ମାଣ୍ଡିଆ ଚାଷରେ କୃଷି ଯନ୍ତ୍ରପାତି ବ୍ୟବହାର କ୍ଷେତ୍ର ପରିଦର୍ଶନ

ରଙ୍ଗେଇଲୁଣ୍ଡା (ଆପ୍ର): ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱ ବିଦ୍ୟାଳୟ ଅଧୀନ ପଶୁ ଶକ୍ତିର ସଦୁପଯୋଗ ସମ୍ବନ୍ଧୀୟ ସର୍ବ ଭାରତୀୟ ସଂଯୋଜିତ ଗବେଷଣା ପ୍ରକଳ୍ପ ତରଫରୁ ନରୱେ ସରକାରଙ୍କ ପ୍ରାୟୋଜିତ ରେଜିଲେଏନ୍ସ ପ୍ରକଳ୍ପର ପୋଷ୍ୟ ଗ୍ରାମ ଗଞ୍ଜାମ ଜିଲ୍ଲା କୁକୁଡାଖଣ୍ଡି ବ୍ଲକ୍ ଅନ୍ତର୍ଗତ ବାଘଲଟି ପଞ୍ଚାୟତର ବଡ଼କୁଷୁମୀରେ ମାଣ୍ଡିଆ ଚାଷରେ ମଞ୍ଜି ବୁଣା ଯନ୍ତ୍ରର ବ୍ୟବହାର ଶୀର୍ଷକ କ୍ଷେତ୍ର ଦିବସ ରବିବାର ପାଳନ କରାଯାଇଛି । କାର୍ଯ୍ୟକ୍ରମରେ ବିଶ୍ୱ ବିଦ୍ୟାଳୟର ଗବେଷଣା ଅଧ୍ୟକ୍ଷ ପ୍ରଫେସର ସଂଗ୍ରାମ କେଶରୀ ସ୍ୱାଇଁ, କୃଷି ବିଜ୍ଞାନ କେନ୍ଦ୍ର ଗୋଳନ୍ଥରା-୨ର ବରିଷ୍ଠ ବୈଜ୍ଞାନିକ ଓ ମୁଖ୍ୟ ଡ.ସୁସ୍ମିତା ମହାନ୍ତି, କୀଟାତତ୍ୱ ବୈଜ୍ଞାନିକ ସନ୍ଦୀପ ମହାନ୍ତି, ବ୍ଲକ୍ କୃଷି ଅଧିକାରୀ ଅଶ୍ୱିନୀ ସ୍ୱାଇଁ, ସହକାରୀ କୃଷି ଯନ୍ତ୍ରୀ ଇଂ.ଦେବାଶିଷ ଦାସଙ୍କ ସହ ଆଖପାଖ ଗ୍ରାମରୁ ଶତାଧିକ ଅଗ୍ରଣୀ ଚାଷୀ ଯୋଗ ଦେଇଥିଲେ । ଏହି ଗ୍ରାମରେ ପ୍ରକଳ୍ପ ତରଫରୁ ମାଣ୍ଡିଆ ଚାଷରେ ବିଭିନ୍ନ ବଳଦ ଟଣା ଉନ୍ନତ କୃଷି ଯନ୍ତ୍ରପାତି ଯଥା ଓୟୁଏଟି ମୋଡ ପତ୍ର ଲଙ୍ଗଳ, ଉନ୍ନତ ଜୁଆଳି, ଚକ୍ରବୀଦା, ଘାସ ବାଛିବା ଯନ୍ତ୍ର ଓ ୪ଧାଡ଼ିଆ ମଞ୍ଜି ବୁଣା ଯନ୍ତ୍ରର ବ୍ୟବହାର ଶୀର୍ଷକ କ୍ଷେତ୍ର ପ୍ରଦର୍ଶନ କରାଯାଇଥିଲା । ରାଜ୍ୟ ସରକାରଙ୍କର ଓଡ଼ିଶା ମିଲେଟ ମିଶନ କାର୍ଯ୍ୟକ୍ରମ ସାହାଯ୍ୟରେ ରାଜ୍ୟରେ ବିଭିନ୍ନ ପ୍ରକାରର ଲଘୁଦାନା ଜାତୀୟ ଶସ୍ୟର ଚାଷକୁ ବିଶେଷ ଭାବରେ ପ୍ରୋତ୍ସାହନ ଯୋଗଇ ଦିଆଯାଉଛି ଏବଂ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱ ବିଦ୍ୟାଳୟ ଏହିସବୁ ଚାଷରେ ବିଭିନ୍ନ ପ୍ରକାରର ବୈଷୟିକ ଜ୍ଞାନ କୌଶଳର ଉଦ୍ଭାବନ ଓ ପ୍ରୟୋଗ ଜାରି ରଖିଛି ବୋଲି ଗବେଷଣା ଅଧ୍ୟକ୍ଷ ପ୍ରଫେସର ସ୍ୱାଇଁ ପ୍ରକାଶ କରିଥିଲେ । ବ୍ଲକ୍ କୃଷି ଅଧିକାରୀ ଶ୍ରୀ ସ୍ୱାଇଁ ଆଗାମୀଦିନରେ ଓଡ଼ିଶା ମିଳଲେଟ ମିଶନ ତରଫରୁ ଏହି କାର୍ଯ୍ୟକ୍ରମକୁ ବ୍ୟାପକ କରାଯିବା ଉପରେ ଗୁରୁତ୍ୱ ଦେଇଥିଲେ । ସହକାରୀ କୃଷି ଯନ୍ତ୍ରୀ ଇଂ.ଦେବାଶିଷ ଦାସ ବିଶ୍ୱ ବିଦ୍ୟାଳୟ ତରଫରୁ ମାଣ୍ଡିଆ ଅମଳ ଯନ୍ତ୍ରର କ୍ଷେତ୍ର ପ୍ରଦର୍ଶନୀ କରାଯିବା ପାଇଁ ପ୍ରସ୍ତାବ ରଖିଥିଲେ । ସମ୍ପ୍ରତି ଜାତିସଂଘ ତରଫରୁ ଆସନ୍ତା ୨୦୨୩ବର୍ଷକୁ ଆନ୍ତର୍ଜାତୀକ ଲଘୁଦାନା ଶଷ୍ୟ ବର୍ଷ ହିସାବରେ ପାଳନ କରିବା ପାଇଁ ସ୍ଥିର କରାଯାଇଛି । କାର୍ଯ୍ୟକ୍ରମକୁ ସଫଳ କରିବାରେ କୃଷକ ସାଥି ନିରଞ୍ଜନ ଦାସ ଓ ଅଗ୍ରଣୀ ଚାଷୀ ଅଶୋକ ଦାସ ପ୍ରମୁଖ ଭୂମିକା ନେଇଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *