ଶହେ ଜିଲ୍ଲା ହସ୍ପିଟାଲ ହେବ ମେଡିକାଲ୍ କଲେଜ୍

ନୂଆଦିଲ୍ଲୀ,୧୩ା୧୧: ଜିଲ୍ଲା ହସ୍ପିଟାଲ୍ଗୁଡିକୁ ଅପଗ୍ରେଡ୍ କରି ୨୦୨୭ ମସିହା ସୁଦ୍ଧା ୧୦୦ ଟି ନୂଆ ମେଡିକାଲ କଲେଜ ସ୍ଥାପନ ଲାଗି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଯେଉଁ ଯୋଜନା ପ୍ରସ୍ତୁତ କରିଛି ତାହାକୁ ବ୍ୟୟ ବିଭାଗ (ବ୍ୟୟ ବିତ୍ତ କମିଟି ବା ଇଏଫ୍ସି) ମଞ୍ଜୁରି ଦେଇଛି । ମଞ୍ଜୁୂରି ମିଳିବା ପରେ ଏ ସମ୍ବନ୍ଧୀୟ କ୍ୟାବିନେଟ୍ ନୋଟ୍ ପ୍ରସ୍ତୁତ କରାଯାଇଛି । ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ମାନବ ସମ୍ବଳର ଉପଲବ୍ଧତା ବଢାଇ ସ୍ୱାସ୍ଥ୍ୟ କ୍ଷେତ୍ରକୁ ମଜଭୁତ କରିବା ଏହି ଯୋଜନାର ମୂଳ ଲକ୍ଷ୍ୟ ।
ପ୍ରସ୍ତାବିତ ନୂଆ ମେଡିକାଲ କଲେଜ ପାଇଁ କେନ୍ଦ୍ର ସରକାର ୬୦ ପ୍ରତିଶତ ଓ ରାଜ୍ୟ ସରକାର ୪୦ ପ୍ରତିଶତ ବ୍ୟୟଭାର ବହନ କରିବେ । ପ୍ରତି କଲେଜ ପାଇଁ ଆନୁମାନିକ ୩୨୫ କୋଟି ଟଙ୍କା ବ୍ୟୟ କରାଯିବ । ଜିଲ୍ଲା ବା ରେଫରାଲ୍ ହସ୍ପିଟାଲ୍ଗୁଡିକର ଉନ୍ନତିକରଣ ପୂର୍ବକ ଏହିସବୁ ମେଡିକାଲ କଲେଜ ସ୍ଥାପନ କରାଯିବ । ତେବେ ପୂର୍ବୋତ୍ତର ଓ ବିଶେଷ ଶ୍ରେଣୀର ରାଜ୍ୟଗୁଡିକ ପାଇଁ ଫଣ୍ଡି ପାଟର୍ନରେ ଭିନ୍ନ ହେବ – କେନ୍ଦ୍ର ୯୦ପ୍ରତିଶତ ଓ ରାଜ୍ୟ ୧୦ ପ୍ରତିଶତ ବ୍ୟୟଭାର ବହନ କରିବେ ।
ଉଲ୍ଲେଖଯୋଗ୍ୟ ଯେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଏକ ଯୋଜନାର ଚତୁର୍ଥ ପର୍ଯ୍ୟାୟରେ ଏଭଳି ପଦକ୍ଷେପ ନିଆଯିବା ବ୍ୟବସ୍ଥା ହୋଇଛି । ପୂର୍ବ ତିନି ପର୍ଯ୍ୟାୟରେ ୧୫୭ ମେଡିକାଲ କଲେଜ ସ୍ଥାପନକୁ ସ୍ୱୀକୃତି ଦିଆଯାଇଥିଲା । ଏଭିତରେ ସେଥିରୁ ୯୩ କଲେଜ କାର୍ଯ୍ୟକ୍ଷମ ହୋଇଛି । ଅନ୍ୟ କଲେଜଗୁଡିକର ନିର୍ମାଣ ଜାରି ରହିଛି । ଚତୁର୍ଥ ପର୍ଯ୍ୟାୟରେ ପ୍ରସ୍ତାବିତ ୧୦୦ ନୂଆ ମେଡିକାଲ କଲେଜ ସେହିସବୁ ଜିଲ୍ଲାରେ ସ୍ଥାପନ କରାଯିବ ଯାହାର ଲୋକସଂଖ୍ୟା ୧୦ ଲକ୍ଷରୁ ଅଧିକ ଏବଂ ଯେଉଁ ଜିଲ୍ଲାରେ କୌଣସି ସରକାରୀ ଓ ବେସରକାରୀ ମେଡିକାଲ କଲେଜ ନାହିଁ ।
କେନ୍ଦ୍ର ପ୍ରାୟୋଜିତ ଉକ୍ତ ଯୋଜନାର ପ୍ରଥମ ୩ ପର୍ଯ୍ୟାୟରେ ୧୫୭ ମେଡିକାଲ କଲେଜ ସଂଶ୍ଳିଷ୍ଟ ନର୍ସିଂ କଲେଜ ସ୍ଥାପନା ପାଇଁ ୧୦ କୋଟି ଟଙ୍କା ଲେଖାଏଁ ପ୍ରଦାନ କରାଯିବ । ତେବେ ଏଥିପାଇଁ ଏନ୍ଏମ୍ସି ଦ୍ୱାରା ନିର୍ଦ୍ଧାରିତ ନୂ୍ୟନତମ ମାନକ ଆବଶ୍ୟକତା ନିୟମାବଳୀରେ ସଂଶୋଧନ ଆବଶ୍ୟକ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *