିଛନ୍ତି, ମେ ୧୮ ତାରିଖ ଦିନ ଦୁହିଁଙ୍କ ଭିତରେ ଝଗଡ଼ା ହୋଇଥିଲା । ଅଫତାବ ଶ୍ରଦ୍ଧାଙ୍କୁ ତଣ୍ଟିଚିପି ହତ୍ୟା କଲା । ସୂଚନା ଅନୁଯାୟୀ, ଆଫତାବ ଅନ୍ୟ ମହିଳାଙ୍କ ସହ ସମ୍ପର୍କ ରଖିଥିବା ସୁରାଗ ପାଇବା ପରେ ବାହା ହେବା ପାଇଁ ଶ୍ରଦ୍ଧା ଜିଦ୍ ଧରିଥିଲେ । ଏହି କଥାରୁ ପ୍ରତିଦିନ ଦୁହିଁଙ୍କ ଭିତରେ କଳି ଲାଗୁଥିଲା ।
ପୁଲିସ୍ ମଧ୍ୟ ଏହି ଚାଞ୍ଚଲ୍ୟକର ହତ୍ୟାକାଣ୍ଡର ଲଭ୍ ଜିହାଦ ଆଙ୍ଗଲ୍ ଯାଞ୍ଚ କରୁଛି । ଦିଲ୍ଲୀ ମହିଳା ଆୟୋଗ ପକ୍ଷରୁ ପୁଲିସକୁ ମାମଲା ସମ୍ବନ୍ଧୀୟ ସମସ୍ତ ବିବରଣୀ ତଲବ କରାଯାଇଛି । ମହିଳା ଆୟୋଗ ଅଧ୍ୟକ୍ଷା ସ୍ୱାତୀ ମାଲିୱାଲ୍ ଟ୍ୱିଟ୍ ମାଧ୍ୟମରେ ପ୍ରଶ୍ନ କରିଛନ୍ତି- ହତ୍ୟାକାଣ୍ଡରେ ଜଣେ ଲୋକ ସଂଶ୍ଲିଷ୍ଟ ନା କୌଣସି ଗ୍ୟାଙ୍ଗ୍ର ହାତ ଅଛି?

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *